ଝାଡ଼ଖଣ୍ଡ ତ୍ରିକୂଟ ପର୍ବତ ‘ରୋପ୍‌ୱେ’ରେ ପରସ୍ପର ସହ ଧକ୍କା ଖାଇଲେ କେତେକ କେବୁଲ୍‌ କାର୍‌; ଅନ୍ୟୂନ ୧୦ ପର୍ଯ୍ୟଟକ ଆହତ

ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍‌ୱେ’ କେତେଗୁଡ଼ିଏ କେବୁଲ୍‌ କାର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ଅନ୍ୟୂନ ୧୦ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ‌ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଜଟିଳ ଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ରୋପ୍‌ୱେ‌’ରେ ଅନ୍ୟୂନ ୧୨ଟି କ୍ୟାବିନ୍‌ ଅଟକି ଯାଇଥିବାରୁ ଅନ୍ୟୂନ ୫୦ଜଣ ବ୍ୟକ୍ତି ସେଗୁଡ଼ିକରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି।

ଉଦ୍ଧାର କାର୍ଯ୍ୟ ନିମନ୍ତେ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ଘଟଣାସ୍ଥଳରେ ମୁତୟନ ହୋଇଥିବା କଥା ଦେଓଘର ଡେପୁଟି କମିସନର୍‌ ମଞ୍ଜୁନାଥ ଭଜନ୍ତ୍ରୀ କହିଛନ୍ତି।

ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ବୈଷୟିକ ତ୍ରୁଟି ଯୋଗୁଁ କେବୁଲ୍‌ କାର୍‌ ଧକ୍କା ଖାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଧକ୍କା ପରେ କେବୁଲ୍‌ କାର୍‌ରୁ ଡେଇଁ ପଡ଼ିବାକୁ ଉଦ୍ୟମ କରିବାରୁ ଏକ ଦମ୍ପତି ସାଙ୍ଘାତିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ କହିଛି ଯେ, ତ୍ରିକୂଟ ‘ରୋପ୍‌ୱେ’ ହେଉଛି ଭାରତର ସର୍ବୋଚ୍ଚ ‘ରୋପ୍‌ୱେ’। ବାବା ବୈଦ୍ୟନାଥ ମନ୍ଦିର ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ‌‘ରୋପ୍‌ୱେ’ ପ୍ରାୟ ୭୬୬ ମିଟର୍‌ ଲମ୍ବ ହୋଇଥିବା ବେଳେ ପର୍ବତର ଉଚ୍ଚତା ୩୯୨ ମିଟର।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *