ଲକ୍ଡାଉନ୍ : ବଞ୍ôଚଯାଇଛି ଅନେକ ଜୀବନ
ପ୍ରତୀକ ଦାଶ
ମହାମାରୀ କୋଭିଡ଼-୧୯ ଭାରତରେ ସଂକ୍ରମଣର ରେକର୍ଡ଼ ଭାଙ୍ଗୁଥିବାବେଳେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ନିକଟରେ ପ୍ରକାଶ କରିଥିବା ଏକ ତଥ୍ୟ ମହାମାରୀ କାଳରେ ଏକ ଜୀବନାନୁକୂଳ ତଥ୍ୟ ପ୍ରଦାନ କରିଛି । ଦେଶର ଅର୍ଥନୀତି ଉପରେ ଲକ୍ଡାଉନ୍ ଶକ୍ତ ପ୍ରହାର ଦେଇଛି । ରୋଜଗାର ହରାଇବା ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି । କିନ୍ତୁ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଲକ୍ଡାଉନ୍ର ସକରାତ୍ମକ ପ୍ରଭାବ ପଡ଼ିଛି । ଗତ ମାର୍ଚ୍ଚ ୨୪ରୁ ମେ ୩୧ ଲକ୍ଡାଉନ୍ ଅବଧି ମଧ୍ୟରେ ସଡ଼କ ମୃତ୍ୟୁ ୬୨% ହ୍ରାସ ପାଇଛି । ୨୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିକୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ୨୦୧୯କୁ ତୁଳନା କଲେ ଉକ୍ତ ଅବଧି ମଧ୍ୟରେ ୮୯୭୬ କମ ମୃତ୍ୟୁ ଘଟିଥିବା ଉକ୍ତ ରାଜ୍ୟଗୁଡ଼ିକ ରିପୋର୍ଟ କରିଛନ୍ତି । ସେହିପରି ୨୫ ହଜାରରୁ ଉର୍ଦ୍ଧ୍ୱ ଦୁର୍ଘଟଣା ହ୍ରାସ ପାଇଥିବାବେଳେ ପ୍ରାୟ ୨୬ ହଜାର କମ୍ ଲୋକ ଆହତ ହୋଇଥିବା ନେଇ କମିଟିକୁ ତଥ୍ୟ ଦିଆଯାଇଛି । ରାଜ୍ୟଗୁଡ଼ିକର ସଡ଼କ ମୃତ୍ୟୁ ସଂଖ୍ୟା ଦେଖିଲେ ସର୍ବାଧିକ ଭାବେ ମହାରାଷ୍ଟ୍ରରେ ୧୬୩୨ଟି ହ୍ରାସ ଘଟିଛି, ଯାହାକି ଗତବର୍ଷ ତୁଳନାରେ ୬୧.୧% କମ୍ । ୨୦୧୯ ମାର୍ଚ୍ଚ ୨୪ରୁ ମେ ୩୧ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୨୬୫୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଚଳିତବର୍ଷ ସମାନ ସମୟରେ ୧୦୩୨ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପଛକୁ ଚଳିତ ବର୍ଷ ରାଜସ୍ଥାନରେ ୧୧୭୧ (ଗତବର୍ଷ ଠାରୁ ୬୮.୪% କମ୍), ଗୁଜୁରାଟରେ ୯୦୦ (ଗତବର୍ଷ ଠାରୁ ୬୪.୧%କମ), ବିହାରରେ ୮୯୮ (ଗତବର୍ଷ ଠାରୁ ୫୮.୫% କମ୍), ତେଲେଙ୍ଗାନାରେ ୬୦୪ (ଗତବର୍ଷ ଠାରୁ ୪୮.୧% କମ୍)ଟି କମ ମୃତ୍ୟୁ ଘଟିଛି । ରାଜ୍ୟ ଗୁଡ଼ିକର ସଡ଼କ ମୃତ୍ୟୁହାରକୁ ତୁଳନା କଲେ ଉତ୍ତରାଖଣ୍ଡରେ ସର୍ବାଧିକ ହ୍ରାସ ୯କ୦% ଏବଂ ଏହାପରେ କେରଳରେ ୮୮.୭% ହ୍ରାସ ଘଟିଛି । ୪ ପ୍ରମୁଖ ରାଜ୍ୟ ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଉପରୋକ୍ତ ସମୟର ତଥ୍ୟ ଦାଖଲ କରିନାହାନ୍ତି । ତଥ୍ୟକୁ ବିଶ୍ଲେଷଣ ପରେ ଜଣାପଡ଼ିଛି ଯେ, ଗତବର୍ଷ ମାର୍ଚ୍ଚ ୨୪ରୁ ମେ ୩୧ ମଧ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୩୯ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତବର୍ଷ ସମାନ ସମୟରେ ପ୍ରତି ୧୦୦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଗତବର୍ଷ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ତଥ୍ୟକୁ ତୁଳନା କଲେ ଚଳିତବର୍ଷ ପ୍ରଥମ ତିନିମାସରେ ଭାରତରେ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଶେଷକରି ମୃତ୍ୟୁସଂଖ୍ୟା ୮% ହ୍ରାସ ଅର୍ଥାତ୍ ୩୦୮୯ ଜଣଙ୍କ କମ୍ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ, ଗୋଆ, ତ୍ରିପୁରା, ପୁଡୁଚେରୀ ଏବଂ ଲଦାଖ ସମେତ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସଡ଼କ ମୃତ୍ୟୁ କମିଛି । ଏହାପଛକୁ ମହାରାଷ୍ଟ୍ର (୨୯୭), ଓଡ଼ିଶା (୨୩୪), ତାମିଲନାଡୁ (୨୨୭) ଏବଂ କେରଳରେ ଗତବର୍ଷ ତୁଳନାରେ ୨୧୫ କମ ମୃତ୍ୟୁ ଘଟିଥିବା ପଞ୍ଜୀକୃତ ହୋଇଛି । ଏହି ସମୟରେ ଦିଲ୍ଳୀରେ ୨୮୫ ଜଣଙ୍କ ସଡ଼କ ମୃତ୍ୟୁ ଘଟିଛି, ଯାହାକି ଗତବର୍ଷ ତୁଳନାରେ ୧୫୭ କମ୍ । ସଡ଼କ ସୁରକ୍ଷା କର୍ମୀମାନେ କହିଛନ୍ତି ଯେ ସଡ଼କ ମୃତ୍ୟୁ ରୋକାଯାଇପାରିବ ଏବଂ ଏହା ଈଶ୍ୱରଙ୍କ ଇଛା ନୁହେଁ । ଏହି ବାର୍ତ୍ତାକୁ ପ୍ରସାର କରିବା ପାଇଁ ଉପରୋକ୍ତ ତଥ୍ୟକୁ ଗୁରୁତ୍ୱ ଦିଆଯାଇଛି । ଇଣ୍ଟରନ୍ୟାସନାଲ ରୋଡ଼ ଫେଡେରେସନ ସୂଚାଇ କହିଛି ଯେ ଭାଗ୍ୟ ସହିତ ସଡ଼କ ଦୁର୍ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ସଡ଼କ ବ୍ୟବହାରକାରୀ, ନୀତି ନିର୍ମାତା ଏବଂ ଭିତ୍ତିଭୂମି ପ୍ରଦାନକାରୀ ନିଶ୍ଚିତ ଭାବେ ସ୍ୱୀକାର କରିବେ । ଉପରୋକ୍ତ ତଥ୍ୟରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଶକ୍ତିଶାଳୀ ମୋଟର ଯାନ ନିୟମ ଏବଂ ଉନ୍ନତ କାର୍ଯ୍ୟକାରିତା ପ୍ରଥମ ତ୍ରିମାସିକରେ କିଛି ସକାରାତ୍ମକ ଫଳାଫଳ ଆଣିଛି ।
ସୂଚନାଯୋଗ୍ୟ ସଡ଼କ ଦୁର୍ଘଟଣାରେ ପ୍ରାଣହାନି କ୍ଷେତ୍ରରେ ଭାରତ ବିଶ୍ୱର ଶୀର୍ଷ ସ୍ଥାନରେ ରହିଛି ଓ ସଡ଼କ ଦୁର୍ଘଟଣାରେ ବିଶ୍ୱର ପ୍ରତି ଦଶଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତୀୟ । ଆଉ ପ୍ରତିଦିନ ପ୍ରାୟ ୨୫୦ ଜଣ ଭାରତୀୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସବୁଠାରୁ ଉଦ୍ବେଗଜନକ ଘଟଣାଟି ଏଇଆ ମୃତକଙ୍କ ମଧ୍ୟରୁ ୮୫ ପ୍ରତିଶତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ହେଉଛନ୍ତି ସେମାନଙ୍କ ପରିବାରର ମୁଖ୍ୟ ଆୟକାରୀ ବ୍ୟକ୍ତି କିମ୍ବା କର୍ମଜୀବୀ । କେବଳ ସେତିକି ନୁହେଁ ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ ଏହି ଭୟାବହ ଦୁର୍ଘଟଣା ଯୋଗୁଁ ଦେଶର ମୋଟାମୋଟି ଘରୋଇ ଉତ୍ପାଦନର ୨ ଶତାଂଶ କ୍ଷତି ହେଉଛି । ସଡ଼କ ଦୁର୍ଘଟଣା ବର୍ତ୍ତମାନ ଉଦ୍ବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି । ସଡ଼କ ପଥର ଉନ୍ନୟନ ପାଇଁ କୋଟି କୋଟି ଟଙ୍କାର ଯୋଜନା ଓ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ଫେଲ୍ ମାରୁଛି । ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଜାତୀୟ ରାଜପଥର ଦ୍ରୁତ ସମ୍ପ୍ରସାରଣ ସହ ନୂଆ ରାଜପଥ ନିର୍ମାଣ କରାଯିବା ସହ ଯାତାୟତ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଫ୍ଲାଇଓଭର ବ୍ରିିଜ ଓ ସ୍ୱତନ୍ତ୍ର ଭାବେ ଏକ୍ସପ୍ରେସ୍ ହାଇୱେ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ସଡ଼କ ପଥର ଉନ୍ନତ ମାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ର୍ଦୁଭାଗ୍ୟଜନକ ପ୍ରସଙ୍ଗ ହେଉଛି ସମୁଦାୟ ଦୁର୍ଘଟଣା ଜନିତ କାରଣକୁ ପରବର୍ତ୍ତୀ ସମୟରେ ଅନୁସନ୍ଧାନ କଲାପରେ ଜଣାପଡ଼ୁଛି ଯେ ମଦପଇ ବା ନିଶାସକ୍ତଜନିତ ଦୁର୍ଘଟଣା ସର୍ବାଧିକ ଭାବେ ୧୪ ପ୍ରତିଶତ ହେଉଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥାର କୁପରିଣତି ପାଇଁ ୭ ଭାଗ ଦୁର୍ଘଟଣା ଘଟୁଛି । ସାଧାରଣତଃ ସଡ଼କର ଅବସ୍ଥା ଖରାପ । ଟ୍ରାଫିକ୍ ନିୟମର ଅବହେଳା, ନିଶାସକ୍ତ ଭାବେ ଗାଡ଼ି ଚଳାଇବା, ଅପରାଧୀମାନେ ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚାଳନା ନ ଜାଣିଥିବା ଅନଭିଜ୍ଞ ଚାଳକଙ୍କ ଦ୍ୱାରା ଗାଡ଼ି ଚାଳନା, ଟ୍ରାଫିକ୍ ପୋଲିସ୍ର ଅନ୍ୟମନସ୍କତା ଓ ସ୍ଥଳବିଶେଷରେ ଟ୍ରାଫିକ୍ ପ୍ରତିବନ୍ଧକ ନ ରହିବା ଯୋଗୁଁ ସଡ଼କ ଦୁର୍ଘଟଣା ସଂଘଟିତ ହୋଇଥାଏ । ତେବେ ସବୁଠାରୁ ଉଦ୍ବେଗଜନକ ଘଟଣା ହେଉଛି ଦୁର୍ଘଟଣା ସମୟରେ ଦୁର୍ଗତ ମାନଙ୍କୁ ଜରୁରୀକାଳୀନ ମେଡ଼ିକାଲ ସେବା ବ୍ୟବସ୍ଥା ଯୋଗାଇବା ପାଇଁ ସେପରି ଆଶୁପ୍ରଦ ବ୍ୟବସ୍ଥା ଭାରତ ବର୍ଷରେ ନାହିଁ । କିନ୍ତୁ ପୃଥିବୀର ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ଏ ନେଇ ପ୍ରଶାସନିକ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ସମସ୍ତ ରାଜପଥରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ପ୍ରଚଳିତ ରହିଛି । ସମ୍ପ୍ରତି ଆମ ଦେଶରେ ୭୦୫୪୮ କି.