ସ୍ୱାଭିମାନୀ ଆଇନଜୀବି ମଧୁବାବୁ କାହିଁକି ପ୍ରାସଙ୍ଗିକ ?

ବିଭୁପ୍ରସାଦ ତ୍ରିପାଠୀ ଚଳିତ ବର୍ଷ ପରି ଏଥର ମଧ୍ୟ ରାଜ୍ୟବ୍ୟାପୀ ଆଇନଜୀବିମାନେ ସ୍ୱାଭିମାନୀ ଆଇନଜୀବି ମଧୁସୂଦନ ଦାସଙ୍କର ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ରାଜ୍ୟର ୧୬୦ ଟି ବାର୍ଆସୋସିଏସନ୍ଗୁଡ଼ିକରେ ପରମ୍ପରାଗତଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ଯେଭଳି ଜୀବନ ନ ଥିବା ଭଳି ପ୍ରତୀୟମାନ ହେଉଛି । ସ୍ୱାଭିମାନୀ ଆଇନଜୀବିଟିଏ ଖୋଜିବା ବେଳେ ମଧୁବାବୁଙ୍କ ଜୀବନାଦର୍ଶ ଆଖି ସାମ୍ନାକୁ ଆପେ ଆପେ ଆସି ଯାଉଛି । କିନ୍ତୁ କିଏ ହେବ ସ୍ୱାଭିମାନୀ ଆଇନ୍ଜୀବି ଓ ଏଥିପାଇଁ ସେଭଳି ଶ୍ରମସ୍ୱୀକାର କରି ନିଜ ପେଟ ଓ ପକେଟ୍ର ବିଚାରକୁ ଛାଡ଼ି ସମାଜ ପଛରେ ଧାଇଁବାର ବ୍ୟକ୍ତିତ୍ୱଟିଏ ଆମ ସମାଜରେ ଆମେ ପାଇ ପାରିବା କିଭଳି ପ୍ରଶ୍ନ ମନ ଭିତରେ ସୃଷ୍ଟି ହେଉଛି । ନୀତି ଓ ନୈତିକତାର କ୍ରମାଗତ ଉଲ୍ଲଙ୍ଘନ କରୁଥିବା ଯେକୌଣସି ମଣିଷକୁ ଆମ ବ୍ୟବସ୍ଥାର ମଙ୍ଗ ଧରିଥିବା ମଙ୍ଗୁଆଳମାନେ ଯେତେବେଳେ ସାମାଜିକ ସ୍ୱୀକୃତି ଦେଇ ସେହି ବ୍ୟକ୍ତିଟିକୁ ବ୍ୟବହାର କରିଥାନ୍ତି ସେତେବେଳେ ମଧୁବାବୁଙ୍କର ସ୍ୱାଧୀନଚେତା ବ୍ୟକ୍ତିତ୍ୱଟି ଆହୁରି ସ୍ମରଣୀୟ ହୋଇପଡ଼ୁଛି । ଯେତେବେଳେ ଆମ ଗଣତନ୍ତ୍ର ବ୍ୟବସ୍ଥାଟି ଜନମତ ପ୍ରତି ନିଷ୍ଠୁର ହୋଇପଡୁଛି ଓ ଭୋଟଦାତାଟି ନିଜକୁ ଅସହାୟ ମନେ କରି ଅର୍ଥସର୍ବସ୍ୱ ନିର୍ବାଚନୀ ରାଜନୀତିରେ ରାଜନୈତିକ ନେତାମାନଙ୍କ ହାତରେ ଶଖି କଣ୍ଢେଇ ହୋଇପଡିଛି ସେତେବେଳେ ମଧୂଚେତନାକୁ ବୃହତ୍ତର ଦୃଷ୍ଟିକୋଣରୁ ବିଚାର କରିବାର ଆବଶ୍ୟକତା ପଡ଼ଛି । ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶଭାବେ ଗଠନ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆମ ଆର୍ଥିକ ମାନସିକ ଦାରିଦ୍ର୍ୟ ଆମ ଆତ୍ମସମ୍ମାନରେ ଯେତେବେଳେ ଅର୍ଥ ସୃଷ୍ଟି କରୁଛି ସେତେବେଳେ ମଧୁବାବୁଙ୍କର ଜାତୀୟତାବାଦ୍ ପ୍ରତି ଓ ଓଡ଼ିଆ ସଂସ୍କୃତିର ପୃଷ୍ଠ ପୋଷକତା ଆମ୍ଭ ମାନଙ୍କୁ ଗୋଟିଏ ଦିଗବାରେଣୀ ଖୁଣ୍ଟ ଭାବେ ପ୍ରତୀୟମାନ ହେଉଛି ।
ରାଜ୍ୟର ବିଭିନ୍ନ ବାର୍ଗୁଡ଼ିକର ନିର୍ବାଚନରେ ଯେତେବେଳେ ବ୍ୟାପକ ଅର୍ଥର ପ୍ରୟୋଗ ହିଁ ଆଇନ୍ଜୀବି ମାନଙ୍କର ନେତା ସୃଷ୍ଟି କରେ ସେତେବେଳେ ମଧୁବାବୁଙ୍କ ‘ବୌଦ୍ଧିକ ସଂସ୍କୃତିର ମୂଲ୍ୟ ଅର୍ଥ ଠାରୁ ଅଧିକ’ ଉକ୍ତିଟିର ଆବଶ୍ୟକତା ଉପଲବ୍ଧି ହୁଏ । ଆଜି ଯେତେବେଳେ ରାଜ୍ୟ ଓ ଦେଶକୁ ଭଲ ପାଉଥିବା ଦେଶପ୍ରେମୀମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଓ ଯୁବ ମାନସକୁ ନିଜ ଆଦର୍ଶ ଦ୍ୱାରା ଆଚ୍ଛାଦିତ କରି ରଖିବାର ବ୍ୟକ୍ତିତ୍ୱମାନଙ୍କ ଅଭାବ ପରିଲିକ୍ଷିତ ହେଉଛି ସେତେବେଳେ ମଧୁବାବୁଙ୍କ ଭଳି ବହୁମୁଖୀ ପ୍ରତିଭା ମାନଙ୍କ ସମ୍ପର୍କରେ ବିଚାର ବିମର୍ଶର ଆବଶ୍ୟକତା ଅନୁଭବ ହେଉଛି । କେବଳ ଆଇନ୍ପେଷାକୁ ଅର୍ଥ ସର୍ବସ୍ୱ ପେଷା ଭାବେ ଗ୍ରହଣ ନ କରି ଆଇନଜୀବି ମାନଙ୍କ ମଧ୍ୟରେ ସ୍ୱାଭିମାନ ଓ ସ୍ୱାଧୀନତାକୁ ଗୁରୁତ୍ୱଦେବା ଲାଗି ନିଜ ଜୀବନାଦର୍ଶରେ ମଧୁବାବୁ ଯେଉଁ ରାସ୍ତା ଦେଖାଇ ଯାଇଛନ୍ତି ସେହି ରାସ୍ତା ଗୁଡ଼ିକ ଏବେ ନୂତନ ପିଢ଼ିର ଆଇନଜୀବି ମାନଙ୍କ ନିକଟରେ ପହଞ୍ଚେଇବାର ଯଥାର୍ଥତା ଅନୁଭବ ହେଉଛି ।
ନିଜର ଅସାଧାରଣ ବ୍ୟକ୍ତିତ୍ୱଟି ବଳରେ ସେ ବିଚାର ବିଭାଗରେ ମଧ୍ୟ ଭିନ୍ନ ଧରଣର ଛାପଟିଏ ଛାଡ଼ି ଦେଇ ଯାଇଛନ୍ତି । ଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପର୍କୀୟ ମକଦ୍ଦମାଠାରୁ ଆରମ୍ଭ କରି ପାରଳାମହାରାଜା ଠାରୁ ପ୍ରଜାଙ୍କ ପାଇଁ ମକଦ୍ଦମା ପରିଚାଳନା କରି ସେ ନିଜ ସାହସିକତା ଓ ସ୍ୱାଧୀନ ଚେତା ମନୋଭାବର ପରିଚୟ ଦେଇଥିଲେ । ଆଜି ଯେତେବେଳେ ବିଚାରପତି ମାନଙ୍କ ନିକଟରେ କିମ୍ୱା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ମକଦ୍ଦମା ପରିଚାଳନା ପାଇଁ କୌଣସି ଆଇନଜୀବି ନିଜ ମହକିଲଟିର ପ୍ରତିନିଧିତ୍ୱ କରେ ସେତେବେଳେ ସେ ନିଜର ସ୍ୱାଧୀନ ଚେତା ବିବେକକୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ଯେ ସେ ମଧୁବାବୁଙ୍କ ପ୍ରକୃତ ଦାୟାଦ ଭାବେ ନିଜର ପରିଚୟ ସୃଷ୍ଟି କରିପାରିବ କି ନାହିଁ । ଜଣେ ଆଇନ୍ଜୀବି ଭାବେ ନିଜର ବୌଦ୍ଧିକତାକୁ ଖାଲି କୋର୍ଟ କଚେରୀ ମଧ୍ୟ ସୀମିତ ନ ରଖିବା, ବ୍ୟବସ୍ଥାପିକାରେ ନିଜର ପ୍ରତିନିଧିତ୍ୱକୁ ଜାହିର କରିବାଠାରୁ ଆରମ୍ଭ କରି ନିଜକୁ ଜଣେ ସଚେତନ ଓଡ଼ିଆ ଜାତିର ନେତୃତ୍ୱ ଭାବେ ମଧୁବାବୁଙ୍କ ଅବଦାନ ଆମ ସମସ୍ତଙ୍କୁ ମନେ ପକେଇ ଦେଇଛି ଯେ ଖାଲି ଆଇନ୍ଜୀବି ନୁହେଁ ନାଗରିକ ଭାବେ ମଧ୍ୟ ଆମ ସମସ୍ତଙ୍କ ସମାଜ ପାଇଁ ଓ ନୂତନ ପୀଢ଼ି ପାଇଁ ଗୁରୁ ଦାୟିତ୍ୱ ରହିଛି । ପଦପଦବୀ ସମ୍ପତ୍ତି କିମ୍ୱା କୌଣସି ତୋଷାମଦ ତାଙ୍କୁ ସେଥିପାଇଁ ପ୍ରଭାବିତ କରିପାରି ନ ଥିଲା ।
ଆଜି ଆମ ରାଜ୍ୟରେ ଯେତେବେଳେ କୌଣସି ଗୋଟିଏ ଆଇନ୍ଜୀବି ସଂଘ ନିଜର ପେଷାଗତ ସୁରକ୍ଷା ପ୍ରସଙ୍ଗରେ ପ୍ରଶ୍ନ କରିବା ପାଇଁ ସାହସ ଜୁଟାଇବାକୁ ଅକ୍ଷମ ହେଉଛନ୍ତି ଓ ଆଇନ୍ଜୀବିମାନଙ୍କ ସଂଘ ଗୁଡ଼ିକୁ ବହୁଧା ଭାବେ ବିଭକ୍ତ ହୋଇପଡ଼ିଛି, ସେତେବେଳେ ୧୯୦୩ ମସିହାରେ ମଧୁବାବୁଙ୍କ ପ୍ରଚେଷ୍ଟାରେ ଗଠନ କରାଯାଇଥିବା ଉତ୍କଳ ସମ୍ମିଳନୀର ଅତୁଳନୀୟ ଅବଦାନ ଆମକୁ ଆତ୍ମ ସମୀକ୍ଷା ପାଇଁ ଖୋରାକ ଯୋଗାଉଛି । ଉତ୍କଳ ସମ୍ମିଳନୀର ଆନ୍ଦୋଳନ ଓ ଆହ୍ୱାନରେ ନିଜକୁ ସାମିଲ୍କରି ମଧ୍ୟ ଆଇନ୍ଗତ ଦିଗ ଗୁଡ଼ିକୁ ତର୍ଜମା କରି ଆଇନ୍ରିପୋର୍ଟକୁ ମନେ ରଖିବାରେ ପ୍ରଚଣ୍ଡ ଦକ୍ଷତାର ଅଧିକାରୀ ଥିଲେ ମଧୁବାବୁ । ନିଜର ଜୁନିୟର ଆଇନ୍ଜୀବି ମାନଙ୍କୁ ଅଫିସ୍ର କେଉଁ ଥାକରେ କେଉଁ ଆଇନ୍ପୁସ୍ତକ ରହିଛି ଓ ସେ ପୁସ୍ତକରେ କେଉଁ ପୃଷ୍ଠାରେ ସେହି ନ୍ୟାୟପାଳିକାର ରାୟ ପ୍ରକାଶ ପାଇଛି ସେ ସମ୍ପର୍କରେ ଜୁନିୟର ଆଇନ୍ଜୀବି ମାନଙ୍କୁ ପ୍ରଶିକ୍ଷଣ ଦେବାରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ । ଆଇନ୍ପେଷାରେ ଯୋଗ ଦେଉଥିବା