ନିଖୋଜ ଯୁବକକୁ ଫେରେଇ ଆଣିବା ଦାବିରେ ଏସ୍.ପି କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
ଖୋର୍ଦ୍ଧା: ୨୮।୧୦(ପ୍ରବାହ ନିଉଜ୍) ଟାଉନ ଥାନା ଅନ୍ତର୍ଗତ କୁମ୍ଭୀଲୋ ଗ୍ରାମରୁ ଗତ ୨୪ ତାରିଖରୁ ସେହି ଗ୍ରାମର ସନ୍ତୋଷ ବେହେରା ଓରଫ ରାଜା ଗାଈ ଚରେଇବାକୁ ଯାଇ ନିଖୋଜ ।
ସୂଚନା ମୁତାବକ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ କୁମ୍ବିଲୋ ଗ୍ରାମର
ଲକ୍ଷ୍ମୀଧର ବେହେରାଙ୍କ ପୁଅ ସନ୍ତୋଷ ଓରଫ ରାଜା ଗତ ୨୪ ତାରିଖରେ ଗାଈ ଚରେଇବାକୁ ନିକଟ ଜଙ୍ଗଲକୁ ଯାଇ ନିଖୋଜ ଥିବାବେଳେ ଘଟଣାକୁ ନେଇ ୨୫ ତାରିଖରେ ତାଙ୍କ ବାପା ଲକ୍ଷ୍ମୀଧର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୪୨/୨୧ରେ ଏକ ନିଖୋଜ ମାମଲା ରୁଜୁ ହୋଇଛି। ପରିବାର ତରଫରୁ ଥାନାରେ ଏତଲା ଦେବାର ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା, ଚୁପ୍ ବସିଛି ପୋଲିସ। ଏହାର ପ୍ରତିବାଦରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଗୁରୁବାର ଏସ୍ପି ଅଫିସ ଘେରାଉ କରିଛନ୍ତି।
ନିଖୋଜ ଯୁବକର ବାପାଙ୍କ ଅଭିଯୋଗ ଅନୁଯାୟୀ ରାଜାଙ୍କର ପତନୀ ବର ଗ୍ରାମର ଜନୈକା ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଘଟଣା ଦିନ କେତେଜଣ ଯୁବକ ତାଙ୍କ ଘରକୁ ଆସି ରାଜାଙ୍କୁ ଖୋଜିବା ସହ ଧମକଚମକ ଦେଇଥିଲେ। ଅପରାହ୍ନରେ ଗୋରୁ ଗାଁକୁ ଫେରିଥିଲେ ହେଲେ ରାଜା ଘରକୁ ଫେରି ନ ଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ଚୁପ୍ ବସିଛି । ପୁଅର ନିଖୋଜ କୁ ନେଇ ନାନାଦି ଆଶଙ୍କା ଥିବା ନେଇ ପରିବାର ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି । ଏ ପଟେ ଘଟଣାକୁ ନେଇ ପୋଲିସ ନିଖୋଜ ଯୁବକଙ୍କ ପତ୍ତା ଲଗାଇବା ପାଇଁ ବିଭିନ୍ନ ଦିଗରୁ ଅନୁସନ୍ଧାନ ଚଳାଇଥିବା ନେଇ ଖୋର୍ଦ୍ଧା ଏସ୍ଡିପିଓ ସୁଶୀଲ ମିଶ୍ର ସୂଚନା ଦେଇଥିବା ବେଳେ ଚବିଶି ଘଣ୍ଟା ଭିତରେ ନିଖୋଜ ଯୁବକଙ୍କୁ ଖୋଜି ଆଣିବାର ପ୍ରତିଶୁତି ଦେଇଛନ୍ତି ଖୋର୍ଦ୍ଧା ଏସ୍ପି ରାଜକିଶୋର ଦୋରା ।