ବିଦ୍ୟାକନକ ସୃଜନାନୁଷ୍ଠାନର ଷଷ୍ଠ ଜାତୀୟ ନାଟ୍ୟ ମହୋତ୍ସବ ରବୀନ୍ଦ୍ର ମଣ୍ଡପରେ ମଇ ୨୪ରୁ
ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ବିଦ୍ୟା କନକ ସୃଜନାନୁଷ୍ଠାନ’ ଗତ ବର୍ଷ ପରି ଏବର୍ଷ ମଧ୍ୟ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୪ ଆୟୋଜନ କରିବାକୁ ଯାଉଛି । ଷଷ୍ଠ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୪ ଆଗାମୀ ମଇ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ରମଣ୍ଡପ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ଦୁଇଟି ନାଟ୍ୟଦଳ ସହ ଭାରତର ବିଭିନ୍ନ ପ୍ରଦେଶରୁ ୩ଟି ନାଟ୍ୟଦଳ ହିନ୍ଦୀ ଭାଷାରେ ସେମାନଙ୍କର ନାଟକ ପରିବେଷଣ କରିବେ ।
ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ୨୪ ତାରିଖ ପ୍ରଥମ ସନ୍ଧ୍ୟାରେ ‘ବିଦ୍ୟାକନକ ସୃଜନାନୁଷ୍ଠାନ’ କାହାଣୀକାର ଗୋଦାବରୀଶ ମହାପାତ୍ରଙ୍କ ରଚିତ, ନବୀନ କୁମାର ପରିଡ଼ାଙ୍କ ନାଟ୍ୟ ରୂପାନ୍ତରିତ ଓ ଜଗଦିଶ୍ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ନାଟକ “ମାଗୁଣିର ଶଗଡ଼ (ଓଡ଼ିଆ)” ପ୍ରଦର୍ଶନ କରିବାକୁ ଯାଉଅଛି । ମଇ ୨୫ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ‘ସମାଗମ ରଙ୍ଗମଣ୍ଡଳ’, ଜବଲପୁର, ନାଟ୍ୟକାର ଗିରିଶ କର୍ନ୍ନଡ଼ଙ୍କ ରଚିତ ଓ ସ୍ୱାତୀ ଦୁବେଙ୍କ ନିର୍ଦ୍ଦେଶିତ ନାଟକ “ଅଗ୍ନି ଓ୍ୟୌର ବରଖା (ହିନ୍ଦୀ)” ପରିବେଷଣ କରିବେ । ମଇ ୨୬ ତାରିଖ ତୃତୀୟ ସନ୍ଧ୍ୟାରେ ‘ସିଗଲ୍ ଥିଏଟର’, ଗୌହାଟି ଯୋଶେଫ୍ ଷ୍ଟେନ୍ଙ୍କ କାହାଣୀ ଓ ଜୟନ୍ତ କେକିନିଙ୍କ ନାଟ୍ୟରୂପକୁ ନେଇ ଭାଗିରଥି ବାଈଙ୍କ ନିର୍ଦ୍ଦେଶନାରେ ନାଟକ “ବେଦାଗ (ହିନ୍ଦୀ)” ପରିବେଷଣ କରିବେ। ମଇ ୨୭ ତାରିଖ ଚତୁର୍ଥ ସନ୍ଧ୍ୟାରେ ‘ଉତ୍ତରାୟଣୀ କ୍ଲବ’, ଜଟଣୀ, ନାଟ୍ୟକାର ସଂଜୟ ହାତୀଙ୍କ ରଚିତ ବିପ୍ଳବ କେଶରୀ ଶତପଥୀଙ୍କ ନିର୍ଦ୍ଦେଶିତ ନାଟକ “ଶେଫାଳୀର ମହକ (ଓଡ଼ିଆ)” ପରିବେଷଣ କରିବେ ଓ ମଇ ୨୮ ତାରିଖ ଶେଷ ସନ୍ଧ୍ୟାରେ ‘ଏକରଙ୍ଗ’, ମୁମ୍ବାଇ ମରାଠୀ ନାଟ୍ୟକାର ବିଷ୍ଣୁ ୱାମନ୍ ଶିରଭାଦିକାରଙ୍କ ରଚିତ ସଚିଦାନନ୍ଦ ଯୋଶୀଙ୍କ ହିନ୍ଦୀ ରୂପାନ୍ତରିତ ଓ ଜୟନ୍ତ ଦେଶମୁଖଙ୍କ ନିର୍ଦ୍ଦେଶନାରେ ନାଟକ ‘ନଟ ସମ୍ରାଟ (ହିନ୍ଦୀ)’ ପରିବେଷଣ କରିବେ।
ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଷଷ୍ଠ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୪କୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ସଫଳ କରିବା ପାଇଁ ପ୍ରେସ୍ ଓ ମିଡ଼ିଆ ବନ୍ଧୁମାନଙ୍କୁ ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ଭୁବନେଶ୍ୱରର ସଭାପତି ଇଂ.ସୁଧାକର ପତ୍ରୀ ଏବଂ ସମ୍ପାଦକ ଶୁଭକାନ୍ତ ପାଢୀ ଅନୁରୋଧ କରିଛନ୍ତି ।