ମି. ସଡ଼କ ରହିଥିବା ବେଳେ ସେଥିମଧ୍ୟରୁ ୪୨୪୬୯ କି.ମି. ରାଜ୍ୟଗୁଡ଼ିକର ପବ୍ଳିକ୍ ୱାର୍କସ ଡିପାର୍ଟମେଣ୍ଟ ଅଧୀନରେ ରହିଛି । ୧୯୫୬୯ କି.ମି. ଜାତୀୟ ରାଜପଥ ଅଧୀନରେ ରହିଛି । ୩୯୯୨ କି.ମି. ସୀମାନ୍ତ ରୋଡ଼ ଅର୍ଗାନାଇଜର ସଂଗଠନ ଅଧୀନରେ ରହିଥିବା ବେଳେ ୪୪୯୧ କି.ମି. ସଡ଼କରେ ଦାୟୀତ୍ୱ କୌଣସି ସଂସ୍ଥାକୁ ଦିଆଯାଇନାହିଁ । ସମୁଦାୟ ଗାଡ଼ି ଓ ପଥଚାରୀଙ୍କ ପରିସଂଖ୍ୟାନ ହେଉଛି ଏଇଆ ଯେ ସମୁଦାୟ ଯାତାୟତ ଭିତରୁ ୩.୭% ବସ୍ ଟ୍ରକ୍ ହୋଇଥିଲା ବେଳେ ୫.୩ ଭାଗ ଅଟୋ ଭ୍ୟାନ୍ । କାର୍ ଓ ଜିପ୍ ୧୭.୧, ତିନିଚକିଆ ଯାନ ୫.୭ ଓ ସବୁଠାରୁ ଅଧିକ ଚଳାଚଳ କରୁଥିବା ଦୁଇଚକିଆ ଯାନର ଭାଗ ହେଉଛି ୨୧.୮ । ସେହିପରି ଅବଶିଷ୍ଟାଂଶ ୮.୮ ଭାଗ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଥିବାବେଳେ ୮.୮ ଭାଗ ପଥଚାରୀ ଯାତାୟତ କରିଥାନ୍ତି । ସଡ଼କଗୁଡ଼ିକର ମାନ ଧାର୍ଯ୍ୟ ଅନୁସାରେ ପୂର୍ଣ୍ଣ ହୋଇପାରୁ ନାହିଁ । ଯାହା ପାଇଁ ଦୈନନ୍ଦିନ ଯାତାୟତ କରୁଥିବା ସାଧାରଣ ପଥଚାରୀଠାରୁ ସାଇକେଲ ଆରୋହୀ ଓ ମୋଟର ବାଇକ୍ ଚାଳକଙ୍କ ମଧ୍ୟରେ ସହରାଞ୍ଚଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୮୪ ପ୍ରତିଶତରେ ପହଞ୍ôଚଥିବାବେଳେ ଜାତୀୟ ରାଜପଥରେ ଏହି ହାର ୯୭ ପ୍ରତିଶତରେ ପହଞ୍ôଚଛି । ନୂତନ ସଡ଼କଗୁଡ଼ିକରେ ଯାନବାହନଗୁଡ଼ିକରେ ଦ୍ରୁତ ଗତିରେ ଯାତାୟତ ପାଇଁ ଅନୁମତି ଦିଆଯାଉଥିବାବେଳେ ପଥଚାରୀ, ସାଇକେଲ ଚାଳକ ଓ ଦୁଇଚକିଆ ଚାଳକମାନଙ୍କ ନିରାପତ୍ତା ବ୍ୟବସ୍ଥା ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିଁ । ସେହିପରି ବାସଗୃହ ନିଥିବା ଓ ଫୁଟ୍ପାଥ୍ରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ଉଦ୍ବେଗଜନକ ଭାବେ ଆଶଙ୍କା ଭିତରକୁ ଠେଲି ଦେଉଛି । ତେବେ ସଚେତନତା ସହ ସଡ଼କ ପରିବହନ କ୍ଷେତ୍ରରେ ସାଧାରଣ ପଥଚାରୀଠାରୁ ଯାନବାହନ ଚାକକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସର୍ବାଦୌ ବାଞ୍ଛନୀୟ ।
ଆଇନଜୀବୀ
ସନ ହସ୍ପିଟାଲ ଲେନ୍, ଶ୍ରୀବିହାର କଲୋନୀ
ତୁଳସୀପୁର, କଟକ-୮, ଦୂରଭାଷ : ୯୮୫୩୮୪୭୪୧୪
