ଆତ୍ମନିର୍ଭର ହେବା ପରେ ମା\’ ବନିବାକୁ ପସନ୍ଦ କରୁଛନ୍ତି ମହିଳା
ଡାକ୍ତର କାନ୍ତୀ ନାୟକ
ପୁଅ କିମ୍ବା ଝିଅର ବିବାହ ପରେ ପରିବାର ଲୋକ ତୁରନ୍ତ ଚାହିଁଥାନ୍ତି ଘରକୁ ଆସୁ ନୂଆ ଅତିଥି । ଏହା ଆଜିର ସ୍ଥିତି ନୁହେଁ ବରଂ ବହୁକାଳରୁ ଚାଲି ଆସିଛି । ଏହି ଘଟଣାକୁ ନେଇ ମଧ୍ୟ ପାରିବାରିକ ଅଶାନ୍ତିର ଅନେକ ଉଦାହରଣ ଦେଖିବାକୁ ମିଳେ । ବିଶେଷକରି ମହିଳାମାନେ ଏଥିପାଇଁ ନିର୍ଯାତନାର ଶିକାର ହୋଇଥାନ୍ତି । ହେଲେ ବର୍ତ୍ତମାନ ସମୟ ସହ ଲୋକଙ୍କ ଚିନ୍ତାଧାରା ଓ ମାନସିକତାରେ ପରିବର୍ତ୍ତନ ଆସିଲାଣି । ଅଧିକାଂଶ ମହିଳା ନିଜେ ଆର୍ଥିକ ଭାବେ ଆତ୍ମନିର୍ଭର ହେବାପରେ ମା\’ବନିବାକୁ ପସନ୍ଦ କରୁଛନ୍ତି । ଆଉ ଏହି କାରଣରୁ ଗତ କିଛି ବର୍ଷ ଧରି ୩୦ ବର୍ଷରୁ କମ୍ ବୟସର ମହିଳାମାନଙ୍କ କ୍ଷେତ୍ରରେ ଗର୍ଭଧାରଣା ହାର ସବୁଠୁ କମ୍ ରହିଛି । ରିପୋର୍ଟ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ୪୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ମା\’ ବନିବାର ଧାରାରେ ତିନିଗୁଣା ବୃଦ୍ଧି ପାଇଛି । ମହିଳାମାନେ ଉଚ୍ଚଶିକ୍ଷା ପରେ ନିଜ କ୍ୟାରିୟରକୁ ମଜବୁତ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଇଂଲଣ୍ଡ ଏବଂ ୱେଲ୍ପରେ ରହୁଥିବା ୪୦ ବର୍ଷରୁ ଅଧିକ ବୟସର ମହିଳାଙ୍କର ଫର୍ଟିଲିଟି ସବୁଠୁ ଅଧିକ ରହିଛି । ଏଠାରେ ପ୍ରତି ହଜାରେ ମହିଳାଙ୍କ ମଧ୍ୟରୁ ୧୬.୫ ପ୍ରତିଶତ ମହିଳା ୪୦ ପରେ ମା\’ ବନିବାକୁ ପସନ୍ଦ କରୁଛନ୍ତି । ୨୦୦୦ ମସିହାରେ ଏହି ହାର ୫.୩ ପ୍ରତିଶତ ଥିଲା । ଅର୍ଥାତ୍ ଗତ ୨୦ ବର୍ଷ ମଧ୍ୟରେ ୪୦ ବର୍ଷ ପରେ ମହିଳାଙ୍କ ମା\’ ବନିବାର ଧାରା ତିନିଗୁଣା ବଢ଼ିଛି । ଏହି ସର୍ଭେରେ ୨୦ରୁ ୪୦ ବର୍ଷର ଯୁବତୀ ଓ ମହିଳାଙ୍କୁ ସାମିଲ କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ମାତୃତ୍ୱ ଦର କମ ରହିବା ପଛର ଆଉ ଏକ କାରଣ ହେଉଛି