ନବାଗତମାନଙ୍କ ପାଇଁ ମଧୁବାବୁଙ୍କ ପେଷାଗତ ଜୀବନର ଅନେକ ଘଟଣାବଳୀ ମଧ୍ୟରୁ ଗୋଟିଏ ଘଟଣା ନିଶ୍ଚିତଭାବେ ଉଦ୍ବୁଦ୍ଧ କରିବାର ବିଷୟ । ମଧୁବାବୁଙ୍କ ନିକଟରେ ଜୁନିୟର ଭାବେ କାର୍ଯ୍ୟରତ କରୁଥିବା ଆଇନ୍ଜୀବି ଗୋପାଳ ଚନ୍ଦ୍ର ପ୍ରହରାଜ ଗୋଟିଏ ପୁସ୍ତକରେ ଲେଖିଛନ୍ତି ଯେ ସେ ଯେତେବେଳେ ମଧୁବାବୁଙ୍କ ସହିତ ବିଭିନ୍ନ କୋର୍ଟକୁ ପେଷାଗତ କାର୍ଯ୍ୟରେ ଯାଉଥିଲେ ସେତେବେଳେ ସେ ଗୋଟିଏ ଲଜ୍ରେ ଏକାଠି ରହୁଥିଲେ ଓ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ଜୁନିୟର ମାନେ ଖାଇ ନ ଥିବେ ସେ ମଧ୍ୟ ଖାଦ୍ୟ ଗ୍ରହଣ କରୁ ନ ଥିଲେ । ଥରେ ଗୋଟିଏ ଘଟଣାରେ ଜଣେ ଜୁନିୟର ଆଇନ୍ଜୀବିଙ୍କ ବାପା ମଧୁବାବୁଙ୍କ ଠାରୁ କିଛି ଅର୍ଥ ଆବଶ୍ୟକତା ହେତୁ ନେଇଥିଲେ ଓ ସେହି ଆଇନ୍ଜୀବି ଜଣଙ୍କ ସେହି ଅର୍ଥ ଫେରେଇବା ବେଳେ ମଧୁବାବୁ ତାଙ୍କୁ ଗୋଟେ ରସିଦ୍ରେ ସେହି ଅର୍ଥଟି ସେ ପାଇଛନ୍ତି ବୋଲି ଲେଖି ଜୁନିୟର ଓକିଲଙ୍କ ପକେଟ୍ରେ ସେହି ଟଙ୍କାତକ ରଖିଦେଲେ । ନୂଆ ପେଷାରେ ଯୋଗ ଦେଇଥିବାରୁ ଏହା ତାଙ୍କର ରୋଜଗାର ବୋଲି କହିଥିଲେ । ସେ ପେଷାରେ ଏତେ ନିମଗ୍ନ ରହୁଥିଲେ ଯେ ଏକଦା ଲିମିଟେସନ ସମ୍ପର୍କରେ ଗୋଟିଏ ମକଦ୍ଦମାରେ ନିଜ ମହକିଲଙ୍କ ପାଇଁ ରାୟ ଖୋଜି ଖୋଜି ଅନେକ ରାତିରେ ସେ ଶୋଇପଡ଼ିଥିଲେ । ହଠାତ୍ପାହାନ୍ତା ପହର ନିଦରେ ସେ ଗୋଟିଏ ରାୟ ସ୍ୱପ୍ନ ଦେଖି ସକାଳୁ ଉଠି ଦେଖିଥିଲେ ସେ ଯେଉଁ ରାୟଟି ଖୋଜୁଥିଲେ ତାହା ସେ ପାଇଛନ୍ତି । ଏହି ଭଳି ଘଟଣା ତାଙ୍କ ପେଷାଗତ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚାୟକ ।
ଆଇନ୍ପେଷାରେ ସାଧୁତା ଆଚରଣ ସଂହିତାର ଆଲୋକ ବର୍ତ୍ତିକା ଥିଲେ ମଧୁବାବୁ । ତାଙ୍କ ପେଷାଗତ ନିଷ୍ଠାପରତା ଓ କୌଶଳ ଆଜି ମଧ୍ୟ ପ୍ରାସଙ୍ଗିକ । ସେ କୌଣସି ଧନୀ କିମ୍ୱା ଗରିବ ମହକିଲଙ୍କ ମଧ୍ୟରେ ପାର୍ଥକ୍ୟ ଦେଖୁ ନ ଥିଲେ । ଯେ କୌଣସି ମହକିଲର ଥରେ ମକଦ୍ଦମା ଗ୍ରହଣ କଲେ ସେହି ମକଦ୍ଦମାକୁ ନିଜର