ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୨ର ୨୦ ବିଜେତା ସମ୍ବର୍ଦ୍ଧିତ

• ଭିଡିଓ ବାର୍ତା ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ଉଦବୋଧନ
• ବିଜେତାମାନଙ୍କୁ ଇସ୍ରୋ ପରିଦର୍ଶନରେ ନିଆଯିବ
• ୟାଟ୍‌ସର ୧୬ତମ ସଂସ୍କରଣରେ ଓଡ଼ିଶାର ୩୦ ଜିଲ୍ଲାରୁ ୭୭,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୧୬ତମ ସଂସ୍କରଣର ଗ୍ରାଣ୍ଡ୍ ଫିନାଲେ ଆଜି ଭବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌୍‌ର ସହଯୋଗିତାରେ ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରାଜ୍ୟରେ ଟାଟା ଷ୍ଟିଲ୍‌ର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ ସ୍କୁଲ୍‌ରୁ ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଟାଇମ୍ ଟୁ ଅନ୍‌ରାଭେଲ୍ ଦି ୟୁନିଭର୍ସ’ (ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ) ।
ବିଜେତାମାନେ ୨୦୨୩ ମେ ମାସ ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅନ୍ୟତମ ପ୍ରମୁଖ ବ୍ୟବସ୍ଥାକୁ ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନୀଙ୍କ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ ।


ଏହି ଅବସରରେ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିସନର୍ ତଥା ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା (ଆଇଏଏସ୍‌), ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ଓ ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦେଶିକା ଶ୍ରୀମତୀ ସଂଜୁଲତା ବେହେରା, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦେଶକ ଡକ୍ଟର କରୁଣାକର ନନ୍ଦ ଏବଂ ଟାଟା ଷ୍ଟିଲ୍‌ର କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ଶ୍ରୀଯୁକ୍ତ ସର୍ବେଶ କୁମାର ଉପସ୍ଥିତ ଥିଲେ ।

ଭିଡିଓ ବାର୍ତାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ୟାଟ୍‌ସ ଏଭଳି ଏକ ମଂଚ ଭାବେ ଉଦୀୟମାନ ହୋଇଛି ଯାହା ଯୁବ ପ୍ରତିଭାମାନଙ୍କୁ କିଛି ଅଲଗା ଚିନ୍ତା କରିବା ଏବଂ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଉତ୍ସାହିତ କରୁଛି । ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ଆହୁରି ସୁଦୃଢ଼ କରିବା ଦିଗରେ ୟାଟ୍‌ସ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ’’ ।

ଏହି ଅଭିଯାନ ପାଇଁ ଟାଟା ଷ୍ଟିଲ ଓ ପ୍ଲାନେଟୋରିୟମ୍‌କୁ ପ୍ରଶଂସା କରି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ, “ଆଗାମୀ ଦିନରେ ଆମେ ଏହି ମଂଚକୁ ଉଦୀୟମାନ ମହାକାଶ ବିଜ୍ଞାନୀମାନଙ୍କ ଆବିର୍ଭାବ ସ୍ଥଳ ଭାବେ ଦେଖିବୁ । ୟାଟ୍‌ସ ୨୦୨୨ର ବିଜେତା ଓ ଫାଇନାଲିଷ୍ଟ୍‌ମାନଙ୍କୁ ମୋର ଶୁଭକାମନା ।’’


ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିସନର ତଥା ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା (ଆଇଏଏସ୍‌) କହିଛନ୍ତି ଯେ, “ଯୁବପିଢ଼ିଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଟାଟା ଷ୍ଟିଲ୍‌କୁ ମୁଁ ଧନ୍ୟବାଦ ଜଣାଉଛି । ୨୦ ବିଜେତା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏଭଳି ପ୍ଲାଟ୍‌ଫର୍ମ ପାଖରେ ନିଶ୍ଚିତ ରୂପେ ଗୁଣାତ୍ମକ ଶିକ୍ଷାରେ ଉନ୍ନତି ଆଣିବାର ସମ୍ଭାବନା ରହିଛି” ।
ୟାଟ୍‌ସର ୧୬ତମ ସଂସ୍କରଣର ବିଜେତା ଓ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଟାଟା ଷ୍ଟିଲ୍‌ର ସିଇଓ ତଥା ଏମ୍‌ଡି ଟି ଭି ନରେନ୍ଦ୍ରନ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ, “ଭାରତ ଏହାର ବିକାଶ ଓ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପାଦ ଥାପିଥିବା ବେଳେ ବିଜ୍ଞାନ ପ୍ରତି ଆଗ୍ରହୀ ଥିବା ସ୍କୁଲର ଯୁବ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଭବିଷ୍ୟତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ଯାତ୍ରାରେ ଯୋଗଦାନ ପ୍ରଦାନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ’’ ।


