କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି
ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍): କଟକ ସହରରେ କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି ୱାର୍ଡରେ ୱାର୍ଡ ଅଫିସରମାନଙ୍କୁ ନେଇ ୱାର୍ଡ କମିଟିମାନ ଗଠନ କରାଯାଇଛି । ପ୍ରତି କମିଟିରେ ଟ୍ୟାକ୍ସ କଲେକ୍ଟର, କନିଷ୍ଠ ଯନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରତି ସାହି ପୂଜା କମିଟିରୁ ୩/୪ ଜଣ ସଦସ୍ୟଙ୍କୁ ରଖାଯାଇଛି । ସେମାନେ କୋଭିଡ୍ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବେ ଏବଂ ସନ୍ଦିଗ୍ଧ ରୋଗୀ କିମ୍ବା ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରିବେ ବୋଲି ରାଜ୍ୟ ସରକାରଙ୍କ କଟକ ଜିଲ୍ଲା କୋଭିଡ୍ ୧୯ ପର୍ଯ୍ୟବେକ୍ଷକ ତଥା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ସେହିପରି ଗ୍ରାମାଂଚଳରେ ପଂଚାୟତ ସ୍ତରରେ ୫୭୦୩ ୱାର୍ଡ କମିଟି ଗଠନ କରାଯାଇଛି । ପ୍ରତି ୱାର୍ଡକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି ଏବଂ ଏ ବାବଦରେ କଟକ ମହାନଗର ନିଗମର କୋଭିଡ୍ କେଂଟ୍ରାଲ୍ ରୁମ୍କୁ ଅବଗତ କରିବାକୁ କୁହାଯାଇଛି ।
ସ୍ୱାସ୍ଥ୍ୟକ କର୍ମୀ/ଆଶା/ଅଙ୍ଗନବାଡ଼ି କର୍ମୀ ମାନେ ନିୟମିତ ହୋମ୍ କ୍ୱାରାଂଟାଇନ୍ ହୋଇଥିବା ଲୋକ ମାନଙ୍କ ଘରକୁ ଯାଇ ସେମାନଙ୍କ ଘରର ସ୍ଥିତି ତଦାରଖ କରିବା ସହ କୋଭିଡ୍ କେଂଟ୍ରାଲ୍ ରୁମ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି । ଯେଉଁଠାରେ ହୋମ୍ କ୍ୱାରାଂଟାଇନ୍ରେ ସମସ୍ୟା ଉପୁଜୁଛି, ସେଠାରେ ର୍ୟାପିଡ୍ ରେସ୍ପନ୍ସ ଦଳ ସେମାନଙ୍କୁ ଆନୁଷ୍ଠାନିକ/ଦେୟଯୁକ୍ତ କ୍ୱାରାଂଟାଇନ୍ରେ ରଖିବା ନିମନ୍ତେ ତୁରନ୍ତ ବ୍ୟବସ୍ଥା କରୁଛନ୍ତି । ଲୋକମାନଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ବାରମ୍ବାର ସଚେତନ କରାଯାଉଛି । ଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଂଚଳକୁ ବାହାରୁ ଆସିଥିବା ୫୧୦୧ ଜଣଙ୍କ ମଧ୍ୟରୁ ୩୮୯୨ ଜଣ ହୋମ୍ କ୍ୱାରାଂଟାଇନ୍, ୯୪୯ ଜଣ ଆନୁଷ୍ଠାନିକ କ୍ୱାରାଂଟାଇନ୍ ଓ ୨୬୦ ଜଣ ଦେୟଯୁକ୍ତ କ୍ୱାରାଂଟାଇନ୍ରେ ରହିଛନ୍ତି ।
ଅପରପକ୍ଷରେ ସିଏମସି କମିଶନର ଅନନ୍ୟ ଦାସ କହିଛନ୍ତି ଯେ ସିଏମସି ଅଂଚଳରେ ଘରକୁ ଘର ବୁଲି ବାରମ୍ବାର ସର୍ଭେ କରାଯିବା ସହିତ ଇନ୍ଫ୍ଲୁଏନ୍ଚା ଭଳି ଲକ୍ଷଣ ଏବଂ ଗୁରୁତର ଶ୍ୱାସ କଷ୍ଟ ଭଳି ଲକ୍ଷଣ ଦେଖା ଯାଉଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ଏ ପର୍ଯ୍ୟନ୍ତ ୪୮୧ଟି ଇନ୍ଫ୍ଲୁଏନ୍ଚା ଏବଂ ୧୦୦ଟି ଜ୍ୱର ଲକ୍ଷଣ ଥିବା ଲୋକ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ୍ ପରୀକ୍ଷଣ ମଧ୍ୟ କରାଯାଇଛି ।
୨୬ ଜୁନ୍ ସୁଦ୍ଧା କଟକ ସହର ରେ ୩୧୮୦ ଜଣ ଲୋକଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି । କଟକର ଗ୍ରାମାଂଚଳରେ ୧୮୩୬ ଜଣ ଲୋକ ହୋମ୍ କ୍ୱାରାଂଟାଇନ୍ରେ ରହିଛନ୍ତି । ୧୦ଟି ର୍ୟାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ \”ମହିଳା ଆରୋଗ୍ୟ ସମିତି\’ ଗଠନ କରାଯାଇଛି, ଯେଉଁମାନେ କଟକର ସହରାଂଚଳରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ।
ସମ୍ବେଦନଶୀଳ ବର୍ଗର ଜନସାଧାରଣଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । କମଶିନରେଟ୍ ପୋଲିସ୍ ପକ୍ଷରୁ ୧୦,୦୦୦ ବରିଷ୍ଠ ନାଗରିକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସିଏମସି କମିଶନର କହିଛନ୍ତି ।
