ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତା ଶୋଚନୀୟ
ଭଦ୍ରକ, (ପ୍ରବାହ ନ୍ୟୁଜ୍): ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଡ଼ିଆ ପଞ୍ଚାୟତ ସ୍ଥିତ ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଗତ ୨୦୧୪ ମସିହାରେ ଅର୍ଥ ମଂଜୁର ହୋଇ ମୋରମ ବିଛା କାର୍ଯ୍ୟ ହୋଇଥିଲା । ଓଲଡ଼ାଙ୍ଗ ସମେତ ଆଖପାଖ ଅନ୍ୟାନ୍ୟ ଗ୍ରାମବାସୀମାନେ ଏହି ରାସ୍ତାଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ଯେ ତାହା ନିର୍ମାଣ ହେବା ପୂର୍ବରୁ ଗ୍ରାମବାସୀମାନେ ବରଂ ସୁବିଧାରେ ଯାଇପାରୁଥିଲେ । ମାତ୍ର ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବାରୁୁ ବର୍ତ୍ତମାନ ଗ୍ରାମବାସୀଙ୍କର ଏହି ରାସ୍ତାରେ ଯାଆଆସ କ୍ଷେତ୍ରରେ ଅବସ୍ଥା ସାଂଘାତିକ ହୋଇପଡ଼ିଛି । ଜଳନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ନାନାଦି ସମସ୍ୟା ସୃଷ୍ଟି ହେବା ସହିତ ବର୍ଷା ପାଣି ଘର ମଧ୍ୟକୁ ପଶିଯାଉଛି । ଏହି ରାସ୍ତା ଦେଇ ସାଇକେଲ ଟିଏ ଠିକ୍ଭାବରେ ଯାଇପାରୁ ନାହିଁ । ଦମକଳ ଗାଡ଼ି ହେଉ ବା ଆମ୍ବୁଲାନ୍ସ ପରି ଅତି ଜରୁରୀ ଗାଡ଼ି ଯିବା ଅସମ୍ଭବ ହୋଇପଡ଼ୁଛି । ଯଦ୍ୱାରା ଅକାଳରେ ଧନ ଜୀବନ କ୍ଷୟକ୍ଷତି ଘଟୁଛି । ଗ୍ରାମର ଅଧିକାଂଶ ସ୍ଥାନରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ଏହା ଫଳରେ ଶଗଡ଼ କିମ୍ବା ରିକ୍ସା ଟିଏ ନିରାପଦରେ ଯାଇପାରୁ ନାହିଁ । ଏହିପରି ତୃଟିପୂର୍ଣ୍ଣ ତଥା ନିମ୍ନମାନର କାର୍ଯ୍ୟ ସଂପର୍କରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଗ୍ରାମବାସୀମାନେ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନଥିଲା । ଏହି ରାସ୍ତାଟି ପିଏମଜିଏସୱାଇ ରେ ଭର୍ତ୍ତି କରାଯାଇଥିବାର ସୂଚନା ଗ୍ରାମ୍ୟଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେଇଥିଲେ ମଧ୍ୟ ଆଜି ସୁଦ୍ଧା ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ ।