ସାରା ରାଜ୍ୟରୁ ଆସିଥିବା ଫାଇନାଲିଷ୍ଟମାନଙ୍କ ସହ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦେଶକ ଡକ୍ଟର କରୁଣାକର ନନ୍ଦ ଭାବ ବିନିମୟ କରିଛନ୍ତି ।
ୟାଟ୍‌ସର ୨୦୦୯ ଆଲୁମନସ୍ ଡକ୍ଟର ଅଂଶୁମାନ ସ୍ୱାଇଁ ନିଜ କ୍ୟାରିୟର ଯାତ୍ରାର ଅନୁଭୂତି ଅଂଶଗ୍ରହଣକାରୀମାନଙ୍କ ସହ ବାଂଟିଛନ୍ତି । ଡକ୍ଟର ସ୍ୱାଇଁ ଏବେ ହେଉଛନ୍ତି ହାଭାର୍ଡ ବିଶ୍ୱବିଦ୍ୟାଳୟ, କେମ୍ବିଜ୍‌ର ଜଣେ ହାଭାର୍ଡ ସୋସାଇଟି ଫେଲୋ ଏବଂ ଜେମ୍‌ସ ମ୍ୟାକ୍‌ଡୋନେଲ୍ ଫାଉଣ୍ଡେସନ୍ କମ୍ପେ୍ଲକ୍ସିଟି ଫେଲୋ; ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ଏବଂ ସ୍ମିଥସୋନିଆନ୍ ନ୍ୟାସ୍‌ନାଲ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରି, ଆମେରିକାରେ ଅତିିରିକ୍ତ ଗବେଷଣା ନିଯୁକ୍ତି । ପ୍ଲାନେଟୋରିୟମ୍ ପରିସରରେ ଆଂଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ ସ୍ୱତନ୍ତ୍ର ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା ଯାହା ଗ୍ରାଣ୍ଡ୍ ଫିନାଲେ ପାଇଁ ପରିଦର୍ଶନରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ରୋମାଂଚିତ କରିଛି ।


ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ର ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଏହି କ୍ଷେତ୍ର ପ୍ରତି କିମ୍ବଦନ୍ତୀ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନକୁ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ୨୦୦୭ ପରଠାରୁ ୟାଟ୍‌ସ ଆୟୋଜନ କରାଯାଉଛି । ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଗକୁ ଆସିବା ଲାଗି ଗ୍ରାମୀଣ ଓ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଏହି ମଂଚ ସୁଯୋଗ ପ୍ରଦାନ କରୁଛି ।


ୟାଟ୍‌ସରେ ସାମିଲ ରହିଛି ଖୋଲା କୁଇଜ୍ ଯାହାକୁ ସ୍କୁଲରେ ପ୍ରତ୍ୟକ୍ଷ ଭାବେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜନ କରାଯାଉଛି ଏବଂ ଏକ ଲିଖିତ ପ୍ରତିଯୋଗିତାକୁ ସ୍କୁଲ ସମେତ ଅନଲାଇନ୍‌ରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ଆୟୋଜନ କରାଯାଉଛି ।


ଖୋଲା କୁଇଜ୍‌ର ବିଜେତାମାନଙ୍କୁ ସେହିଠାରେ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ “ଟାଇମ୍ ଟୁ ଅନରାଭେଲ୍ ଦି ୟୁନିଭର୍ସ) ବିଷୟ ଉପରେ ପ୍ରବନ୍ଧ ରଚନା କରିବାକୁ କୁହାଯାଇଥିଲା । ସ୍ୱାଧୀନ ବିଚାରକଙ୍କ ଦ୍ୱାରା ସେହି ପ୍ରବନ୍ଧଗୁଡ଼ିକୁ ଅନୁଧ୍ୟାନ କରାଯାଇଛି । ପ୍ରତି ଜିଲ୍ଲାର ଶ୍ରେଷ୍ଠ ଦୁଇ ଅଂଶଗ୍ରହଣକାରୀଙ୍କୁ ଗ୍ରାଣ୍ଡ୍ ଫିନାଲେ ପାଇଁ ଆମନ୍ତ୍ରଣ କରାଯାଇଛି । ବ୍ୟକ୍ତିଗତ ଆଲୋଚନା ଭିତିକ ଅନୁଧ୍ୟାନ ପରେ ଶ୍ରେଷ୍ଠ ୨୦ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟର ୨ ଲକ୍ଷରୁ ଅଧିକ ଯୁବ ବିଜ୍ଞାନ ଉତ୍ସାହୀ ୟାଟ୍‌ସରେ ଅଂଶଗ୍ରହଣ କରିଛନ୍ତି ଏବଂ ୧୬୦ ଜଣ ବିଜେତା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ସାରା ଦେଶରେ ଥିବା ବିଭିନ୍ନ ବ୍ୟବସ୍ଥା ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

Leave a Reply

Your email address will not be published. Required fields are marked *