୧୬ତାରିଖର ସର୍ବଭାରତୀୟ ହରତାଳରେ ଓଡ଼ିଶା କର୍ମଚାରୀ ସଂଗଠନ ସାମିଲ୍

0
WhatsApp Image 2024-02-16 at 2.20.13 PM


ଭୁବନେଶ୍ୱର, ତା ୧୬ା୨ : ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ଓଡ଼ିଶାରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ, ହରତାଳ ଅନୁଷ୍ଠିତ ହୋଇଥିଲା । ଏହି ହରତାଳ କାର୍ଯ୍ୟକ୍ରମରେ ଶତାଧିକ କର୍ମଚାରୀ ସାମିଲ୍ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ବିରୋଧି ନୀତିକୁ ବିରୋଧ ପ୍ରଦର୍ଶନ କରିଥିଲେ । ନୂଆ ପେନ୍‌ସନ୍ ନୀତିକୁ ବାତିଲ୍ କରି ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍ ନିୟମ ଲାଗୁ କରିବା, ଠିକା, ଆଉଟ୍‌ସୋର୍ସିଂ ଓ ଦିନ ମଜୁରୀ ଆଦି ନାଁରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଏଭଳି ଘୃଣ୍ୟ, ବେଠୀ, ବେଗାରୀ ପ୍ରଥାକୁ ତୁରନ୍ତ ବନ୍ଦ କରିବା, ଖାଲି ପଡ଼ିଥିବା ପଦବୀକୁ ତୁରନ୍ତ ପୂରଣ କରିବା, ସଂଶୋଧିତ ହାରରେ ଘରଭଡ଼ା ପ୍ରଦାନ କରିବା, ବକେୟା ଥିବା ୧୮ ମାସର ମହଙ୍ଗା ଭତ୍ତାକୁ ତୁରନ୍ତ ପ୍ରଦାନ କରିବା, ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା, ୧୯୯୦ ମସିହା ପୁରୁଣା ନିୟମ ଅନୁଯାୟୀ ଅନୁକମ୍ପା ମୂଳକ ନିଯୁକ୍ତି ବ୍ୟବସ୍ଥାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା । ପ୍ରତି ପାଞ୍ଚ ବର୍ଷରେ ଥରେ ଦରମା ସଂଶୋଧନ କରିବା ଓ ତୁରନ୍ତ ଅଷ୍ଟମ ମଜୁରୀ କମିଶନ ବସାଇବା, ଘରୋଇକରଣ ବନ୍ଦ କରିବା, ଦରଦାମ୍ ସ୍ଥିର ରଖିବା, ଶ୍ରମିକ ବିରୋଧି ଶ୍ରମକୋର୍ଡକୁ ବାତିଲ୍ କରିବା ଓ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଦରମାରେ ଥିବା ଅସଂଗତିକୁ ତୁରନ୍ତ ଦୂର କରିବା ଆଦି ସ୍ଲୋଗାନ ଜରିଆରେ ସେମାନେ ଉପସ୍ଥାପନ କରିଥିଲେ । ଏହି ହରତାଳ କାର୍ଯ୍ୟକ୍ରମକୁ ପୁରୁଖା କର୍ମଚାରୀ ନେତା ସର୍ବଶ୍ରୀ କ୍ଷେତ୍ରମୋହନ ଦାସ, ରାଜ୍ୟ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଅଶୀଳ ବ୍ରହ୍ମ, ଅହଲ୍ୟା ସ୍ୱାଇଁ, ମିନାକ୍ଷୀ ମହାନ୍ତି, କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶୁଭେନ୍ଦୁ ରାଉତରାୟ, ଉପାଧ୍ୟକ୍ଷା ଜ୍ୟେତ୍ସ୍ନାମୟୀ ନାୟକ, ମହାସଚିବ ହୃଷୀକେଶ ମହାପାତ୍ର, ସମ୍ପାଦକ ପ୍ରଫୁଲ୍ଲ ମଲ୍ଲିକ, ସମ୍ପାଦିକା ସ୍ୱର୍ଣ୍ଣମାଳା ରଥ, ଅର୍ଥ ସମ୍ପାଦକ ଅମୂଲ୍ୟ ଭାରିମଲ, ସୁଶାନ୍ତ ମହାନ୍ତି ପ୍ରମୁଖ ନେତୃତ୍ୱ ପ୍ରଦାନ କରିଥିଳେ ।

Leave a Reply

Your email address will not be published. Required fields are marked *