ଭିକ୍ଷାବୃତ୍ତି
ଡକ୍ଟର ବାସୁଦେବ ମିଶ୍ର
ପ୍ରାଚୀନ କାଳରେ ସିଦ୍ଧ ଗୁରୁମାନେ ଗ୍ରାମଠାରୁ ଦୂରବର୍ତ୍ତୀ ଘଞ୍ଚ ବନାନୀମଧ୍ୟରେ ପ୍ରତିଷ୍ଠା କରୁଥିôଲେ ଆଶ୍ରମ ଗୁରୁକୁଳ ବିଦ୍ୟାଳୟ । ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା ପରେ ପିତା ନିଜର ପୁତ୍ରକୁ ବିଦ୍ୟାଧ୍ୟୟନ ନିମିତ୍ତ ଗୁରୁକୁଳକୁ ନେଇ ଗୁରୁଙ୍କୁ ସମର୍ପଣ କରୁଥିଲେ । ତେବେ ଏହି କଥାଟି ଗ୍ରାମର ସମସ୍ତ ବାଳକମାନଙ୍କ କ୍ଷେତ୍ରରେ ସମ୍ଭବ ନଥିଲା । ବାଳକମାନଙ୍କର ବୁଦ୍ଧିର ତୀବ୍ରତା ତଥା ଅଧ୍ୟୟନରେ ଆଗ୍ରହ ଓ ନିଷ୍ଠାକୁ ପରୀକ୍ଷା କରି ଗୁରୁମାନେ ଶିଷ୍ୟ ଗ୍ରହଣ କରୁଥିଲେ । ସୁଦୀର୍ଘ କାଳ(ପ୍ରାୟ ବାରବର୍ଷ) ଆଶ୍ରମରେ ଅବସ୍ଥାନ କରି ବାଳକଟି ବିଦ୍ୟାଧ୍ୟୟନରେ ବ୍ରତୀ ରହୁଥିଲା । ସେଠାରେ ଶାସ୍ତ୍ରୀୟ ବିଦ୍ୟା ଅଧ୍ୟୟନ କରିବା ସହିତ ତାକୁ କିଛି ପରିମାଣରେ କୃଷି ଏବଂ ପଶୁପାଳନର ଦାୟିତ୍ୱ ମଧ୍ୟ ନେବାକୁ ପଡୁଥିଲା । ବିଦ୍ୟାଧ୍ୟୟନର ପ୍ରମୁଖ ଭାଗ (ସ୍ନାତକ) ଶେଷ ହେବାବେଳକୁ ବାଳକଟି ଯୁବକରେ ପରିଣତ ହେଉଥିଲା । ଅଧ୍ୟୟନ ଶେଷରେ ସେଠାରେ ଅନୁଷ୍ଠିତ ହେଉଥିବା ସମାବର୍ତ୍ତନ ଉତ୍ସବ (ଉକ୍ଟଦ୍ଭଙ୍ଖକ୍ଟମବଗ୍ଧସକ୍ଟଦ୍ଭ)ରେ ଗୁରୁଙ୍କଠାରୁ ଆଶୀର୍ବାଦ ତଥା ଉପଦେଶ ଗ୍ରହଣ କରି ସେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲା । ଆଶ୍ରମର ପରିଚାଳନା ମୁଖ୍ୟତଃ ଗୁରୁଦେବଙ୍କର ଦାୟିତ୍ୱ ହୋଇଥିଲେ ମଧ୍ୟ ଆଶ୍ରମବାସୀ ପ୍ରତ୍ୟେକଙ୍କର ତହିଁରେ ଯୋଗଦାନ ରହୁଥିଲା । ସେଠାରେ ରହିଥିବା ବୃକ୍ଷରାଜିର ଯତ୍ନନେବାଠାରୁ ଆରମ୍ଭ କରି ଯଜ୍ଞ ଓ କୃଷିକାର୍ଯ୍ୟ ସମ୍ପାଦନ ତଥା ପଶୁପାଳନାଦି ସହିତ ଆଶ୍ରମବାସୀ ବାଳକମାନେ ପ୍ରତ୍ୟକ୍ଷ ଭାବରେ ଜଡିତ ରହୁଥିଲେ
ଆଶ୍ରମ ପରିଚାଳନା ଦୃଷ୍ଟିରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆୟର ପନ୍ଥା ଥିଲା ଭିକ୍ଷାବୃତ୍ତି । ପରିଚାଳନାଗତ ଆବଶ୍ୟକତା ହେତୁ କିଛି ଅନ୍ତେବାସୀଙ୍କୁ ଭିକ୍ଷାବୃତ୍ତି କରିବା ନିମିତ୍ତ ଗୁରୁ ନିର୍ଦ୍ଦେଶ ଦେଉଥିଲେ । ଆଜିର ସମୟଠାରୁ ସେ ସମୟ ଥିଲା ବହୁ ଦୃଷ୍ଟିକୋଣରୁ ଭିନ୍ନ । ଆଜି ଏକବିଂଶ ଶତାବ୍ଦୀରେ ରହି ସେ ସମୟର ସାମାଜିକ ଜୀବନଧାରା ତଥା ଆବଶ୍ୟକତା, ଜନସାଧାରଣଙ୍କର ରୁଚି ଓ ମାନସିକତାକୁ କଳନା କରିବା କଷ୍ଟକର । ପ୍ରାଚୀନ କାଳରେ ଲୋକେ ଭିକ୍ଷାବୃତ୍ତି ପ୍ରତି ସହନଶୀଳ ତଥା ଶ୍ରଦ୍ଧାଶୀଳ ଥିବା ଲକ୍ଷ୍ୟ କରାଯାଏ । କେହି ରୋଗୀ ତଥା ଅକର୍ମଣ୍ୟ ବ୍ୟକ୍ତି ଅନନ୍ୟୋପାୟ ହୋଇ ଭିକ୍ଷାବୃତ୍ତିକୁ ଜୀବିକାରୂପେ ଗ୍ରହଣ କରିଥିଲେ ଲୋକେ ତାକୁ ସାହାଯ୍ୟ ସହଯୋଗ କରିବାର ମନୋବୃତ୍ତି ରଖୁଥିଲେ । ଏତଦ୍ବ୍ୟତୀତ ବ୍ରହ୍ମଚାରୀ ଭିକ୍ଷୁମାନଙ୍କ ପ୍ରତି ଗ୍ରାମମାନଙ୍କରେ ସାଧାରଣ ଜନତା କାୟମନୋବାକ୍ୟରେ ଶ୍ରଦ୍ଧାଶୀଳ ଥିଲେ । ଭିକ୍ଷାବୃତ୍ତି ସେ ସମୟରେ ଏକ ନିନ୍ଦନୀୟ ବୃତ୍ତି ନଥିଲା । ଭିକ୍ଷୁକମାନେ ଶ୍ରଦ୍ଧାର ପାତ୍ର ଥିଲେ । କାରଣ ଜନପଦକୁ ଯାଉଥିବା ପ୍ରାୟ ପ୍ରତ୍ୟେକ ଭିକ୍ଷୁ ପରମ ଜ୍ଞାନୀ ଥିଲେ । କିଛି ଲୋକ ପ୍ରତିଦିନ ଶ୍ରଦ୍ଧାର ସହିତ ସେମାନଙ୍କୁ କିଛି ଦାନ କରିବା ନିମିତ୍ତ ଅପେକ୍ଷା କରି ରହୁଥିଲେ । ବିଦ୍ୟାର୍ଥୀ ବ୍ରହ୍ମଚାରୀମାନଙ୍କୁ ଅର୍ଥଦାନ କରିବା କ୍ଷେତ୍ରରେ ସେମାନଙ୍କର ଚରମ ଏବଂ ପରମ ଶ୍ରଦ୍ଧା ପ୍ରକଟିତ ହେଉଥିଲା । ତାର କାରଣ ହେଲା