କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) :୧୫ ।୩: କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକର ୧୦ ହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସଂସଦୀୟ କ୍ଷେତ୍ରର୨୦ଟି ବ୍ଲକରେ ବିଡ଼ିଓମାନଙ୍କ ଜରିଆରେ ନିଯୁକ୍ତି ପାଇଁ ମନୋନୀତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଉଥିବା ବେଳେ କେତେକ ସ୍ଥାନରେ ସାଂସଦ ଶ୍ରୀ ସାମନ୍ତ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ପରିବାରର ଖୁସି ଏବଂ ନିଜର କାରିୟର ଆଗକୁ ବଢ଼ାଇବା ପାଇଁ ଯୁବକଯୁବତୀମାନେ ଯିଏ ଯେଉଁ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସେଠାରେ ଯୋଗଦେବା ନିମନ୍ତେ ସାଂସଦ ଶ୍ରୀ ସାମନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ଶ୍ରୀ ସାମନ୍ତଙ୍କ ପ୍ରୟାସରେ କିଟ୍ ବିଶ୍ୱବିଦ୍ୟାଳୟର ସହାୟତା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଜାନୁଆରୀ ୨୧ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବକ ଯୁବତୀଙ୍କ ନିମନ୍ତେ ଫୁଲବାଣୀଠାରେ ଏକ ମେଗା ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାର ବେକାର ଯୁବକଯୁବତୀ ଯୋଗ ଦେଇଥିବା ବେଳେ ଓଡ଼ିଶା ତଥା ଭାରତର ୧୧୦ଟି କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଖୁସିର କଥା ଏହି ନିଯୁକ୍ତିମେଳାରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏଥିରୁ ଓଡ଼ିଶାର କମ୍ପାନୀ ଗୁଡ଼ିକ ୩୫୦୦ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩୫୦୦ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙ୍କ ମାସିକ ବେତନ ୧୨ହଜାର ଟଙ୍କାରୁ ୩୫ହଜାର ଟଙ୍କା ରହିଛି । ଫୁଲବାଣୀ ଭଳି ଓଡ଼ିଶାର ଏକ ଛୋଟିଆ ସହରରେ ଏଭଳି ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରିବା, ଏଥିରେ ଏତେ ସଂଖ୍ୟକ କମ୍ପାନୀ ଯୋଗଦେବା ଏବଂ ଗୋଟିଏ ଦିନରେ ଏତେ ସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ପାଇବା ଭାରତରେ ପ୍ରଥମ ବୋଲି କୁହାଯାଉଛି । ଏହି ମେଗା ନିଯୁକ୍ତି ମେଳାକୁ ଏତେ ସଂଖ୍ୟକ କମ୍ପାନୀ ଆଣିବା ପାଇଁ ସାଂସଦ ସାମନ୍ତ ୬ମାସ କାଳ ପରିଶ୍ରମ କରିଥିଲେ । ଅନ୍ୟପକ୍ଷରେ କୌଣସି ସାଂସଦଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏଭଳି ଏକ ବଡ଼ ପଦକ୍ଷେପ ବିରଳ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶାର ଯୁବକଯୁବତୀମାନେ ଶିକ୍ଷିତ ଓ ରୋଜଗାରକ୍ଷମ ହୋଇ ସଶକ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଅନୁପ୍ରାଣିତ ହୋଇ ସାଂସଦ ସାମନ୍ତ କନ୍ଧମାଳ ଜିଲ୍ଲାର ଅଧିକରୁ ଅଧିକ ଯୁବକଯୁବତୀ କିପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନ ସମୟରେ କନ୍ଧମାଳବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନର ବିକାଶ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କ୍ଷେତ୍ରରେ ଏହା ତାଙ୍କର ଏକ ପ୍ରୟାସ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।