ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଦ୍ୱାରା ପ୍ରଥମ ଜେଆରଡି ଟାଟା ଇନ୍‌ଭିଟେସନାଲ୍ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପକ୍ଷରୁ ଜୁଲାଇ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜେଆରଡି ଟାଟା ଇନଭିଟେସନାଲ୍ ହକି ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରାଯାଇଛି । ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଶିଳ୍ପ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୦ତମ ଜୟନ୍ତୀ ଅବସରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କ୍ରୀଡ଼ା ଓ ଯୁବ ବିକାଶକୁ ପ୍ରୋତ୍ସାହିତ କରିବାରେ ଦେଶ ପ୍ରତି ତାଙ୍କ ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା ।

ଜୁଲାଇ ୨୯ ତାରିଖରେ କଳିଙ୍ଗ ଷ୍ଟାଡିୟମ ସ୍ଥିତ ଟେନିସ୍ ଅଡିଟୋରିୟମ୍ ହଲରେ ଏକ ଭବ୍ୟ ସମାପନ ଉତ୍ସବ ସହ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଥିଲା । ଏଥିରେ ଏଚପିସି ଟିମ୍‌, ନ୍ୟାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ (ଏନସିଓଇ) ଔରଙ୍ଗାବାଦ, କ୍ରୀଡ଼ା ଛାତ୍ରାବାସ ପାନପୋଷ ଓ ଓଡ଼ିଶା ସଚିବାଳୟ ଦଳ ଅଂଶଗ୍ରହଣ କରିଥିଲେ । ବାଳିକା ବର୍ଗର ଫାଇନାଲରେ କ୍ରୀଡ଼ା ଛାତ୍ରାବାସ ପାନପୋଷ ୧-୦ ଗୋଲରେ ଓଡ଼ିଶା ସଚିବାଳୟ ଦଳକୁ ପରାସ୍ତ କରିଥିବା ବେଳେ ବାଳକ ଫାଇନାଲରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି- ଏ ଓ ଭୁବନେଶ୍ୱର ଏକାଦଶ ଯୁଗ୍ମ ବିଜେତା ଭାବେ ମନୋନୀତ ହୋଇଥିଲେ ।

ସମାପନୀ ଉତ୍ସବରେ ଅଲିମ୍ପିଆନ୍ ଧାବିକା ଶ୍ରାବଣୀ ନନ୍ଦ ମୁଖ୍ୟ ଅତିଥି ଓ ଅଲିମ୍ପିଆନ୍ ଭାରୋତ୍ତୋଳକ ରବି କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ (ଓଡ଼ିଶା) ରାଜୀବ ସେଠ୍ ଯୋଗଦେଇ ହକିକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ରତ୍ନ ଜେଆରଡି ଟାଟାଙ୍କ ପରମ୍ପରାକୁ ସମ୍ମାନ ଦେବାରେ ଏହି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।

ଏହି ଟୁର୍ଣ୍ଣାମେଂଟ୍‌ରେ ୪ ବାଳିକା ଓ ୫ ବାଳକ ଟିମ୍ ସମେତ ମୋଟ ୯ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଏଥି ମଧ୍ୟରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ଆଠଟି ଟିମ୍‌ରେ ଉଭୟ ସ୍ଥାନୀୟ ପ୍ରତିଭା ଓ ଆଂଚଳିକ କ୍ରୀଡ଼ା ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳିଥିଲା । ଟୁର୍ଣ୍ଣାମେଂଟ୍‌୍‌ରେ ଓଡ଼ିଶାର ଅନେକ ପୂର୍ବତନ ଅଲମ୍ପିଆନ୍ ଯୋଗ ଦେଇଥିଲେ ଯାହା ଯୁବ କ୍ରୀଡ଼ାବିତ୍‌ମାନଙ୍କ ଉତ୍ସାହକୁ ବହୁଗୁଣିତ କରିଥିଲା ।

ଏହି ଟୁର୍ଣ୍ଣାମେଂଟ ଭାରତ ରତ୍ନ ଜେଆରଡି ଟାଟାଙ୍କ ପରମ୍ପରା ଓ ଭାରତୀୟ ଶିଳ୍ପ ଏବଂ କ୍ରୀଡ଼ା ପାଇଁ ତାଙ୍କ ଉଲ୍ଲେଖନୀୟ ଅବଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । କ୍ରୀଡ଼ାର ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଓ ସମର୍ଥନ ଦେଶ ଉପରେ ଏକ ଅବିସ୍ମରଣୀୟ ଛାପ ସୃଷ୍ଟି କରିଛି ।

ଏହି ଟୁର୍ଣ୍ଣାମେଂଟ ଯୁବ ହକି ଖେଳାଳିମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ଉଚ୍ଚସ୍ତରୀୟ ପ୍ରତିଯୋଗିତାର ଅନୁଭବ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଦଳଙ୍କୁ ଏକାଠି କରି ଓ ବିଶିଷ୍ଟ ହକି ବ୍ୟକ୍ତିତ୍ୱଙ୍କୁ ସାମିଲ କରି ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ହକି ଖେଳରେ ଅଧିକ ଯୁବ ଖେଳାଳିଙ୍କୁ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିଥିଲା ।

Leave a Reply

Your email address will not be published. Required fields are marked *