ସୁକିନ୍ଦା କ୍ରୋମାଇଟ୍ ଖଣିରେ ଟିଏସ୍‌ଏଫ୍ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ୧୩୮ ଜଣ ଦିବ୍ୟାଙ୍ଗ ପଞ୍ଜୀକୃତ

ସୁକିନ୍ଦା, ଅଗଷ୍ଟ ୧୯, ୨୦୨୨: ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିର ସବଳ କେନ୍ଦ୍ରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଏହି ଶିବିରରେ ରାସୋଁଳ, କାଳିଆପାଣି, କଁସ, ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ପାଶ୍ୱର୍ବର୍ତ୍ତୀ ଗ୍ରାମର ୧୩୮ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ ଓ ପ୍ରମାଣପତ୍ର ପ୍ରଦାନ ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଥିଲା ।

ଏହି ପଦକ୍ଷେପକୁ ପ୍ରଶଂସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ) ଡାକ୍ତର ବି ଏନ୍ ବାରିକ କହିଛନ୍ତି ଯେ, “ଏହା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବେଶ ଲାଭଦାୟକ ହେବ କାରଣ ସେମାନଙ୍କୁ ଆବେଦନ ପ୍ରକ୍ରିୟାର ଔପଚାରିକତା ପୁରଣ କରିବା ପାଇଁ ଯାଜପୁର ଟାଉନ୍ ଯିବାକୁ ପଡ଼ିବ ନାହିଁ । ଏଚ୍‌ଆଇଭି ଏବଂ ଟି ବି ରୋଗୀଙ୍କ ଚିକିତ୍ସା ପାଇଁ ଜିିଲ୍ଲା ପ୍ରଶାସନ ପକ୍ଷରୁ ଟିଏସ୍‌ଏଫ୍ ଓ ଟାଟା ଷ୍ଟିଲ ମାଇନିଂ ସହିତ ସହଭାଗିତା କରାଯିବ ବୋଲି ସେ କହିଥିଲେ ।”

ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ଟାଟା ଷ୍ଟିଲ ମାଇନିଂ ଏକ ଅନ୍ତର୍ଭୁକ୍ତକାରୀ ସମାଜ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି । ଟିଏସ୍‌ଏଫ୍ ଚଳିତ ବର୍ଷ ଯାଜପୁର ଜିଲ୍ଲା ମେଡ଼ିକାଲ ଟିମ୍ ସହଭାଗିତାରେ ସୁକିନ୍ଦା ବ୍ଲକ୍‌ର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା (ଆଇଡେନ୍‌ଟିଫିକେସନ୍‌), ପ୍ରମାଣପତ୍ର ପ୍ରଦାନ (ସାର୍ଟିଫିକେସନ୍‌) ଏବଂ ସଂତୃପ୍ତିକରଣ (ସାଚୁରେସନ୍‌) ପ୍ରକ୍ରିୟା ସମ୍ପୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଛି ।”

ଏହି ଅବସରରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ବରିଷ୍ଠ ମହା ପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର, ଜିଲ୍ଲା ମେଡ଼ିକାଲ ଟିମ୍ ପକ୍ଷରୁ ଡଃ ନାଥ ଶର୍ମା, ଡଃ ଶାନ୍ତନୁ ସାହୁ, ଡଃ ଶ୍ରୀକାନ୍ତ କୁମାର ଜେନା, ଡଃ ସ୍ନେହାଶିଷ ଦୀକ୍ଷିତ୍‌, ଡଃ ଦେବାଶିଷ ମାନସ ରଞ୍ଜନ ପରିଡ଼ା ଏବଂ ଭେଷଜ ବିଭାଗ ବିଶେଷଜ୍ଞ ଡଃ ଜୟଦେବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସେମାନଙ୍କ ପାଇଁ ସମାନ ଅଧିକାର ଓ ସମ୍ମାନ ସୁନିଶ୍ଚିତ କରୁଥିବା ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ୨୦୧୭ ମସିହାରେ ନୋଆମଣ୍ଡିରେ ଏନେବୁଲ ଇଣ୍ଡିଆ ସହଭାଗିତାରେ ସବଳର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଭାରତରେ ଟିଏସ୍‌ଏଫ୍ ଦ୍ୱାରା ୩ଟି ସବଳ କେନ୍ଦ୍ର ପରିଚାଳିତ ହେଉଛି ।

Leave a Reply

Your email address will not be published. Required fields are marked *