ଯୁବ ସଂଗମ- ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମୁଖ୍ୟ ସ୍ତମ୍ଭ :ଜି. କିଷନ ରେଡ୍ଡୀ
ହଜାର ହଜାର ଭାଷାର ଭୂମି, ଶହ ଶହ ଜାତି, ଜନଜାତିଙ୍କ ଆବାସସ୍ଥଳୀ, କ୍ରାନ୍ତୀୟ ସମତଳ ଅଞ୍ଚଳ, ସବୁଜ ତୃଣ ଭୂମିଠାରୁ ଆରମ୍ଭ କରି ଶୁଷ୍କ ମରୁଭୂମିରେ ଶୋଭିତ ଭାରତ କେବଳ ଏକ ଦେଶ ନୁହେଁ, ସତେ ଯେପରି ଏକ ଆକର୍ଷଣୀୟ ଚିତ୍ରପଟ । ଆମର ବିବିଧତା ହିଁ ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଓ ମଜବୁତ କରିଛି । ଏହି ବିବିଧତା ହିଁ ଆମକୁ ବିଶ୍ୱରେ ଆମର ପ୍ରଭାବ ବିସ୍ତାର କରି ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଏକ ବଡ ସମ୍ବଳ ହେବ ।
୨୦୧୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ମିଶନ ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ସେ କେବଳ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଥିବା ସହଜାତ ବନ୍ଧନକୁ ସୁଦୃଢ କରି ନ ଥିଲେ, ଭାରତର ବିବିଧତା ଜନିତ ଲାଭର ଦ୍ୱାର ଉନ୍ମୁକ୍ତ କରିଥିଲେ ।
ଏବେ ପ୍ରଧାନମନ୍ତ୍ରୀ ନୂଆ ପରିକଳ୍ପନା ଓ ପ୍ରୟସା ହେଲା ଯୁବ ସଂଗମ । ଏହା ମାଧ୍ୟମରେ ସେ ଆମର ବିବିଧତାର ଲାଭକୁ ଏକାଠି କରି ଭାରତର କଲ୍ୟାଣ ପାଇଁ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆମ ଦେଶର ଆଗାମୀ କାଲିର ନାଗରିକ ଆମ ବିବିଧତାର ଶକ୍ତିକୁ ଅନୁଭବ କରିବା ସହିତ ତାହାକୁ ବିନିଯୋଗ କରି ଲାଭାନ୍ୱିତ ହେବେ । ଏଥି ପାଇଁ ଭ୍ରମଣ ଓ ଗସ୍ତ ମାଧ୍ୟମରେ ବିବିଧତାର ଶକ୍ତି ନେଇ ଆସନ୍ତାକାଲିର ଭାରତର ଯୁବ ସଂଗମକୁ ଚରିତାର୍ଥ କରିବାକୁ ହେବ ।
ଯୁବ ସଂଗମ ମାଧ୍ୟମରେ “ଏକ ଭାରତ ଶ୍ରେଷ୍ଠ ଭାରତ” ପାଳନ କରାଯାଇଛି । ଏହା ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହକୁ ଦେଶର ଅବଶିଷ୍ଟ ରାଜ୍ୟଙ୍କ ସହିତ ଭାବଗତ ଦୃଷ୍ଟିରୁ ଯୋଡି ସେ ସମ୍ପର୍କକୁ ଦୃଢୀଭୂତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନରେ ଦେଶବ୍ୟାପୀ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ଯୁବ ସଂଗମ ମାଧ୍ୟମରେ ଆରମ୍ଭ କରାଯାଇଛି । ଏହା ପାଂଚଟି ପ୍ରମୁଖ ସ୍ତମ୍ଭ ଉପରେ ପର୍ଯ୍ୟବେସିତ । ସେଗୁଡିକ ହେଲା ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକି ଓ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ । ଆସନ୍ତା କେଇ ମାସ ମଧ୍ୟରେ ୨୦ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମଗ୍ର ଦେଶ ଭ୍ରମଣ କରି ବିଭିନ୍ନ ସଂସ୍କୃତି, ଜାତି ଓ ଜନଜାତୀୟ ବାସ୍ତବତା, ଖାଦ୍ୟ ଓ ଖାଦ୍ୟାଭ୍ୟାସ, ଭାଷା, ସ୍ଥାନୀୟ ଇତିହାସ ଭୌଗୋଳିକ ବିଶେଷତ୍ୱ, ବୈଷୟିକ ପ୍ରଗତି, ହସ୍ତକଳା କୌଶଳ ଆଦି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବେ । ମୁଁ ଏହି ଲେଖା ଲେଖିବା ବେଳକୁ ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି ସମେତ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଅଧିକ ବିଦ୍ୟାର୍ଥୀ ଏବେ ଦେଶର ବିଭିନ୍ନ ଭାଗରେ ଭ୍ରମଣ କରିବା ସହ ଭାରତର ପ୍ରକୃତ ଗ୍ରାମ୍ୟ ସ୍ୱାଦ ଉପଭୋଗ କରୁଛନ୍ତି ।
ଗୋଟିଏ ଗୋଟିଏ ଗୋଷ୍ଠୀ ବା ଦଳ ମଧ୍ୟ ବିବିଧତାର ଏକ ସମାହାର । ଏଥିରେ ବିଭିନ୍ନ ପ୍ରକାରର ବୃତ୍ତିଧାରୀ, ଭିନ୍ନ ଭିନ୍ନ ଆର୍ଥିକ ଓ ସାମାଜିକ ପୃଷ୍ଠଭୂମିର ଯୁବବର୍ଗ ଏକାଠି ହୋଇ ସାଧାରଣ ଅନୁଭୂତି ଅର୍ଜନ କରିବେ ଓ ଅନେକ କଥା ସାରା ଜୀବନ ମନେ ରଖିବେ । ଦେଶର ବିଭିନ୍ନ ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ଆମର ଯୁବବର୍ଗ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ଯାଦୁକରୀ ସ୍ପର୍ଶ ଉପଭୋଗ କରିବାର ସୁଯୋଗ ପାଇବେ । ଏହା ଦ୍ୱାରା ସେମାନେ ନବସୃଜନ ଓ ନୂଆ କିଛି କରିବା ପାଇଁ ଅନୁପ୍ରାଣିତ ହେବେ । ସେହିଭଳି ଉତ୍ତର-ପୂର୍ବାଂଚଳର ଆମର ଯୁବକ ଯୁବତୀମାନେ ଦେଶର ବିିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ନୂଆ ଅନୂଭୂତି, ଜ୍ଞାନ ଓ ଅଭିଜ୍ଞତା ଲାଭ କରିବେ । ଅନେକଙ୍କ ପାଇଁ ଏସବୁ ସ୍ମୃତି ସାରାଜୀବନ ମନେ ରହିବ ।
ସ୍ଥାନୀୟ ଶିଳ୍ପ ସଂସ୍ଥାକୁ ବୁଲି ଦେଖିବା ସହିତ ସେମାନେ ସଂସ୍କୃତି ଓ ଐତିହାସିକ ସ୍ଥଳ ଦର୍ଶନ କରି ସେଠାକାର ଉଦ୍ୟୋଗୀ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟର କଥାବର୍ତ୍ତା କରିବାର ସୁଯୋଗ ପାଇବେ । ଏହାଛଡା ସେମାନେ ମଧ୍ୟ ବିିିଭିନ୍ନ ସରକାରୀ ଅଧିକାରୀଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିବେ । ଏହି ଗସ୍ତ ବେଳେ ଗୋଟିଏ ଗୋଟିଏ ରାଜ୍ୟକୁ ଭ୍ରମଣ କରିବା ନୁହେଁ, ଏହା ମଧ୍ୟ ସମ୍ପୃକ୍ତ ରାଜ୍ୟ ସହିତ ଭାଗବତ ଦୃଷ୍ଟିରୁ ସଂଶ୍ଳିଷ୍ଟ ହେବାର ଏକ ଅବକାଶ । ତୁମେ ଯେତେବେଳେ ଦେଖ ଯେ ସିକିମ୍ର ଜେଣେ ଯୁବକ ଓଡିଶାର ଗୋଟିଏ ଛୋଟ ପିଲା ସହିତ ସିକିମ ଲୋକଗୀତର ତାଳେ ତାଳେ ନାଚୁଛି କିମ୍ବା ଉତ୍ତର ପୂର୍ବାଞ୍ଚଳର ଛାତ୍ରଛାତ୍ରୀ ଓଡିଶାର କୌଣସି ଏକ ଗାଁରୁ ବୟନ ବାନ୍ଧକଳା ବିଷୟରେ ଶିକ୍ଷା କରୁଛନ୍ତି କିମ୍ବା ଅରୁଣାଚଳ ପ୍ରଦେଶର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ରୋଷେଇ ପରମ୍ପରା ବିଷୟରେ ଅନୁଭୂତି ଅର୍ଜନ କରୁଛନ୍ତି, କିମ୍ବା ଆଇଆଇଟି ଗୁଆହାଟି ଓ ଆଇଆଇଟି ଗାନ୍ଧିନଗର ଛାତ୍ରଛାତ୍ରୀ ପରସ୍ପରକୁ ଗର୍ବା ଓ ବିହୁ ନାଚ ଶିଖାଉଛନ୍ତି, ସେତେବେଳେ ଯାଇ ବୁଝି ହେବ ଯେ ଭାରତର ଭବିଷ୍ୟତ ନିରାପଦ ହାତରେ ନ୍ୟସ୍ତ ହୋଇଛି । ଏହା ମାଧ୍ୟମରେ ଆମେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପଥରେ ଆଗକୁ ବଢିପାରିବା ।
ଏହି ଗସ୍ତ ଦ୍ୱାରା ବିଦ୍ୟାର୍ଥୀମାନେ ବିଭିନ୍ନ ରାଜ୍ୟ ଓ ଅଞ୍ଚଳର ତୁଙ୍ଗ ନେତାମାନଙ୍କ ବିଷୟରେ ଅବଗତ ହୋଇପାରିବେ । ଯେଉଁ ନେତାମାନେ ଅସୀମ ତ୍ୟାଗ ସ୍ୱୀକାର କରି ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବା ସହିତ ଏହାର ଭବିଷ୍ୟତକୁ ଆକାର ଦେଇଯାଇଛନ୍ତି ସେମାନଙ୍କ ବିଷୟରେ ଆମର ଭବିଷ୍ୟତ ପିଢିର ଜ୍ଞାନ ଅର୍ଜନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଉତ୍ତର ପୂର୍ବାଂଚଳର ମୋଇରନାଗ, ରାଣୀ ଗାଇଡିଲ୍ୟୁ, ଲୋଚିତ ବଡଫୁକନଙ୍କ ଭଳି ମହନା ନେତା ଓ ସଂଗ୍ରାମୀଙ୍କ ବିଷୟରେ ଅବଶିଷ୍ଟ ଭାରତ ମଧ୍ୟ ଜାଣିବା ଆବଶ୍ୟକ । ମଣିପୁରର ମୋଇରନାଗ ନେତାଜୀଙ୍କ ସହିତ ମଶିି ବ୍ରିଟିଶ ସରକାର ବିରୋଧରେ ଲଢେଇ କରିଥିଲେ । ଏସବୁ ମହାନ ନରନାରୀଙ୍କ ଅବଦାନ ଆମ ଯୁବ ସମାଜକୁ ନିଶ୍ଚିତ ଅନୁପ୍ରାଣିତ କରିବ ।
ବିବିଧତାକୁ ଉପଭୋଗ କରିବା ଏବଂ ପର୍ଯ୍ୟଟନ ସହିତ ଏକାଠି ହେବା ଏକାଭଳି କଥା । ଏହା ଅତି ସୂକ୍ଷ୍ମ ଭାବେ ଆମ ପ୍ରାଚୀନ ସଂସ୍କୃତିର ସ୍ଥାନ ଦଖଲ କରିଛି । ସାଧୁସନ୍ଥମାନେ ଦେଶର କୋଣ ଅନୁକୋଣ ଭ୍ରମଣ କରି ଜ୍ଞାନାର୍ଜନ କରିବା ସହିତ ଏକ ମିଶ୍ରିତ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ । ସେହିଭଳି ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତବର୍ଷ କାଶୀ ବାରାଣସୀରେ ତାମିଲ ସଂଗମ ଉଦ୍ଘାଟିତ ହୋଇଥିଲା । ତାମିଲନାଡୁ ଓ ବାରାଣସୀ ମଧ୍ୟରେ ଯେଉଁ ପ୍ରାଚୀନ ଶୈକ୍ଷିକ ଓ ବୌଦ୍ଧିକ ସମ୍ପର୍କ ଥିଲା ତାହାକୁ ପୁନଃ ଆବିଷ୍କାର କରିବାକୁ ଏହି ସଂଗମ ମାଧ୍ୟମରେ ଉଦ୍ୟମ କରାଯାଉଛି । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀକୁ ଏହି ଅବସରରେ ଆସିଥିଲେ । ସେହିଭଳି ମାଧବପୁର ଘେଡ ଆଉ ଏକ ଉତ୍ସବ ଯେଉଁଠି ଭାରତର ସଂସ୍କୃତି, ଆଧ୍ୟତ୍ମିକତା ଓ ସାମାଜିକ ଏକତାର ନିଦର୍ଶନ ଦେଖିବାକୁ ମିଳେ । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ଗୁଜରାଟର ମାଧବପୁର ଗାଁରେ ଆୟୋଜିତ ହୋଇଥାଏ । ରାଣୀ ରୁକ୍ମିଣୀଙ୍କ ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହକୁ ପାଳନ କରିବାକୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ । ଏହି ରୁକ୍ମିଣୀ ହେଉଛନ୍ତି ଉତ୍ତର ପୂର୍ବାଞ୍ଚଳର ଜଣେ ରାଜକୁମାରୀ । ଦୀର୍ଘ ୩୦୦୦କି.