ସେମାନେ ଜାଣିଥିଲେ ଯେ ସମଗ୍ର ବିଶ୍ୱର କଲ୍ୟାଣନିମିତ୍ତ ପ୍ରତିଦିନ ଆଶ୍ରମରେ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରାଯାଇଥାଏ । ଆଶ୍ରମର ଅନ୍ତେବାସୀ ତଥା ଗୁରୁମାନଙ୍କର ଭୋଜନ, ବସ୍ତ୍ର ଏବଂ ଅନ୍ୟାନ୍ୟ ବ୍ୟୟ ନିମିତ୍ତ ଅର୍ଥ ନିତାନ୍ତ ଆବଶ୍ୟକ । ତେବେ ଏ ସବୁ ସହିତ ଆଶ୍ରମର ପରିଚାଳନା ନିମିତ୍ତ ଯେତିକି ଆବଶ୍ୟକ, ସେତିକି ଅର୍ଥ ଗୁରୁଙ୍କର ନିର୍ଦ୍ଦେଶକ୍ରମେ ବିଦ୍ୟାର୍ଥୀ ବ୍ରହ୍ମଚାରୀମାନେ ନଗରରୁ ସଂଗ୍ରହ କରିଥାନ୍ତି, ଏକଥା ଜନସାଧାରଣଙ୍କୁ ଜଣାଥିଲା । ଏହି ଅର୍ଥ ବିନା ଆଶ୍ରମର ପରିଚାଳନା ସମ୍ଭବ ନୁହେଁ କିମ୍ବା ଅଧ୍ୟୟନରତ ବାଳକମାନଙ୍କର ଆଶ୍ରମରେ ରହିବା ଏବଂ ଅଧ୍ୟୟନ କରିବା ସମ୍ଭବ ହେବନାହିଁ । ସେମାନେ ନିଜେ ବିଦ୍ୟାର ଅଧିକାରୀ ହୋଇ ନଥିଲେ ସତ କିନ୍ତୁ ସେମାନଙ୍କ ମନରେ ବିଦ୍ୟା ପ୍ରତି ଅକାତର ଶ୍ରଦ୍ଧା ଓ ସମ୍ମାନ ଥିଲା । ଏହି ବ୍ରହ୍ମଚାରୀଗଣ ଭାରତୀୟ ସଂସ୍କୃତି, ପରମ୍ପରା ଓ ଜ୍ଞାନର ବାହକ ଥିଲେ ଏବଂ ପିତାମାତାଙ୍କ ଠାରୁ ଦୂରରେ ରହି ତପସ୍ୟାମୟ ଜୀବନ ଯାପନ କରୁଥିôôଲେ । ଆଶ୍ରମରେ ସଂସ୍କାରମୟ ଜୀବନଯାପନ କରିବାର ଛାୟା ସେମାନଙ୍କର ଆଚାର ବ୍ୟବହାରରେ ସ୍ପଷ୍ଟ ପ୍ରତିଫଳିତ ଥିଲା । ସମସ୍ତ ନାଗରିକଙ୍କର ଏହା ଆଶା ଓ ବିଶ୍ୱାସ ଥିଲା- ଏହି ବାଳକମାନେ ଅଧ୍ୟୟନ ଶେଷରେ ନଗରକୁ ଫେରିଆସି ସେମାନଙ୍କର ସମଗ୍ର ଅଧ୍ୟୟନର ସାରାଂଶ ସେମାନଙ୍କୁ ନିଶ୍ଚୟ ଶୁଣାଇବେ । ତେଣୁ ସାଧାରଣ ଜନତା ସେମାନଙ୍କୁ ସ୍ନେହବଶତଃ ଦାନ କରୁଥିଲେ । ଆଜି ବି ପ୍ରାଚୀନ ଶିକ୍ଷାପଦ୍ଧତିର ଅବଶିଷ୍ଟାଂଶରୂପେ ବ୍ରାହ୍ମଣବାଳକର ଉପନୟନ କର୍ମ ସମୟରେ ବ୍ରହ୍ମଚାରୀ ଭିକ୍ଷା ସଂଗ୍ରହ କରେ । ନିଜର ପିତାମାତାଙ୍କୁ ଭିକ୍ଷା ମାଗେ- ମାତଃ! ଭିକ୍ଷାଂ ଦେହି । ପିତଃ! ଭିକ୍ଷାଂ ଦେହି । ଏପରି ଭିକ୍ଷା ମାଗିବାର ଅର୍ଥ ହେଲା ଏବେର ସମାଜରେ ପରିବାର ଆନୁକୁଲ୍ୟରେ ବ୍ରତୋପନୟନର ଆୟୋଜନ କରାଯାଇଥିଲେ ମଧ୍ୟ କିଛି ସମୟପାଇଁ ସେ ଆଶ୍ରମରେ ଅଧ୍ୟୟନରତ ବାଳକର କର୍ତ୍ତବ୍ୟ କରୁଥାଏ । ଜନପଦକୁ ଆସି ଭିକ୍ଷା ସଂଗ୍ରହ କରେ ଆଶ୍ରମର ଆବଶ୍ୟକତା ଦୃଷ୍ଟିରୁ । ଗୁରୁଙ୍କ ନିର୍ଦ୍ଦେଶରେ । ଭିକ୍ଷାରେ ତାକୁ ଯାହା ପ୍ରାପ୍ତ ହେବ, ତାହା ସେ ନେଇ ଗୁରୁଙ୍କୁ ସମର୍ପଣ କରିବ । ଗୁରୁ ସେହି ଅର୍ଥରେ ଆଶ୍ରମ ପରିଚାଳନାର ବ୍ୟବସ୍ଥା କରିବେ । ସେ ସମୟରେ ଏହି ଭିକ୍ଷାସଂଗ୍ରହ ଲଜ୍ଜ୍ୟା, ଅପମାନ କିମ୍ବା ହୀନମନ୍ୟତାର କଥା ନଥିଲା । ବରଂ ଏହା ଶ୍ରଦ୍ଧା ଏବଂ ସମ୍ମାନର କଥା ଥିଲା । ସେଥିପାଇଁ ପିତାମାତା, ବନ୍ଧୁବାନ୍ଧବ, ପରିଚିତ ଅଥବା ଅପରିଚିତ, କେହି ବି ବ୍ରହ୍ମଚାରୀ ବାଳକକୁ କିଛି ଅର୍ଥ ଦାନ କରନ୍ତି ଶ୍ରଦ୍ଧାରେ, ସନ୍ତୋଷ ଏବଂ ସମ୍ମାନର ସହିତ ।
ଆଉ କିଛି ମହତ ଉଦ୍ଦେଶ୍ୟ ନେଇ କିଛି ଲୋକେ ମିଳିତଭାବରେ ଜନସାଧାରଣଙ୍କଠାରୁ ଭିକ୍ଷା ସଂଗହ କରିବା ଦେଖାଯାଏ । ମନ୍ଦିର ଗଢିବା, ସାମାଜିକ ଅନୁଷ୍ଠାନ, ଚିକିତ୍ସାଳୟ ଅଥବା ସେପରି କିଛି ସାମାଜିକ କାର୍ଯ୍ୟକ୍ରମ କରିବା ନିମିତ୍ତ ବହୁ ଅର୍ଥର ଆବଶ୍ୟକତା ଥାଏ । ଜଣେ ଲୋକ ଯେତେ ଧନୀ ହେଲେ ମଧ୍ୟ ଏତେ ପରିମାଣର ଧନ ବ୍ୟୟ କରିବା ହୁଏତ ତାଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ । ତେଣୁ ଆଜି ମଧ୍ୟ ଜନସାଧାରଣଙ୍କଠାରୁ ଧନସଂଗ୍ରହ କରିବାର ପରମ୍ପରା ରହିଛି । ତା