ସମସ୍ତ ବୈଦ୍ଧିକ ସାମର୍ଥ୍ୟ ଲଗାଇ ଲଢୁଥିଲେ ମଧୁବାବୁ । ଆର୍ଥିକ ପ୍ରଲୋଭନ କିମ୍ୱା ଅର୍ଥନୈତିକ ଚାପରେ ତାଙ୍କ ପେଷାଗତ ପରିଶ୍ରମର ଆଧାରରେ କୌଣସି ପାର୍ଥକ୍ୟ ପରିଲକ୍ଷିତ ହେଉ ନ ଥିଲା । ମାଗଣାରେ ନେଇଥିବା ମକଦ୍ଦମାଟି ମଧ୍ୟ ମଧୁବାବୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେଉଁ ମକଦ୍ଦମାରେ ମହକିଲଙ୍କ ସେ ଅର୍ଥ ଗ୍ରହଣ କରୁଥିଲେ ଓ କୌଣସି କାରଣରୁ ମକଦ୍ଦମାର ତାରିଖରେ ହାଜର ହେଇ ପାରୁ ନ ଥିଲେ ସେ ସେହି ମକଦ୍ଦମା ଖର୍ଚ୍ଚଟି ଫେରାଇ ଦେଉଥିଲେ । ତାଙ୍କର ପେଷାଗତ କର୍ତ୍ତବ୍ୟନିଷ୍ଠା ସେ ଦୃଷ୍ଟିରୁ ଦୃଷ୍ଟାନ୍ତମୂଳକ । ଆଜି ଯେତେବେଳେ ଜୁନିୟର ଓକିଲ ମାନେ ବିଭିନ୍ନ ଆଇନ ମହାବିଦ୍ୟାଳୟରୁ ଅଧ୍ୟୟନ କରି ପେଷାରେ ଯୋଗ ଦେଉଛନ୍ତି ସେତେବେଳେ ବରିଷ୍ଠ ଆଇନ୍ଜୀବି ମାନେ ସେମାନଙ୍କୁ ପେଷାଗତ ଦକ୍ଷତା ଓ ମୂଲ୍ୟବୋଧ ଦେବା ସହିତ ସେମାନଙ୍କ ଆର୍ଥିକ ସୁରକ୍ଷା ଦିଗଟିକୁ ଧ୍ୟାନ ଦେଲେ ଏହି ଆଇନର ଶାସନ ବ୍ୟବସ୍ଥାକୁ ଦୃଢ଼ିଭୂତ କରିବା ସହିତ ନୂତନ ପିଢ଼ିଙ୍କୁ ଏହା ଆଗାମୀ ଦିଗର ଆଇନଗତ ଆହ୍ୱାନକୁ ସାମ୍ନା କରିବା ପାଇଁ ଶକ୍ତି ଯୋଗାଇବ ।
ମଧୁବାବୁଙ୍କ ପାଖରେ ଯେଉଁମାନେ ଓକିଲାତି ପେଷା ଶିଖିବାକୁ ଆସୁଥିଲେ ସେମାନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା । ଏ ସମ୍ପର୍କରେ ତାଙ୍କର ଜଣେ ଜୁନିୟର ଚିନ୍ତାମଣି ଆଚାର୍ଯ୍ୟ ଲେଖିଛନ୍ତି ଯେ କୌଣସି ବିଷୟରେ ଗୋଟିଏ କରି ବସିଲେ ସେ ଭୀଷଣ ଗାଳି ଦେଉଥିଲେ ସତ ଆଉ ସେ ଅଜସ୍ର ଭତ୍ସନା ଶୁଣି ଆଉ କାଲି ଠାରୁ ଆସିବି ନାହିଁ ବୋଲି ପଣ ନେଉଥିବା ଜୁନିୟର ଆଇନ୍ଜୀବିର ଘରେ ପର ଦିନ ସକାଳେ ମଧୁବାବୁ ପହଞ୍ଚୁଥିଲେ ଓ କହୁଥିଲେ କାଲି ତତେ ଗୁଡ଼ିଏ ଗାଳି ଦେଲି ତୋର ମନରେ ଭାରି କଷ୍ଟ ହୋଇଥିବ। ମୁଁ ଯାହାକୁ ବେଶୀ ସ୍ନେହ କରେ ତା’ର ସାମାନ୍ୟ ଦୋଷ ସହି ପାରେ ନାହିଁ । ଏତିକି କଥା ଏପରି ସ୍ନେହପୂର୍ଣ୍ଣ ଭାଷାରେ କହୁଥିଲେ ଯେ ସବୁ ଦୁଃଖ, ସବୁ ରାଗ ଓ ଅଭିମାନ ଉଭେଇ ଯାଉଥିଲା । ଏମିତିକା ମଣିଷ ଥିଲେ ମଧୁବାବୁ, ଏମିତିକା ଓକିଲ ଥିଲେ ମଧୁ ବାରିଷ୍ଟର । ସ୍ୱାଭିମାନୀ ଆଇନଜୀବି ମଧୁବାବୁଙ୍କ କୌଣସି ବିଚାରପତି କିଛି ଅପମାନ ସୂଚକ ମନ୍ତବ୍ୟ ଦେଲେ ସେ ତାଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଦେଖାଉଥିଲେ । ଥରେ ହାଇକୋର୍ଟରେ ମଧୁବାବୁ ପ୍ରତିପକ୍ଷଙ୍କ ପାଇଁ ମକଦ୍ଦମା ପରିଚାଳନା ବେଳେ ବିଚାରପତି କହିଲେ ମିଷ୍ଟର ଦାସ୍ଆପଣଙ୍କ ମହକିଲ ଗୋଟିଏ ବୋକା ତା’ର ଏ ମକଦ୍ଦମା କରିବା ଉଚିତ୍ ହୋଇ ନାହିଁ। ମଧୁବାବୁଙ୍କ ଉତ୍ତର ଥିଲା ହଜୁର୍ଏକା ମୋ ମହକିଲ ବୋକା ନୁହେଁ । କଲେକ୍ଟର ବୋକା, କମିସନର୍ବୋକା, ସବ୍ଜଜ୍ବୋକା ଓ ଜିଲ୍ଲା ଜଜ୍ବୋକା । ଓଡ଼ିଆ ରାଜ୍ୟଟା ବୋକାଙ୍କ ପାଇଁ ସ୍ୱର୍ଗ ଏଠି ଯେ ଆସନ୍ତି ସେ ବୋକା ହୋଇଯାଆନ୍ତି । ମଧୁବାବୁଙ୍କ କୋର୍ଟ କଚେରୀରେ ସ୍ପଷ୍ଟ ବାଦୀତାର ସ୍ୱର ଆଜିକାଲି ନ୍ୟାୟିକ ବ୍ୟବସ୍ଥାରେ ହ୍ରାସ ପାଉଛି । ମକଦ୍ଦମା ଜବାବ ସୁଆଲ କରିବାରେ ଅନ୍ୟ ଓକିଲଙ୍କ ଠାରୁ ତାଙ୍କ ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ଥିଲା । ତାଙ୍କର ସହକର୍ମୀମାନେ ଯେତେ ନୋଟ୍ଲେଖିଦିଅନ୍ତୁ ଯେତେ ଆଇନ୍ର ନଜିର୍ସଂଗ୍ରହ କରିଦିଅନ୍ତୁ ସେ ନିଜେ ତନ୍ନ ତନ୍ନ ନ କରି ନ ଦେଖିଲେ ମକଦ୍ଦମାର ଜବାବ ସୁଆଲ କରୁ ନ ଥିଲେ। ଜଣେ ମୌଳିକ ଚିନ୍ତାଶୀଳ ଓକିଲ ଭାବେ ଅଦାଲତରେ କୌଣସି ନଜିର୍ନ ଥିଲେ ମଧ୍ୟ ନିଜେ ମକଦ୍ଦମାରେ ନଜିର୍କିଭଳି ତିଆରି ହେବ ସେ ଦିଗରେ ଯତ୍ନବାନ ଥିଲେ । ନିଜର ବ୍ୟକ୍ତିଗତ ଜୀବନକୁ ଜଳାଞ୍ଜଳୀ ଦେଇ ଜାତୀୟ ଜୀବନର ପ୍ରାଣ ପ୍ରତିଷ୍ଠାତା ମଧୁବାବୁଙ୍କ ସ୍ୱାଭିମାନ ସ୍ୱାଧୀନତା ଓ ମର୍ଯ୍ୟଦା ଆଇନଜୀବିଙ୍କୁ କେତାକାଂଶରେ ପ୍ରଭାବିତ କରିଛି ତାହା ୧୭୬ ତମ ଜନ୍ମ ଜୟନ୍ତୀରେ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି ।
ଆଇନଜୀବି ଓଡ଼ିଶା ହାଇକୋର୍ଟ
ଦୂରଭାଷ- ୯୪୩୭୦୧୨୪୬୦