କିଟ୍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ୍ ପୁରସ୍କାର ୨୦୨୩
ଭୁବନେଶ୍ୱର,୪ । ୧୨: କିଟ୍କୁ ସମ୍ମାନଜନକ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଙ୍ଘ (ସିଆଇଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଆଇଆଇ କ୍ରୀଡ଼ା ଜାତୀୟ କମିଟିର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ବିଭାଗରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ କ୍ରୀଡ଼ା ଫ୍ରାଞ୍ଚାଇଜ ଭାବେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଏବଂ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ତାମିଲନାଡୁକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ଅନ୍ୟ ପକ୍ଷରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ନିମନ୍ତେ ବିସିସିଆଇ ସମ୍ପାଦକ ତଥା ଏସିଆନ୍ କ୍ରିକେଟ କାଉନ୍ସିଲ୍ ଅଧ୍ୟକ୍ଷ ଜୟ ଶାହଙ୍କୁ ଶ୍ରେଷ୍ଠ କ୍ରୀଡ଼ା ବିଜିନେସ୍ ଲିଡର ଭାବେ ସମ୍ମାନୀତ କରାଯାଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନିତା ଅମ୍ବାନୀ ଏବଂ ଅଚ୍ୟୁତ ସାମନ୍ତଙ୍କୁ କ୍ରୀଡ଼ା ବିଜିନେସ୍ ଲିଡର ଭାବେ ସମ୍ମାନୀତ କରାଯାଇଥିଲା । ପୁରସ୍କାର ଚୟନ କମିଟିରେ ଅଭିନବ ବିନ୍ଦ୍ରା, ମାଇକେଲ ୱାଡେ, ଅଭିଶେଷ ବିନୟକିୟା, ନିକି କାୱାର୍ଡ ଓ ଆହନା ମହୋତ୍ରା ପ୍ରମୁଖ ସଦସ୍ୟ ରହିଥିଲେ ।
କିଟ୍ ଦୀର୍ଘ ୨୦ ବର୍ଷ ହେଲା କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ଯୋଗଦାନ ରଖି ଆସିଛି । କିଟ୍ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ କିଟ୍ ଏହା ପୂର୍ବରୁ ଭାରତ ସରକାରଙ୍କଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ଫିକି ପୁରସ୍କାର, ସ୍ପୋର୍ଟଷ୍ଟାର ପୁରସ୍କାର, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ମଧ୍ୟ ହାସଲ କରିଛି । ଏହି ପୁରସ୍କାରକୁ ଶ୍ରୀ ସାମନ୍ତ କିଟ୍ ଓ କିସ୍ର କର୍ମଚାରୀ, ଛାତ୍ରଛାତ୍ରୀ ବିଶେଷ କରି କ୍ରୀଡ଼ା ବିଭାଗ ଓ କିଟ୍ର କ୍ରୀଡ଼ାବିତ୍ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ସହିତ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣା ଓ ସହଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଛନ୍ତି ।