ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ”ଅନ୍ତର୍ଜାତୀୟ ଜୟ ଶ୍ରୀ ଜଗନ୍ନାଥ ଦିବସ”ପାଳିତ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଏପ୍ରିଲ ମାସ ୧୪ ତାରିଖ, ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି , ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ମାର୍ଗଦର୍ଶକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଓ ଶ୍ରୀଯୁକ୍ତ ନୀଳମଣି ଗୁରୁ ସଚିବ ଶ୍ରୀମନ୍ଦିର ପାଇକା ନିଜୋଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ “ଅନ୍ତର୍ଜାତୀୟ ଜୟ ଶ୍ରୀ ଜଗନ୍ନାଥ ଦିବସ” ପୁରୀସ୍ଥିତ ଟାଉନ ହଲ୍ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଇନଷ୍ଟିଚ୍ୟୁଟ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜିର ଛାତ୍ରୀ ଓ ଛାତ୍ର ମାନଙ୍କଙ୍କ ଦ୍ବାରା ଏକ ହନୁମାନଙ୍କ ପ୍ରତିଛବି ପ୍ରସ୍ତୁତ ହୋଇଥିଲା, ଯେଉଁଥିରେ ପରମ ଭକ୍ତ ହନୁମାନଙ୍କ ଛାତି ଭିତରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ପ୍ରତିଛବି ରହିଥିଲା । ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଶ୍ରୀରାମଙ୍କ ଅବତାର ଭାବରେ ବିବେଚନା କରାଯାଏ । ହନୁମାନଙ୍କୁ ସର୍ବଶ୍ରେଷ୍ଠ ରାମ ଭକ୍ତ ହିସାବ ରେ ଗଣା ଯାଏ | ହନୁମାନ ସଦା ସର୍ବଦା ଶ୍ରୀମନ୍ଦିରକୁ ସୁରକ୍ଷା ଦେଇଥାନ୍ତି ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ପୁରୀ ସାଂସଦ ପ୍ରାର୍ଥୀ ଡ଼କ୍ଟର ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଆଦିତ୍ୟ ହୃଦୟ ମିଶ୍ର, ବଦ୍ରି ମିଶ୍ର, ଲଳିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜଗଦଗୁରୁ କ୍ରିପାଲୁ ବିଶ୍ୱବିଦ୍ୟାଳୟର ଉପକୁଳପତି ଡ଼କ୍ଟର ଅନିଲ ବାଜପାୟୀ, ଜଗବନ୍ଧୁ ମିଶ୍ର, ସୁଶାନ୍ତ ରାଜ, ଡାକ୍ତର ମାୟା ପାଢ଼ୀ, ପୂର୍ବତନ ପ୍ରଶାସକ ମଧୁସୂଦନ ମିଶ୍ର , ସରୋଜ ମହାନ୍ତି, ମହନ୍ତ ପର୍ଶୁରାମ ଦାସ, ଗୌରୀଶଙ୍କର ସିଂହାରୀ, ହରେକୃଷ୍ଣ ସିଂହାରୀ ଓ ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତୀକରଣ ପରିଷଦର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ ।

ଏହି ଉପଲକ୍ଷେ ରାଜ୍ୟ ରେଡକ୍ରସ୍ର କଟକ ଶାଖା ଓ ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତୀକରଣ ପରିଷଦର ମିଳିତ ସହଯେଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥଲା ଏବଂ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଅନେକ ଲୋକ ସ୍ଵଇଚ୍ଛାରେ ରକ୍ତଦାନ କରିଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ଡାକ୍ତର ବିକାଶ ପ୍ରସାଦ, ସ୍ୱେଚ୍ଛାସେବୀ ପଦ୍ମଲୋଚନ ମହାପାତ୍ର ଏବଂ ତାଙ୍କର ସହଯୋଗୀ ।
ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଜଗନ୍ନାଥ ଇତିହାସକୁ ପାଥେୟ କରି , ମଧ୍ୟାହ୍ନ ସମୟରେ ଆରମ୍ଭ ହୋଇଥିଲା କୁନି କୁନି ପିଲାମାନଙ୍କ ପାଇଁ କୁଇଜ ପ୍ରତିଯୋଗିତା । ଏହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ଚନ୍ଦ୍ରବିଜୟୀ ମିଶ୍ର । ପୁରୀର ଅନେକ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରରଣ କରିଥିଲେ । ଶ୍ରୀ ଚନ୍ଦ୍ରବିଜୟୀ ମିଶ୍ର କୁନି କୁନି ପିଲାମାନଙ୍କର ଖୁବ ମନୋରଂଜନ କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପରସ୍କୃତ ମଧ୍ୟ କରିଥିଲେ । ଏଥିରେ ଅନେକ ଅଭିଭାବକ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଭାଗ ନେଇଥିଲେ |

ଶେଷ ଭାଗରେ ଗୁରୁ ଦେବବ୍ରତ ଦାସ ଫାଉଣ୍ଡେସନ୍ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶାବତାର ନୃତ୍ୟ ଓ ମାହାରୀ ନୃତ୍ୟ ପରିବେଷଣ କରାଯଇଥିଲା । ଏଥିରେ କୁନି କୁନି ଛାତ୍ରଛାତ୍ରୀ ନୃତ୍ୟଗୀତାଦିରେ ନିଜର ପ୍ରତିଭା ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ମୋହିଥିଲେ ଏବଂ ପୁରସ୍କାର ର ଅଧିକାରୀ ହୋଇଥିଲେ।

ଜୟ ଶ୍ରୀଜଗନ୍ନାଥ — ଜୟ ଶ୍ରୀଜଗନ୍ନାଥ—-ଜୟ ଶ୍ରୀଜଗନ୍ନାଥ ଗାନ କରାଯଇଥିଲା । ସର୍ବଶେଷରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଦୀପ ପ୍ରଜ୍ଵଳନ କରାଯଇଥିଲା ।