ନୂଆଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ୍ ଦିଗହରା

0
2

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ଦେଶକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ୍ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସୁଲଭ ଶୌଚାଳୟ ଯୋଗାଇ ଦେଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବାରି ହେଉଛି । ତେବେ କେନ୍ଦ୍ର ସରକାରଙ୍କ ଏହି ସ୍ୱଚ୍ଛ ଭାରତ ମିଶନ୍ ଏକ ପ୍ରକାରର କହିବାକୁ ଗଲେ ଦିଗହରା ହୋଇଛି ।ପ୍ରତ୍ୟେକ ପରିବାର ବାହାରେ ମଳ ତ୍ୟାଗ ନକରିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୌଚାଳୟ ଯୋଗାଇ ଦେବା ପାଇଁ ନିର୍ଭରଶୀଳ ହୋଇଥିବା ବେଳେ ପ୍ରତି ଶୌଚାଳୟ ପାଇଁ କେନ୍ଦ୍ର ସରକାର ସହାୟତା ବାବଦକୁ ୧୨ହଜାର ଟଙ୍କା ଦେବାକୁ ଅନୁମୋଦନ କରିଥିଲେ । ଯାହାଫଳରେ ଜଣେ ବ୍ୟକ୍ତି ସେହି ୧୨ହଜାର ଟଙ୍କା ସହାୟତାରେ ଶୌଚାଳୟ ନିର୍ମାଣ କରି ବ୍ୟବହାର କରିଥାନ୍ତି । ଏବଂ ବାହାରେ ମଳ ତ୍ୟାଗ କରୁଥିବା ଲୋକ ବାହାରକୁ ଶୌଚ ହେବାକୁ ନଯାଇ ନିର୍ମାଣ ହୋଇଥିବା ଶୌଚାଳୟ ବ୍ୟବହାର କରିଥାନ୍ତି । କିନ୍ତୁ ସମୟର ପରିବର୍ତ୍ତନ ପରେ ଧିରେ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକୀୟ ହେଉଥିବା ସାମଗ୍ରୀର ଦରଦାମ୍ ବୃଦ୍ଧି ହେବା ଫଳରେ ହିତାଧିକାରୀମାନେ ଶୌଚାଳୟ ନିର୍ମାଣ କରିବାରେ ଅମଙ୍ଗ ହେଉଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନ ସ୍ୱପ୍ନରେ ରହିଯିବ ଭାବି ସରକାରଙ୍କୁ ତୁରନ୍ତ ଶୌଚାଳୟ ନିର୍ମାଣ କାମ ଶେଷ କରିବାକୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜଳ ଓ ପରିମଳ ବିଭାଗର କିଛି ଅଧିକାରୀ ଓ କେତେକ ଯନ୍ତ୍ରୀଙ୍କ ଦାୟୀତ୍ୱହୀନତା ଯୋଗୁଁ ବର୍ଷ ପରେ ବର୍ଷ ଗଡିଚାଲିଛି ସତ କିନ୍ତୁ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ବି ଅଧୁରା ହୋଇ ପଡିଛି । କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ପରେ ଜିଲ୍ଲା ପ୍ରଶାସନ ସ୍ତରରେ ତତ୍‌ପରତା ଦେଖାଇ ଜିଲ୍ଲାରେ ପ୍ରତ୍ୟେକ ଘରେଘରେ ଶୌଚାଳୟ ନିର୍ମାଣ ହୋଇଥିବା ଦର୍ଶାଇଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ପ୍ରତି ଗାଁକୁ ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା କରିବା ସହିତ ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ବୋର୍ଡ ଲଗାଯାଇଛି । ଯାହାକି ପ୍ରଶାସନର ଅସଲ ମୁଖା ଖୋଲି ଦେଇଛି । କେଉଁ ଗାଁରେ ଜମାରୁ ଶୌଚାଳୟ ନିର୍ମାଣ ହୋଇ ନଥିଲେ ମଧ୍ୟ ତାହା ବାହ୍ୟ ମଳମୁକ୍ତ ଗାଁ ବୋଲି ବୋର୍ଡ ଲଗାଯାଇଛି ତ ଆଉ କେଉଁଠି ଶୌଚାଳୟ ନିର୍ମାଣ କାମ ଅଧାବିଧାରେ ପଡିଥିଲେ ମଧ୍ୟ ବାହ୍ୟ ମଳମୁକ୍ତ ଗାଁ ବୋଲି ଜିଲ୍ଲାଜଳ ଓ ପରିମଳ ବିଭାଗତରଫରୁ ବୋର୍ଡ ଲଗାଯାଇଥିବା ଦେଖିବାକୁ ମିଳିଛି । ତେଣୁ ଜିଲ୍ଲା ପ୍ରଶାସନ ବୋର୍ଡ ମାରିଦେଲେ ସତ କିନ୍ତୁ ଶୌଚାଳୟ ତ ନିର୍ମାଣ ହୋଇନି, ତେଣୁ ବ୍ଲକ୍‌ର ବିଭାଗୀୟ ଯନ୍ତ୍ରୀଙ୍କୁ ଧରି ଠିକାଦାରମାନଙ୍କ ସରଣ ନେଇଥିଲେ । ରାଧେ ରାଧେ… ନ୍ୟାୟରେ, ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ପକେଟ୍ ଗରମ କରିବା ପାଇଁ ଠିକାଦାର କେଉଁଠି ନିମ୍ନମାନର କାମ କରିଛି ତ ଆଉ କେଉଁଠି ମଲା ଲୋକ ନାଁରେ ଶୌଚାଳୟ ନିର୍ମାଣ ହୋଇଥିବା ଦର୍ଶାଇ ହଜାର ହଜାର ଟଙ୍କା ବାଟମାରଣା କରାଯାଉଥବା ବିରୋଧୀମାନେ ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଭଳି ଦୟନୀୟ ଅବସ୍ଥା ଦେଖାଦେଇଛି ନୂଆଗାଁ ବ୍ଲକ୍‌ରେ ହୋଇଥିବା ସାଧାରଣରେ ମତପ୍ରକାଶ ପାଇଛି । ଯେଉଁଠି କି ସ୍ୱଚ୍ଛ ଭାରତ ମିଶନ୍ ଦିଗହରା ହୋଇଥିବା ନଜିରକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅଧିନରେ ଥିବା ୨୨ଟି ପଞ୍ଚାୟତ ମଧ୍ୟରୁ ୧୫ରୁ ଅଧିକ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶ୍‌ନ୍‌ରେ ନିର୍ମାଣ ହେଉଥିବା ଶୌଚାଳୟରେ ବ୍ୟାପକ ଅନିମିତତା ଏବଂ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି । ଅଭିଯୋଗକୁ ଭିତିକରି ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ । ନୂଆଗାଁ ବ୍ଲକ୍ ଜାକେଡା ପଞ୍ଚାୟତ, କାପ୍ତାପଲ୍ଲୀ, ଗୁମୀ, କୋରଡା, ଗାତେରୀ, ସିଙ୍ଗାରପଲ୍ଲୀ, ଓ ମାଇଛେଳି ପଞ୍ଚାୟତରେ ଥିବା ବିଭିନ୍ନ ଗାଁକୁ ଗାଁ ବୁଲି ନିର୍ମାଣ ହୋଇଥିବା ଶୌଚାଳୟର ସ୍ଥିତି ପରଖିଥିଲେ । ତେବେ କୋରଡା ପଞ୍ଚାୟତ ଅଧୀନରେ ଥିବା ରଗଡ଼ିମଡ଼ା ଗ୍ରାମର ଲକ୍ଷ୍ମୀ ବେୱାଙ୍କ ନାମରେ ଏକ ଶୌଚାଳୟ ନିର୍ମାଣ ହୋଇଛି, ଯାହାର କି ମଳ ଟାଙ୍କି ନାହିଁ କି ଆଜ୍‌ବେଷ୍ଟ ଟିଣ ଛପର ନାହିଁ । ସେହିପରି ଉକ୍ତ ବେଲବଣି ଗ୍ରାମର ଶରତ କଅଁର, ଗୋବିନ୍ଦ କଅଁର, ବିଦ୍ୟାଧର ମଳିକ, ନିରାକର ମଳିକ, ବିରେନ୍ଦ୍ର ମଳିକ, ଜିତେନ୍ଦ୍ର ମଳିକଙ୍କର କାହାର ଶୌଚାଳୟର ଛପର ନାହିଁ ତ ଆଉ କାହାର ପ୍ୟାନ ବସିନାହିଁ, ଆଉ କାହାର ମଳ ଟାଙ୍କି ସହିତ ପାଇପ୍ ସଂଯୋଗ କରାଯାଇ ନାହିଁ । ଏବଂ ଠିକାଦାର ଜଣକ ଏଭଳି ଭାବେ ଶୌଚାଳୟ ନିର୍ମାଣ କରିଛି ଯେ, ତ୍ରିଲୋଚନ ମଳିକଙ୍କ ଶୌଚାଳୟର ମଧ୍ୟଭାଗରୁ ଫାଟି ଆଁ କରିଛି । ଯାହାକି ବିପଦ ସଂକୁଳ ଅବସ୍ଥାରେ ଠିଆହୋଇଛି । ସେହିଭଳି ଜାକେଡା ପଞ୍ଚାୟତ ଅଧିନରେ ଥିବା ଚଡ଼କମରା ଆଦିବାସୀ ଅଧୁଷିତ ଗ୍ରାମର ମଥୁରା ଯାନୀ, କୃଷ୍ଣ ଯାନୀ, ଗୋପବନ୍ଧୁ ଯାନୀଙ୍କର ୨୦୧୯-୨୦ ଆର୍ଥିକ ବର୍ଷରେ ଶୌଚାଳୟ ନିର୍ମାଣ କରବା ପାଇଁ ଆର୍ଥିକ ଅନୁଦାନ ଆସିଥିବା ବେଳେ ଠିକାଦାର ଜଣକୁ ଚଞ୍ଚକତା କରି ୨ଟି ଶୌଚାଳୟର ମଳଟାଙ୍କି ନଥିବା ବେଳେ ଆଉ ଗୋଟିଏ ମଳଟାଙ୍କିର ନମ୍ନମାନର କାମ ହୋଇଥିବା ଯୋଗୁଁ ଟାଙ୍କିର ଉପର କଭର ଭାଙ୍ଗିଯାଇଛି । କିନ୍ତୁ ଠିକାଦାର ଜଣକ ଜିଓ ଟ୍ୟାଗ୍‌କରି ବିଲ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେହିଭଳି ଚଡ଼କମରା ଗ୍ରାମର ଭାସି ବେୱା ୨ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୨୦୧୯-୨୦ ଆର୍ଥିକ ବର୍ଷରେ ଗୁମି ପଞ୍ଚାୟତର ବରଡିହ ଗ୍ରାମରେ ଅନ୍ୟଜଣକ ଶୌଚାଳୟ ଉପରେ କଲର ବୋଳି ବିଲ୍ ଉଠାଇବା ପାଇଁ ମସୁଧା କରିଥିଲେ । ତେବେ ଭାସି ବେୱାଙ୍କର ଗୋଟିଏ ଝିଅ ଥିବା ବେଳେ ତାଙ୍କ ନାମରେ ଶୌଚାଳୟ ନିର୍ମାଣ ହୋଇନଥିବା କହିଥିଲେ । ତେବେ ଭାସି ବେୱାଙ୍କ ଶୌଚାଳୟ ନିର୍ମାଣ ଟଙ୍କା କିଏ ଖାଇଲା ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ସେହିଭଳି ଉକ୍ତ ଜାକେଡା ପଞ୍ଚାୟତ ଗୁଣ୍ଡୁରାସାହି ଗ୍ରାମର ରତନୀ ଯାନୀ, ଶ୍ୟାମ ମଳିକଙ୍କର ଶୌଚାଳୟରେ କବାଟ ନାହିଁ କି ଉପରେ ଟିଣ ଛପର ନାହିଁ, ଏବଂ ଶୌଚାଳୟର ମଳଟାଙ୍କି ବି ନଥିବା ବେଳେ ଗୌରାଙ୍ଗ ଯାନୀଙ୍କର ଶୌଚାଳୟରେ ପ୍ୟାନ୍ ନବସାଇ ବିଲ୍ କରିବା ପାଇଁ କାନ୍ଥରେ ଲେଖି ଜିଓ ଟ୍ୟାଗ୍ କରିନେଇଥିବା ଅଭିଯୋଗ ହୋଇଛି ।ମାଇଛେଳି ପଞ୍ଚାୟତର ଗୋହିରିବାଦୁ ଗ୍ରାମର ଅନ୍ତର୍ଯ୍ୟାମୀ ନାଏକ, ଢିପିସାହି ଗ୍ରାମର ଅଭିମନ୍ୟୁ ବେହେରା, ରଜନୀ ବେହେରାଙ୍କ ଶୌଚାଳୟରେ ମଳଟାଙ୍କି ନକରି ଠିକାଦାର ବିଲ୍ କରିନେଇଥିବା ଅଭିଯୋଗ ହୋଇଛି । ସେହିପରି ଗାତେରୀ ପଞ୍ଚାୟତରେ ପୁରୁଣା ଶୌଚାଳୟରେ ନୂତନ କଲର ବୋଳି ଶୌଚାଳୟ ଟଙ୍କା ହଡପ୍ କରିଥିବା ବେଳେ ସିଙ୍ଗାରପଲ୍ଲୀ, ଚାହାଳି ପଞ୍ଚାୟତରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଅନିୟମିତା ହୋଇଥିବା ଜଣାପଡିଛି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ତଥ୍ୟ ମାଗିଲେ ଗାଲୁଗପ ମାରୁଥିବା ଜଣାପଡିଛି । ତେବେ ନୂଆଗାଁ ବ୍ଲକ୍‌ରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁଁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ, ଠିକାଦାର ଓ ଯନ୍ତ୍ରୀଙ୍କ ଅସଲ ମୁଖା ଖୋଲିବ । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

Leave a Reply

Your email address will not be published. Required fields are marked *