ମହାନ୍ ବିଭୂତି ଶ୍ରୀମଜ୍ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ
ମନୋଜ କୁମାର ରଥ
ଦେବଭୂମି ଭାରତବର୍ଷରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ଯେତେବେଳେ ଖ୍ରୀ.ପୂ. ୫୦୭ ବର୍ଷରେ କେରଳର କାଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭଗବାତ୍ପାଦ ଆଦିଶଙ୍କର । ଘଡ଼ିସନ୍ଧି ମୁହୂର୍ତରେ ଶିବାବତାର ଆଦିଶଙ୍କର ଶାସ୍ତ୍ରାର୍ଥଦ୍ୱାରା ସନାତନ ଧର୍ମବିରୋଧିମାନଙ୍କୁ ଧରାଶାୟୀ କରି ସନାତନ ଧର୍ମର ନମିତ ଧ୍ୱଜାକୁ ଉନ୍ନିତ କରି ଅଖଣ୍ଡ ଭାରତବର୍ଷରେ ଉଡ଼ାଇଥିଲେ । ବିଶାଳ ଭାରତ ଭୂଖଣ୍ଡର ଚତୁର୍ଦିଗରେ ଚାରିଗୋଟି ମଠ ପ୍ରତିଷ୍ଠା କରିଥିଲେ । ଉକ୍ତ ମଠର ମଠାଧୀଶମାନଙ୍କୁ ଶଙ୍କରାଚାର୍ଯ୍ୟ ପଦରେ ବିଭୂଷିତ କରି ଗୁରୁଦାୟିତ୍ୱ ଅର୍ପଣ କରିଥିଲେ । ଏହି ମଠର ଶଙ୍କରାଚାର୍ଯ୍ୟ ସନାତନ ହିନ୍ଦୁ ଧର୍ମର ଅସ୍ତିତ୍ୱ ଏବଂ ଆଦର୍ଶକୁ ରକ୍ଷା କରିବା ପାଇଁ ପରିବ୍ରାଜକାଚାର୍ଯ୍ୟ ରୂପରେ ଅଖଣ୍ଡ ଭାରତ ଭ୍ରମଣ କରି ବୈଦିକ ବାଙ୍ମୟର ପ୍ରଚାର-ପ୍ରସାର କରିବେ । ରାଜା ବା ଶାସନମୁଖ୍ୟଙ୍କୁ ସୁଶାସନ ନିମନ୍ତେ ମାର୍ଗଦର୍ଶନ କରିବେ । ଦାୟିତ୍ୱହୀନ ତଥା ପ୍ରଜାପାଳନରେ ବିଫଳ ଶାସନତନ୍ତ୍ରକୁ ନିଜ ଦିବ୍ୟଶକ୍ତି ବଳରେ ଗାଦିଚ୍ୟୁତ କରି ଧର୍ମନିୟନ୍ତ୍ରିତ, ପକ୍ଷପାତବିହୀନ, ଶୋଷଣବିନିର୍ମୁକ୍ତ, ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ପ୍ରତିଷ୍ଠା କରିବେ । ମଠ-ମନ୍ଦିରଗୁଡ଼ିକୁ ସମାଜର ଶିକ୍ଷା, ରକ୍ଷା, ନ୍ୟାୟ, ସଂସ୍କୃତି, ସେବା, ଧର୍ମ, ମୋକ୍ଷର ଅନୁଷ୍ଠାନ ରୂପେ ଉଦ୍ଭାସିତ କରିବେ ।
ଏହି କ୍ରମରେ ମହୋଦଧି ତଟରେ ପୁରୁଷୋତମ କ୍ଷେତ୍ରରେ ଆଦିଶଙ୍କର ଗୋବର୍ଦ୍ଧନମଠ ପ୍ରତିଷ୍ଠା କରି ବୈଶାଖ ଶୁକ୍ଳ ଦଶମୀ ତିଥିରେ ନିଜର ପ୍ରଥମ ଶିଷ୍ୟ ଆଚାର୍ଯ୍ୟ ପଦ୍ମପାଦଙ୍କୁ ଶଙ୍କରାଚାର୍ଯ୍ୟ ରୂପେ ଅଭିଷିକ୍ତ କଲେ । ବହୁବର୍ଷ ଧରି ପାତାଳି ଥିବା ଶ୍ରୀବିଗ୍ରହଙ୍କୁ ଉଦ୍ଧାର କରି ଶ୍ରୀମନ୍ଦିର ରତ୍ନସିଂହାସନରେ ପୁନଃ ପ୍ରତିଷ୍ଠା କରିଥିଲେ । ପୁନର୍ବାର ସମସ୍ତ ସେବକ ଓ ବ୍ରାହ୍ମଣମାନଙ୍କୁ ସେବା, ପୂଜା, ପ୍ରତିଷ୍ଠା ଦାୟିତ୍ୱ ଅର୍ପଣ କରି ପୂଜା, ରୀତି, ନୀତି, ପର୍ବ-ପର୍ବାଣୀର ଶୁଭାରମ୍ଭ କରିଥିଲେ ।
ଇତିମଧ୍ୟରେ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ବର୍ଷ ବିତିଯାଇଛି । ବହୁ ଉତ୍ଥାନ-ପତନ ଭିତରେ ଗୋବର୍ଦ୍ଧନମଠ ନିଜର ଅସ୍ତିତ୍ୱ ବଜାୟ ରଖିଛି । ଏହି ମହାନ୍ ପୀଠର ୧୪୫ ତମ ଶଙ୍କରାଚାର୍ଯ୍ୟରୂପେ ମହାନ୍ ସନ୍ଥ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ୧୯୯୨ ମସିହା ବସନ୍ତପଂଚମୀ ଦିନ ଗାଦିସୀନ ହେଲେ । ୧୯୪୩ ମସିହା ଆଷାଢ କୃଷ୍ଣ ତ୍ରୟୋଦଶୀ ତିଥିରେ ବିହାର ପ୍ରଦେଶର ମିଥିଳାଂଚଳ କ୍ଷେତ୍ରର ମଧୁବନୀ ଜିଲ୍ଲା ଅନ୍ତର୍ଗତ ଏକ ନିପଟ ମଫସଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଲାଲବଂଶୀ ଝା ଓ ମାତା ଗୀତା ଦେବୀଙ୍କ ଔରସରୁ ଜନ୍ମିତ ବାଳକଙ୍କ ନାମକରଣ ନୀଳାମ୍ବର ଝା କରାଗଲା । ବାଲ୍ୟାବସ୍ଥାରେ ଗାଁରୁ ଆସି ବଡ଼ଭାଇଙ୍କ ପାଖରେ ଦିଲ୍ଲୀରେ ଦିଲ୍ଲୀକଟନମିଲସ୍ର ହାଇୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢ଼ିଲେ । କିନ୍ତୁ ୧୭ ବର୍ଷ ବୟସରେ ଆଧ୍ୟାତ୍ମିକ ମାର୍ଗରେ ନିଜ ଜୀବନକୁ ସମାଜ କଲ୍ୟାଣ ପାଇଁ ବିନିଯୋଗ କରିବାର ବଜ୍ର ଶପଥ ନେଲେ । ପରବର୍ତୀ ସମୟରେ ବିଭିନ୍ନ ଅଲୌକିକ ଘଟଣା ଗୃହତ୍ୟାଗୀ ନୀଳାମ୍ବରଙ୍କ ଜୀବନରେ ଘଟିଲା । ଉତରପ୍ରଦେଶର ଝାନ୍ସୀ ଜିଲ୍ଲାର ନୈମିଷ ଆଶ୍ରମରେ ବ୍ରହ୍ମଚର୍ଯ୍ୟ ଦୀକ୍ଷା ନେଇ ବ୍ରହ୍ମଚାରୀ ଧ୍ରୁବଚୈତନ୍ୟ ନାମରେ ପୁନଃ ନାମକରଣ ହେଲା । ଅଧ୍ୟୟନ ଓ ସାଧନାର ବିଭିନ୍ନ ସୋପାନ ଅତିକ୍ରମ କରିବାକୁ ଲାଗିଲେ ଧ୍ରୁବଚୈତନ୍ୟ । ପରବର୍ତୀ ସମୟରେ ଧର୍ମସମ୍ରାଟ୍ କରପାତ୍ରୀଜୀ ମହାରାଜଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ । ପୁନର୍ବାର ନାମରେ ପରିବର୍ତନ ହେଲା । ସେ ହୋଇଗଲେ ଦଣ୍ଡୀ ସନ୍ନ୍ୟାସୀ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଖାଲି ପାଦରେ ସାରା ଭାରତ ଭ୍ରମଣ କଲେ । ଆକୁମାରୀ ହିମାଚଳ ଭ୍ରମଣ କରି ସାଧନା ଜାରି ରଖିଲେ ଓ ଜ୍ଞାନ ପିପାସା ବଢ଼ି ଚାଲିଲା । ସ୍ୱାମୀଜୀଙ୍କର ପ୍ରଚଣ୍ଡ ଜ୍ଞାନ ପିପାସାକୁ ଦେଖି ଧର୍ମସମ୍ରାଟ୍ ନିଜେ ଓ ପୁରୀ ଗୋବର୍ଦ୍ଧନମଠର ୧୪୪ ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନଦେବତୀର୍ଥ ତାଙ୍କୁ ବ୍ରହ୍ମବିଦ୍ୟା ପଢ଼ାଇବାକୁ ଆରମ୍ଭ କଲେ । ଗୁରୁମାନଙ୍କର ଆଶୀର୍ବାଦ ଫଳରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଜି ଦୁଇଶହରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା । ତନ୍ମଧ୍ୟରୁ ବାରଗୋଟି ଗଣିତ ପୁସ୍ତକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପୁରୀ-ପୀଠର ଶଙ୍କରାଚାର୍ଯ୍ୟରୂପେ ଦାୟିତ୍ୱ ନେବା ପରେ ପୀଠର ଗାରିମା ଓ ଶଙ୍କରାଚାର୍ଯ୍ୟ ପଦର ମର୍ଯ୍ୟାଦାକୁ ଋଦ୍ଧିମନ୍ତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଚାଲିଛନ୍ତି । କେନ୍ଦ୍ରୀୟ ବା ପ୍ରାନ୍ତୀୟ ଶାସନତନ୍ତ୍ର ସହ ଅସୈଦ୍ଧାନ୍ତିକ ସାମଞ୍ଜସ୍ୟକୁ ପ୍ରଶ୍ରୟ ନ ଦେବା କାରଣରୁ ଅନେକ ସମୟରେ ବିବାଦର ସୂତ୍ରପାତ ହୋଇଛି । ଏପରିକି ପୀଠର ୩୩ ଏକର ଜମିରୁ ଜବରଦଖଲକାରୀଙ୍କ କବଳରୁ ରକ୍ଷା ହୋଇଥିବା ପ୍ରାୟ ଚାରି ଏକର ଜମିକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିଜ ନାମରେ ରେକର୍ଡ କରାଇନେଲେ । ପୂଜ୍ୟପାଦଙ୍କ ସତ୍ୟ ସଙ୍କଳ୍ପ ଓ ପ୍ରବଳ ଇଚ୍ଛାଶକ୍ତି ଯୋଗୁଁ ପୁନର୍ବାର ସେହି ଜମି ଗୋବର୍ଦ୍ଧନମଠକୁ ଫେରି ଆସିଛି । ଶ୍ରୀଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପର ମହାନାୟକ ଭାବରେ ନିଜ ଦାୟିତ୍ୱକୁ ନିର୍ବାହ କରି ସାଧାରଣ ଜନତାଙ୍କର ଆସ୍ଥାଭାଜନ ହୋଇଛନ୍ତି । ଗର୍ଭଗୃହରେ ମରାମତି ସମୟରେ ଶ୍ରୀବିଗ୍ରହଙ୍କ ସ୍ଥାନାନ୍ତକରଣ ନିଷ୍ପତି, ନାଗାର୍ଜୁନ ବେଶ, ଗୋବିନ୍ଦଦ୍ୱାଦଶୀ ବୁଡ, ପଞ୍ଜିକା ଐକ୍ୟକରଣ, ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ ନିର୍ଣ୍ଣୟ, କରୋନା ସମୟରେ ମନ୍ଦିର ଭିତରେ ଚନ୍ଦନଯାତ୍ରା ଓ ରଥ ଅନୁକୂଳ ପରି ଅନେକ ନିର୍ଣ୍ଣୟ ଇତିହାସ ସୃଷ୍ଟି କରିଛି । ବର୍ଷକୁ ପ୍ରାୟ ୨୪୦ ଦିନ ଭାରତ, ନେପାଳ ଆଦି ଭ୍ରମଣ କରି ଧର୍ମପ୍ରଚାର କରୁଥିବା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭାରତର ବୈଦ୍ୟନାଥ ଧାମ, କଲିକତା ହାଇକୋର୍ଟ, ହଲାଣ୍ଡ ସରକାର, ମିଳିତ ଜାତିସଂଘ, ଅନ୍ୟାନ୍ୟ ଦେଶୀୟ ରାଷ୍ଟ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଧାର୍ମିକ ନିର୍ଣ୍ଣୟ ମାଗିଛନ୍ତି ଏବଂ ପ୍ରଦତ ନିର୍ଣ୍ଣୟକୁ ସଂଶୋଧନ, ପରିବର୍ଦ୍ଧନ ବିନା ଲାଗୁ କରିଛନ୍ତି ।
ଇସ୍ରୋ, ଆଇ.ଆଇ.ଏସ.ସି., ଆଇ.ଆଇ.ଟି., ଜେ.ଏନ.ୟୁ., ବି.ଏଚ୍.ୟୁ., ଆଇ.ଆଇ.ଏମ୍., ଚାଟାର୍ଡ଼ ଆକାଉଟାଂଟ ଇନିଷ୍ଟିଚ୍ୟୁଟ୍, ଭାରତର ସୁପ୍ରିମ କୋର୍ଟ, ଆହ୍ଳାବାଦର ହାଇକୋର୍ଟ ଓ ବିଶିଷ୍ଟ ବୈଜ୍ଞାନିକ, ସାମାଜିକ, ଶିକ୍ଷଣ ସଂସ୍ଥାନମାନଙ୍କରେ ପୂଜ୍ୟପାଦ ସାରଗର୍ଭକ ଭାଷଣ ପ୍ରଦାନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
