ଶିଶିର ସରସରେ ଗ୍ରାସରୁଟ ଇନୋଭସେନ ମାଧ୍ୟମରେ ଗ୍ରମୀଣ ଉନ୍ନତି ସମ୍ବନ୍ଧୀୟ କର୍ମଶାଳା
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଚାଲୁଥିବା ଶିଶିର ସରସ-୨୦୨୬ ମେଳାର ୬ଷ୍ଠ ତମ ଦିବସ ଅବସରରେ ଆଜି ‘ଗ୍ରାସରୁଟ୍ ଇନୋଭେସନ ମାଧ୍ୟମରେ ଗ୍ରାମୀଣ ଉନ୍ନତି’ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଜୀବିକାକୁ ସୁଦୃଢ କରିବା ପାଇଁ ସ୍ୱଳ୍ପ ଖର୍ଚ୍ଚ, ସହଜ ଓ ସଂସାଧନ-ସଞ୍ଚୟକାରୀ ପ୍ରଯୁକ୍ତିଗୁଡ଼ିକୁ ଗ୍ରହଣ କରିବା ଦିଗରେ ଗ୍ରାମୀଣ ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ପ୍ରୋତ୍ସାହିତ କରିବା । ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ, ପ୍ରାଥମିକ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ପ୍ରୟୋଗାତ୍ମକ ପ୍ରବନ୍ଧନ, ଉତ୍ପାଦକତା ବୃଦ୍ଧି ଓ ଉତ୍ପାଦର ଗୁଣାତ୍ମକ ସ୍ଥିରତା ନିଶ୍ଚିତ କରିବାରେ ସହାୟକ ନୂତନ ପ୍ରଯୁକ୍ତିଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା ।
ଏହି କର୍ମଶାଳାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଗ୍ରାମୀଣ ଉଦ୍ୟୋଗୀ, ଓ ଉତ୍ପାଦକ ଗୋଷ୍ଠୀମାନେ ଅଂଶଗ୍ରହଣ କରି ଉପଯୁକ୍ତ ପ୍ରଯୁକ୍ତି ଚୟନ କରିବା, ପୁରାତନ ପ୍ରଣାଳୀ ସହ ନୂତନ ପ୍ରଯୁକ୍ତିର ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବା ଆଦି ବିଷୟରେ କର୍ମଶାଳାରେ ଜ୍ଞାନ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ (ଏନ୍ଆଇଏଫ୍)ର ବିଶେଷଜ୍ଞମାନେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ କ୍ଷେତ୍ରସ୍ତରୀୟ ବିଭିନ୍ନ ପ୍ରଯୁକ୍ତିି, ସେଗୁଡ଼ିକର ବ୍ୟବହାରିକ ପ୍ରୟୋଗ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାରେ ପ୍ରଯୁକ୍ତି ବିଦ୍ୟାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ
