ମଉସୁମୀର ପହିଲି ଛୁଆଁ
ଦିପ୍ତିମଞ୍ଜରୀ ମହାପାତ୍ର
ମଉସୁମୀ ତୁମ ପହିଲି ଛୁଆଁରେ
ମାଟିରୁ ମହକ ଝରେ,
ଭିଜା ମାଟି ଗନ୍ଧ ରିମି ଝିମି ଶବ୍ଦ
କୋଟି ଜନ ମନ ହରେ ।
ତୁମ ଆଗମନେ ଆଷାଢ ଗଗନେ
ଭାସିବୁଲେ ମେଘମାଳା,
ବଉଦ ଫାଙ୍କରୁ ଚକ୍ ଚକ୍ କରି
ଚମକାଇ ଦିଏ ଚପଳା ।
ସବୁଜ ଘାସର ଗାଲିଚା ଉପରେ
ଧାଡି ଧାଡି ସାଧବାଣୀ,
ଦେଖଣାହାରୀଏ ଅଟକି ଯାଆନ୍ତି
ଦେଖି ତାର ଚାଲି ଠାଣି ।
ସାରୁବୁଦା ମୂଳେ ବେଙ୍ଗ ବେଙ୍ଗୁଲୀ
ରାଜାରାଣୀ ସାଜିଥାନ୍ତି,
ଘଡଘଡି ଶବ୍ଦ କାନରେ ବାଜିଲେ
କେଁ କଟର ଗରଜନ୍ତି ।
ଝିଇଁ ଝିଇଁ ଶବ୍ଦ ଝିଙ୍କାରୀ କଣ୍ଠର
ଖଦ୍ୟୋତର କ୍ଷୀଣଜ୍ୟୋତି
ବରଷା କାଳରେ ଅନ୍ଧାର ରାତିରେ
ମନରେ ଆଣନ୍ତି ଭୀତି ।
