ନୂତନ ବିକଳ୍ପ ଭୂତଳ ବିଦ୍ୟୁତ୍ ଲାଇନ୍ ଦ୍ୱାରା ସମ୍ବଲପୁର ସହରରେ କମିବ ବିଦ୍ୟୁତ୍ ବିଭ୍ରାଟ
ବୁର୍ଲା, ୧୬ ଏପ୍ରିଲ ୨୦୨୬: ବିଦ୍ୟୁତ୍ ଯୋଗାଣରେ ନିର୍ଭରଯୋଗ୍ୟତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସମ୍ବଲପୁର ସହରର ଜେଲ୍ ଛକ ପ୍ରାଇମେରୀ ସବ-ଷ୍ଟେସନ୍ (ପିଏସ୍ଏସ୍)କୁ ବଡ଼ବଜାର ପ୍ରାଇମେରୀ ସବ-ଷ୍ଟେସନ୍ (ପିଏସ୍ଏସ୍) ସହିତ ସଂଯୋଗ କରୁଥିବା ଏକ ନୂତନ ବିକଳ୍ପ ୩୩ କେ.ଭି. ଭୂତଳ ବିଦ୍ୟୁତ୍ ଲାଇନ୍ ସଫଳତାର ସହ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଅଛି ।
ସମ୍ବଲପୁର ସହରର ପ୍ରାଥମିକ ବିଦ୍ୟୁତ୍ ଯୋଗାଣ ଉତ୍ସ ମଧ୍ୟରୁ ଅନ୍ୟତମ ବଡ଼ବଜାର ପ୍ରାଇମେରୀ ସବ-ଷ୍ଟେସନ୍ (ପିଏସ୍ଏସ୍)ଟି ଗଣେଶନଗର ଗ୍ରୀଡ୍ ସବ-ଷ୍ଟେସନ୍ (ଜିଏସ୍ଏସ୍)ଠାରୁ ବିଦ୍ୟୁତ୍ ଯୋଗାଣ ଲାଗି ଏକମାତ୍ର ଫିଡର ଲାଇନ୍ ୩୩ କେ.ଭି. ଚେରୁଆପଡ଼ା ଫିଡର ଉପରେ ନିର୍ଭରଶୀଳ ଥିଲା । ଏହି ଫିଡର ଲାଇନଟି ମଧ୍ୟ ଚେରୁଆପଡ଼ା ପିଏସ୍ଏସ୍, କାଇଁସିର ପିଏସ୍ଏସ୍ ଏବଂ ଅନେକ ଅତିରିକ୍ତ ଉଚ୍ଚ-କ୍ଷମତା ସମ୍ପର୍ଣ୍ଣ (ଇଏଚଟି) ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ କରୁଥିଲା । ଫଳସ୍ୱରୂପ, ଏହି ଲାଇନରେ କୌଣସି ରକ୍ଷଣାବେକ୍ଷଣ କାର୍ଯ୍ୟ କିମ୍ବା ତ୍ରୁଟି ସମୟରେ ପ୍ରାୟତଃ ସମ୍ବଲପୁର ସହରର ଏକ ବୃହତ ଅଞ୍ଚଳ ବଡ଼ବଜାର, ସମଲେଶ୍ୱରୀ ମନ୍ଦିର ଅଞ୍ଚଳ ଏବଂ ବ୍ୟବସାୟୀକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନତା ଦେଖାଯାଇଥାଏ ।
ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜେଲ୍ ଛକ ପିଏସ୍ଏସ୍ ଏବଂ ବଡ଼ବଜାର ପିଏସ୍ଏସ୍ ମଧ୍ୟରେ ୩.୨ କିଲୋମିଟରର ଭୂତଳ କେବୁଲ୍ ବିଛାଇ ଏକ ବିକଳ୍ପ (N-1) ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଅଛି । ଯାହାଫଳରେ ବଡ଼ବଜାର ପ୍ରାଇମେରୀ ସବ-ଷ୍ଟେସନ୍ (ପିଏସ୍ଏସ୍)କୁ ଯଦି ମୁଖ୍ୟ ସ୍ରୋତରୁ ବିଦ୍ୟୁତ୍ ଯୋଗାଣ ବିଫଳ ହୁଏ, ତେବେ ଏହି ନୂତନ ବିକଳ୍ପ ୩୩ କେ.ଭି. ଭୂତଳ କେବୁଲ୍ ଦ୍ୱାରା ଏବେ ଏହି ପିଏସ୍ଏସଟିକୁ ତୁରନ୍ତ ବିଦ୍ୟୁତ୍ ଯୋଗାଣ କରାଯାଇ ପାରିବ । ଯାହା ବିଦ୍ୟୁତ୍ ବିଭ୍ରାଟକୁ ଯଥେଷ୍ଟ ହ୍ରାସ କରିବା ସହ ଯୋଗାଣ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ।
ଏହି ପ୍ରକଳ୍ପଟି ୩.୩୭ କୋଟି ଟଙ୍କା ବିନିମୟରେ କାର୍ଯ୍ୟକାରୀ ହୋଇଛି । ଯାହା ଉଚ୍ଚ-ଟେନସନ୍ (HT) ଉପଭୋକ୍ତା ସମେତ ବଡ଼ବଜାର, ମୋତିଝରଣ, ଚେରୁଆପଡ଼ା ଏବଂ ବାଲିବନ୍ଧା ଅଞ୍ଚଳର ପ୍ରାୟ ୧୫,୦୦୦ ଗ୍ରାହକଙ୍କୁ ଉପକୃତ କରିବ । ଏହି ନୂତନ ଭୂତଳ ଲାଇନ କାର୍ଯ୍ୟକ୍ଷମ ହେବା ସହିତ, ସମ୍ବଲପୁରର ବାସିନ୍ଦା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଏବେ ବିଦ୍ୟୁତ୍ ବିଭ୍ରାଟ ସମୟରେ ଆହୁରି ଦ୍ରୁତ ପୁନରୁଦ୍ଧାର ବ୍ୟବସ୍ଥା ଏବଂ ଅଧିକ ସ୍ଥିର ବିଦ୍ୟୁତ୍ ଯୋଗାଣ ପାଇ ପାରିବେ ।
ଏହି ସଫଳତା ଟିପିଡବ୍ଲୁଓଡିଏଲର ଦୃଢ଼ କାର୍ଯ୍ୟକାରିତା କ୍ଷମତା ଏବଂ ଏହାର ଗ୍ରାହକମାନଙ୍କୁ ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବା ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।