ଗର୍ଭନିରୋଧକର ଉପଯୋଗ । ୧୯୭୩ ମସିହାରେ ମା\’ ବନିବାର ଉପଯୁକ୍ତ ବୟସ ୨୬ ବର୍ଷ ଥିଲାବେଳେ ଏବେ ଏହା ୩୦ ବର୍ଷ ବୋଲି କୁହାଯାଉଛି । ବଦଳୁଥିବା ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହିଳାମାନେ ଉଚ୍ଚଶିକ୍ଷା ପରେ ପରିବାର ବଢ଼ାଇବା ଅପେକ୍ଷା ନିଜ କ୍ୟାରିଅରକୁ ମଜବୁତ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ଏବଂ ଆର୍ଥିକ ଭାବେ ଆତ୍ମନିର୍ଭର ପରେ ଗର୍ଭଧାରଣ ପାଇଁ ଚିନ୍ତା କରୁଛନ୍ତି । କରୋନା କାଳରେ ମହିଳାମାନେ ରୋଜଗାର ସମ୍ବନ୍ଧୀୟ ସମସ୍ୟାକୁ ନେଇ ଚିନ୍ତାରେ ଥିବାରୁ ଅନୁମାନ କରାଯାଉଛି ଯେ ଆସନ୍ତା କିଛି ବର୍ଷ ଦମ୍ପତିମାନେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ । ଏହାପରେ ପରିବାର ବଢ଼ାଇବା ଚିନ୍ତା କରିବେ ।
ଆଜିର ସମୟରେ ମହିଳାମାନେ ଅଧିକରୁ ଅଧିକ ଆତ୍ମନିର୍ଭର ହେଲେଣି । ବିବାହର ପ୍ରସଙ୍ଗ ଆସିଲେ ଝିଅମାନେ ନିଜ ପସନ୍ଦର ସ୍ୱାମୀ ପାଇଁ ଆଗ୍ରହ ଦେଖାଉଛନ୍ତି । ଏହାସତ୍ତ୍ୱେ ମଧ୍ୟ ସାମାଜିକ ସ୍ତରରେ ଦେଖିଲେ ଲୋକଙ୍କ ମାନସିକତାରେ ବଡ଼ ପରିବର୍ତ୍ତନ ଆସିନାହିଁ । ଆଜି ବି ଅନେକ ପରିବାର ବୋହୂ ବାଛିବା ସମୟରେ ସେହି ପୂର୍ବ ମାନସିକତାକୁ ଜାହିର କରୁଛନ୍ତି । ଯାହା ଶୁଣିଲେ ଲାଗେ ସତେଯେପରି ସେମାନେ କୌଣସି ବସ୍ତୁର ମୁଲଚାଲ କରୁଛନ୍ତି । ଫେୟାର ଆଣ୍ଡ ଲଭଲି ନାମରୁ ସରକାର ଫେୟାରକୁ ହଟାଇ ଦେବାର ନିଷ୍ପତ୍ତି ନେଇଛନ୍ତି ସତ, ମାତ୍ର ବୋହୂ ବାଛିବା ସମୟରେ ଲୋକେ ନିଜ ମନକୁ ସେହି ମୁଲଚାଲର ମାନସିକତାକୁ ଦୂରେଇ ପାରୁନାହାଁନ୍ତି । ସମସ୍ତଙ୍କ ଇଛା ଘରକୁ ଆସୁଥିବା ବୋହୂ ଗୋରା ହୋଇଥିବ । ରଙ୍ଗଭେଦ ମାନସିକତା ପରିବାରରେ ଏବେ ବି ଥିବାରୁ ଅନେକ ବୋହୂ ନିଜକୁ ନୂଆ ପରିବାରରେ ଅସହଜ ମନେକରୁଛନ୍ତି, ନିର୍ଯାତନା ସହିବାକୁ ବାଧ୍ୟ ହେଉଛନ୍ତି । ବୋହୂ ବାଛିବା ସମୟରେ ଏବେ ବି ପରିବାର ଲୋକେ ଝିଅ ରୋଷେଇ ଜାଣିଛି ନା ନାହିଁ ତାହା ଜାଣିବାର ଆଗ୍ରହ ରଖିଛନ୍ତି । ବୋହୂ ମନୋନୟନରେ ଗୋରା ରଙ୍ଗ ଭଳି ରୋଷେଇ ଜାଣିବାର ଆବଶ୍ୟକତା ଏବେ ବି ରହୁଛି । ରୋଷେଇ ଜାଣିନଥିବା ଝିଅକୁ ଅନେକ ରିଜେକ୍ଟ କରୁଛନ୍ତି । ସେହିପରି ଖାଲି ଗୋରା ରଙ୍ଗ ନୁହେଁ, ଝିଅ ପତଳା ନା ମୋଟା, ଡେଙ୍ଗା ନା ଗେଡ଼ା ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିବାହ ସ୍ଥିର ପୂର୍ବରୁ ଝିଅର ବାପା-ମାଆଙ୍କର ସମ୍ପତ୍ତିକୁ ମଧ୍ୟ ଆକଳନ କରାଯାଉଛି । ବିଶେଷଜ୍ଞଙ୍କ ମତରେ ଯଦିଓ ପୂର୍ବାପେକ୍ଷା ବୋହୂ ବାଛିବାର ଧାରା ବଦଳୁଛି, ତେବେ ମାନସିକତାରେ ସେଭଳି ବଡ଼ ପରିବର୍ତ୍ତନ ଦେଖାଯାଉନାହିଁ । ପରିସ୍ଥିତିରେ ପଡ଼ି ବୋହୂକୁ ଗ୍ରହଣ କରିଥିବା ଅନେକ ପରିବାର ପରମୁହୂର୍ତ୍ତରେ ବୋହୂକୁ ରଙ୍ଗଭେଦ, ଧନସମ୍ପତ୍ତି, ଚାଲିଚଳଣ, ରୋଷେଇବାସ ଆଦି ଘଟଣାକୁ ନେଇ ନିର୍ଯାତନା ଦେଉଛନ୍ତି । ସେମାନେ ଏହା ମଧ୍ୟ ବିଚାର କରୁନାହାଁନ୍ତି ଯେ, ଘରକୁ ଆସୁଥିବା ବୋହୂ କେତେ ମାତ୍ରାରେ ଘରକୁ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହି ମାନସିକତା ବଦଳିବା ନିହାତି ଆବଶ୍ୟକ । ଖାଲି ଅଶିକ୍ଷିତ ନୁହେଁ ଶିକ୍ଷିତ ପରିବାରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି । ତେଣୁ ନିଜ ପରିବାରର ଓ ନୂଆ ପରିବାରର ଲୋକଙ୍କ ମାନସିକତାକୁ ବଦଳାଇବା ପାଇଁ ଝିଅର ଭୂମିକା ଯେତେ ତାଠାରୁ ଅଧିକ ଭୂମିକା ହେଉଛି ପୁଅର । ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ଖୁସିର କଥା ନିଜ ଗୋଡରେ ଛିଡ଼ା ହେବାସହ ଆଗାମୀ ଭବିଷ୍ୟତକୁ ରଖି ଯେପରି ନିଜ ପରିବାରର ବୋଝ ଜରେ ମାଆ ବୋହିପାରିବ ସେହି ଭାବନା ରଖି ମାଆ ବନିବାକୁ ପସନ୍ଦ କରୁଥିବା ମହିଳାମାନେ ନିଶ୍ଚିନ୍ତ ଭାବେ ଏକ ବଡ଼ ପରିବର୍ତ୍ତନର ଉଦାହରଣ ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍ସି, ସିଡ଼ିଏ, କଟକ
ଦୂରଭାଷ : ୯୪୩୭୬୬୬୪୫୩