ମି. ଦୂରତ୍ୱରେ ଅବସ୍ଥିତ ଗୁଜରାଟ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ଏଭଳି ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ତଥା ପରମ୍ପରା ରହିବା ବାସ୍ତବିକ ଏକ ଆଶ୍ଚର୍ଯ୍ୟଜନକ ଘଟଣା ।
ଯୁବ ସଂଗମ ଅତ୍ୟନ୍ତ ଅନୁପମ ଭାବେ ପ୍ରଧାନମନ୍ତ୍ରୀଙ୍କ ସମଗ୍ର ସରକାର ଆଭିମୁଖ୍ୟକୁ ପ୍ରଦର୍ଶିର୍ତ କରୁଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନେତୃତ୍ୱ ନେଉଥିବାବେଳେ ଉତ୍ତର ପୂର୍ବାଞ୍ଚଳ ବିକାଶ, ସୂଚନା ଓ ପ୍ରସାରଣ ଏବଂ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଏହା ବ୍ୟତୀତ ଏହି ସବୁ ରାଜ୍ୟ ସରକାର ଏବଂ ୫୦ରୁ ଅଧିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁବ ସଂଗମ କାର୍ଯ୍ୟକ୍ରମକୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି । ପ୍ରତ୍ୟେକ ରାଜ୍ୟରେ ଯୁବ ସଂଗମର ପ୍ରତିନିଧିମାନଙ୍କୁ ଯେଭଳି ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି ତାହା ଦେଖିବାର କଥା । ଗସ୍ତ ଅବସରରେ ସଂଗମର ସଦସ୍ୟମାନେ ବିିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବା ସହିତ ବିଭିନ୍ନ ଛାତ୍ରବନ୍ଧୁଙ୍କ ଘରକୁ ଯାଇ ସେମାନଙ୍କ ପରିବାର ସହ ସମ୍ପର୍କ ସ୍ଥାପନ କରୁଛନ୍ତି ।
ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ, ନୂଆ ବିଚାରକୁ ଗ୍ରହଣ କରିବାର ଆଗ୍ରହ, ଭିନ୍ନତା ଓ ମତଭେଦକୁ ଦୂର କରି ଏକତା ପ୍ରତିଷ୍ଠା କରିବାର ଦକ୍ଷତା, ସାଧାରଣ ଲକ୍ଷ୍ୟ ନେଇ କାମ କରିବାର ମନୋଭାବ ଏବଂ ସର୍ବୋପରି ଭାରତୀୟ ମୂଲ୍ୟବୋଧ ଯାହା ଶତାବ୍ଦୀ ଶତାବ୍ଦୀ ଧରି ଚଳି ଆସିଛି, ଏ ସମସ୍ତ ଦର୍ଶନକୁ “ଏକ ଭାରତ ଶ୍ରେଷ୍ଠ ଭାରତ”ରେ ଏକତ୍ର କରାଯାଉଛି । ଏହାଛଡା ଦେଶର ବିିଭିନ୍ନ ଭାଗରେ ମହାପୁରୁଷମାନଙ୍କର ବାଣୀ ଓ ଦର୍ଶନଙ୍କୁ ଏଥିରେ ଯୋଡାଯିବାର ପ୍ରୟାସ କରାଯାଇଛି । ଏହା ସ୍ୱାମୀ ବିବେକାନନ୍ଦଙ୍କ “ଏକତା ସବୁ ସଫଳତାର ଗୁପ୍ତ ରହସ୍ୟ” ଆହ୍ୱାନ ହେଉ ଅଥବା ମହାପୁରୁଷଙ୍କ ଶ୍ରୀମନ୍ତ ଶଙ୍କର ଦେବଙ୍କ ଭାରତବର୍ଷର ଆହ୍ୱାନ କିମ୍ବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନବଭାରତର ସୁବର୍ଣ୍ଣ ଉତ୍ତରାଧିକାର ତତ୍ତ୍ୱ ହେଉ, ଭାରତ ଏକ ଅଭିନ୍ନ ହୋଇ ଏବେ ଦୃଢଭାବେ ଦଣ୍ଡାୟମାନ । ଏହି ମନ୍ତ୍ରରେ ଯୁବ ସଂଗମ ଅଭିମନ୍ତ୍ରିତ ହୋଇଛି ।