ଦ୍ୱାରା ଅନ୍ୟପ୍ରକାର ଲାଭ ମଧ୍ୟ ରହିଛି । ତା ଦ୍ୱାରା ଅନୁଷ୍ଠାନକୁ କେହି ନିଜର ଅନୁଷ୍ଠାନ ବୋଲି ଦାବୀ କରିପାରନ୍ତି ନାହିଁ । ସମସ୍ତଙ୍କର ସମାନ ଅଧିକାର ରହେ ଏବଂ ସମସ୍ତେ ଅନୁଷ୍ଠାନଟିକୁ ନିଜର ବୋଲି ମନେ କରନ୍ତି । ଆଜି ବି ମନ୍ଦିରଟିଏ ତୋଳିବା ଅଥବା ସେପରି କିଛି ଧର୍ମାନୁଷ୍ଠାନ କରିବା କ୍ଷେତ୍ରରେ ଅତି କମ୍ରେ ପାଞ୍ଚଜଣଙ୍କଠାରୁ କିଛି ଅର୍ଥ ଭିକ୍ଷା କରିବାର ପରମ୍ପରା ରହିଅଛି ।
ଆଜି ଏକବିଂଶ ଶତାବ୍ଦୀରେ ଥାଇ ବୈଦିକ ଯୁଗ ଅଥବା ରାମାୟଣ ମହାଭାରତ ଯୁଗର ସାମାଜିକ ପରମ୍ପରା, ଶିକ୍ଷାବ୍ୟବସ୍ଥା, ଲୋକମାନଙ୍କର ମାନସିକତା ଇତ୍ୟାଦିକୁ ବୁଝିବା କଷ୍ଟକର । ଆଜିର ଜୀବନଯାପନ ପ୍ରଣାଳୀ ଯେତେ ସହଜ ଏବଂ ଭୋଗମୟ, ସେ ଯୁଗରେ ତାହା ନଥିଲା । କିନ୍ତୁ ସେ ଯୁଗରେ ମନୁଷ୍ୟମାନଙ୍କର ଶୁଦ୍ଧ ବିଚାର, ସାଧୁତା, କର୍ମନିପୁଣତା, ସହନଶୀଳତା ଇତ୍ୟାଦି ଆଜିର ଯୁଗରେ ଖୁବ୍ କମ୍ ଲୋକଙ୍କ ଠାରେ ଦେଖାଯାଏ । ଆଜିର ସମୟରେ ଭିକ୍ଷାବୃତ୍ତିକୁ ଏକ ଘୃଣ୍ୟ ପ୍ରଥା ବୋଲି କହି ଏଡାଇ ଦେବାରେ ଅନୁଚିତତା କିଛି ନାହିଁ । ଆଜିର ପରିପ୍ରେକ୍ଷିରେ କେହି କାହାକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଭିକାରୀ ବୋଲି କହିପାରେ । କିନ୍ତୁ ତା ପୂର୍ବରୁ ଜାଣିବା ଉଚିତ ଯାହା ପାଞ୍ଚଜଣଙ୍କ ଧନରେ ଭିକ୍ଷାଦ୍ୱାରା ହୋଇପାରେ, ତାହା କେହି ଧନାଢ୍ୟ ନିଜସ୍ୱ ଧନରେ କରିପାରେ ନାହିଁ । ମହାତ୍ମା ବୁଦ୍ଧ ନିଜେ ଜଣେ ଭିକ୍ଷୁ ଥିଲେ । ବୌଦ୍ଧଧର୍ମର ପ୍ରଜାର ତଥା ସଂଘଗୁଡିକର ପରିଚାଳନା ଦୃଷ୍ଟିରୁ ବୌଦ୍ଧ ସନ୍ନ୍ୟାସୀମାନେ ଭିକ୍ଷା କରୁଥିଲେ । ଭିକ୍ଷାଟନ ଆଳରେ ସେମାନେ ସାଧାରଣ ଜନତାଙ୍କୁ ଅନେକ ଜ୍ଞାନ ପ୍ରଦାନ କରୁଥିଲେ । ଛତ୍ରପତି ଶିବାଜୀଙ୍କର ଗୁରୁ ସମର୍ଥ ରାମଦାସ ଜଣେ ପ୍ରଚଣ୍ଡ ଜ୍ଞାନୀ ଥିଲେ । ଭିକ୍ଷାବୃତ୍ତି ଆଳରେ ସେ ଶିବାଜୀଙ୍କ ଅନେକ ସମସ୍ୟାର ସମାଧାନ କରିଥିବା ଆମେ ଜାଣୁ । ସେ କାଳରେ ବୌଦ୍ଧଭିକ୍ଷୁମାନଙ୍କର ସମାଜରେ ଯଥେଷ୍ଟ ସମ୍ମାନ ଥିଲା । ପ୍ରତ୍ୟେକ ଭିକ୍ଷୁ ଜଣେଜଣେ ପରମଜ୍ଞାନୀ ଥିଲେ । ଲୋକେ ଭିକ୍ଷୁମାନଙ୍କୁ ଆଦୌ ଅଣଦେଖା କରୁ ନ ଥିଲେ । ତେଣୁ ପୁଅଟିଏ ଜନ୍ମହେଲେ ତାକୁ ଭିକାରୀ ନାମରେ ନାମକରଣ କରିବାର ପରମ୍ପରା ଆମ ସମାଜରେ ରହିଛି । ଏଥିରୁ ଭିକ୍ଷୁମାନଙ୍କ ପ୍ରତି ପ୍ରାଚୀନ କାଳର ଶ୍ରଦ୍ଧା ପ୍ରକଟିତ ।
ଆଜି ସାଧାରଣ ଜନମାନସରେ ଭିକ୍ଷାବୃତ୍ତି ଏକ ନୀଚ ବୃତ୍ତି ବୋଲି ସ୍ୱୀକୃତ ହୋଇଥାଏ । ଏପରି ଧାରଣା ସୃଷ୍ଟି ହେବାର ଏକ ପ୍ରମୁଖ କାରଣ ହୋଇପାରେ- ଭିକ୍ଷା ଦାତାର ଦୟା ଉପରେ ନିର୍ଭର କରେ । ରୋଗୀ, ଅତ୍ୟନ୍ତ ଦରିଦ୍ର ଏବଂ ଅକର୍ମଣ୍ୟାଦି ବ୍ୟକ୍ତିମାନେ ଅନନ୍ୟୋପାୟ ହୋଇ ଭିକ୍ଷାବୃତ୍ତିକୁ ଆପଣେଇ ଥାଆନ୍ତି ପରିବାର ପ୍ରତିପୋଷଣ ନିମିତ୍ତ । ତେବେ ସୁସ୍ଥମାନେ ଯେ ଭିକ୍ଷାବୃତ୍ତି କରନ୍ତି ନାହିଁ, ତାହା ନୁହେଁ । କେତେକ ସୁସ୍ଥ ବ୍ୟକ୍ତି କର୍ମ କରିବା ପ୍ରତି କୁଣ୍ଠା ପ୍ରକାଶ କରି ଏପରି ବୃତ୍ତିକୁ ଆପଣେଇବା ଦେଖାଯାଏ । କେବେ କେମିତି ପୂଜା ଅଥବା କୌଣସି ସାମାଜିକ କାର୍ଯ୍ୟକ୍ରମ ନାଆଁରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ମଧ୍ୟ ଆଖିରେ ପଡେ । ତେବେ ସେପରି ଭିକ୍ଷାର୍ଥୀମାନେ ନିନ୍ଦାର ପାତ୍ର ହୋଇଥାନ୍ତି । ସେମାନଙ୍କୁ ଭିକ୍ଷାଦାନ କରିବା ନିମନ୍ତେ ଶାସ୍ତ୍ରମାନଙ୍କରେ ବାରଣ କରାଯାଇଛି । କିନ୍ତୁ ଭିକ୍ଷାଦ୍ୱାରା ଯଦି କେହି ଅନ୍ୟ ଦୀନହୀନ ଅଥବା ବିପଦ ଆପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଥାଏ ତେବେ ତାହା ସମୀଚିନ ବୋଲି କୁହାଯାଇଛି ।
ଆଜିର କଥା ଭିନ୍ନ । ଆଜିର ସମୟରେ ଭିକ୍ଷାବୃତ୍ତି ପ୍ରତି ଶ୍ରଦ୍ଧାଶୀଳତା ଓ ପ୍ରୋତ୍ସାହନ ପ୍ରଦର୍ଶନ କରାଯିବାର କୌଣସି ଆବଶ୍ୟକତା ନାହଁ, ଉଚିତ ମଧ୍ୟ ନୁହେଁ । ତାହାହେଲେ ଅନେକ ଲୋକ ଭିକ୍ଷାବୃତ୍ତି ପ୍ରତି ଆଗ୍ରହୀ ହୋଇପଡିବେ ଏବଂ ସେମାନଙ୍କ ମଧ୍ୟରେ କର୍ମକୁଣ୍ଠତା ପ୍ରକାଶ ପାଇବ । ଆଜିକାଲି ସରକାରଙ୍କର ବିଭିନ୍ନ ଯୋଜନାରେ ମାଗଣା କିଛି ପାଇବାର ମନୋବୃତ୍ତି ଅନେକ ଲୋକଙ୍କୁ ଶ୍ରମବିମୁଖ କରିଛି ବୋଲି କୁହାଯାଇପାରେ । କିଛି ପାଇବାର ନିଶାରେ ଲୋକେ ସ୍ୱାଭିମାନକୁ ଭୁଲିଯାଆନ୍ତି । ଧୀରେ ଧୀରେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ । କେବଳ କିଛି ପାଇବାର ଆଶା ଓ ନିଶା ନେଇ ବଞ୍ôଚବା ଶିଖିଯାଆନ୍ତି ସେମାନେ । ସ୍କୁଲରେ ପଢିବା ସମୟରୁ ଅର୍ଥାତ୍ ସ୍ୱଳ୍ପ ବୟସରୁ ବିଦ୍ୟାଳୟରେ ପ୍ରତିଦିନ ଖାଇବାଠାରୁ ଆରମ୍ଭ କରି ଛତା, ସାଇକେଲ, ଯୋତା. ପୋଷାକ ଏସବୁ ମାଗଣା ପାଇବାରୁ ଆରମ୍ଭ ହୁଏ ମାଗଣା ଜୀବନ, ମାଗଣା ବଞ୍ôଚବାର ନିଶା । ପାଠ ପଢିସାରି ସମାଜ କ୍ଷେତ୍ରକୁ ଫେରିଆସି ସେ ଦେଖେ ଆହୁରି ଅନେକ ମାଗଣା ମିଳିବାର ଅଛି । ଏପରିକି ବ୍ୟାଙ୍କରେ ଆକାଉଣ୍ଟଟିଏ ଖୋଲିଦେଲେ ସେଠାକୁ ହଜାର ହଜାର ଟଙ୍କା ମଧ୍ୟ ଆସିଯାଉଛି । ଆରାମଦାୟକ ଜୀବନ ବିତାଇବା ନିମନ୍ତେ ସବୁ ତ ହାତ ପାହାଁନ୍ତାରେ । ତେବେ ସେ ଆଉ କର୍ମ କରିବ କାହିଁକି?
