ରାଜା ଅବୁଝା ହେଲେ ପ୍ରଜା କଷ୍ଟ ପାଆନ୍ତି
ବହୁଦିନ ତଳର କଥା। ଗୋଟାଏ ରାଜା ଥିଲେ, ସେ ଏହିଭଳିଆ ନିଷ୍ପତ୍ତି ସବୁ ନେବାକୁ ଲାଗିଲେ ଯାହାଫଳରେ ପ୍ରଜାମାନଙ୍କୁ ନାହିଁ ନଥିବା ଅସୁବିଧାର ସାମନା କରିବାକୁ ପଡୁଥିଲା। କିନ୍ତୁ ରାଜାଙ୍କୁ ପ୍ରତିବାଦ କରିବାର କାହାର ସାହାସ ହେଉନଥିଲା। ଏହାକୁ ନେଇ ଦେଶରେ ଆସ୍ତେ ଆସ୍ତେ ଅସନ୍ତୋଷ ର ମାତ୍ରା ଟିକେ ଟିକେ ଅଧିକ ହେବାକୁ ଲାଗିଲା।ରାଜା କିନ୍ତୁ ବୁଝିପାରୁନଥିଲେ।ତାଙ୍କ ପାଖରେ ଘେରିରହିଥିବା ଚାଟୁକାରମାନେ କହି ଚାଲିଲେ ପ୍ରଜାମାନେ ଏବେ ଆପଣଙ୍କ ସବୁ ନିଷ୍ପତ୍ତିରେ ଖୁବ୍ ସନ୍ତୁଷ୍ଟ ଅଛନ୍ତି। ହସ ଖୁସିରେ ଅଛନ୍ତି କହି ରାଜାଙ୍କ ପାଖରୁ ତାଙ୍କର ସବୁ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷାକୁ ହାସଲ କରିବାରେ ଲାଗିଥାନ୍ତି।
ଏହାର ସୁଯୋଗକୁ ପୋଡ଼ଶୀ ଦେଶର ରାଜା ସବୁ ତାଙ୍କ ଗୁପ୍ତଚରଙ୍କ ସହାୟତାରେ ଜାଣି ଆକ୍ରମଣ କରିବା ପାଇଁ ଯୋଜନା ଆରମ୍ଭ କରି ଦେଲେ । ଆକ୍ରମଣ ସଦୃଶ୍ୟ ସେହି ଅବୁଝା ଅନ୍ଧରାଜାଙ୍କ କ୍ଷମତା ଲୋଭର ପରିଣାମ ପ୍ରଜାମାନଙ୍କୁ ଭୋଗିବାକୁ ପଡିଲା। ବହୁ ସୈନ୍ୟ ସାମନ୍ତଙ୍କ ସହିତ ସାଧାରଣ ଜନସାଧାରଣଙ୍କ ମଧ୍ୟ ଜୀବନହାନୀ ଓ ଧନଜୀବନ ନଷ୍ଟ ହେଲା। ଆଉ ସୂର୍ଯ୍ୟୋଦୟ ହେବା ବେଳକୁ ପ୍ରଜାମାନେ ଆଉ ଗୋଟାଏ ରାଜାଙ୍କ ପ୍ରଜା ହୋଇସାରିଥାନ୍ତି।
ଏବେ ଏହାକୁ କହିବାର ତାତ୍ପର୍ଯ୍ୟ ହେଲା ଖାଲି ଯେ ରାଜା ରାଜୁଡ଼ା ଶାସନ ସମୟରେ ଅବୁଝା ଶାସକ ଥିଲେ ତାହା ନୁହଁ। ବର୍ତ୍ତମାନ ଗଣତନ୍ତ୍ର ଶାସନ ସମୟରେ ମଧ୍ୟ ଏହିଭଳିଆ ଅନେକ ଅବୁଝା ଶାସକ ରହିଥିବା ଦେଖିବାକୁ ମିଳୁଛି। ଗଣତନ୍ତ୍ର ଶାସନ ପ୍ରଣାଳୀ ଠିକ୍ ରହିବା ପାଇଁ ଅନେକ ବ୍ୟବସ୍ଥା ରହିଅଛି। ସେଥିପାଇଁ ଶାସନ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବା ପାଇଁ ବ୍ୟବସ୍ଥାପକ ସଭା ବା ସଂସ୍ଥା,କାର୍ଯ୍ୟକାରୀ ସଂସ୍ଥା ଓ ନ୍ୟାୟପାଳିକା ସଂସ୍ଥା ରହିଅଛି।କିନ୍ତୁ ଶାସକ ଅବୁଝା ହେଲେ ଏହାକୁ ଭୁଲିଯାଇ କିଛି ନିର୍ଦ୍ଦିଷ୍ଟ ଅଧସ୍ତନ ପରିଚାରକଙ୍କ କାନକୁହା କଥାରେ ପରିଚାଳିତ ହୋଇ ନିଜର ସର୍ଵସ୍ୱ ହରାଇ ଥିବା କଥା ମଧ୍ୟ ଦେଖିବାକୁ ମିଳିଥାଏ।
ଗଣତନ୍ତ୍ର ଶାସନ ସମୟରେ ଜନତା ଜନାର୍ଦ୍ଦନ ହେଉଛନ୍ତି ପ୍ରକୃତ ମାଲିକ୍। ସେମାନେ ତେଣୁ ଶାସକଙ୍କ ସବୁ ନିଷ୍ପତ୍ତି କୁ ଭଲ ଭାବରେ ନିରୀକ୍ଷଣ କରୁଥାନ୍ତି। ଯେଉଁ ଶାସକ ତାହା ବୁଝି ଶାସନ ପ୍ରଣାଳୀ ପାଈଁ ରହିଥିବା ଉଦ୍ଦିଷ୍ଟ ସମସ୍ତ ବିଧି ବ୍ୟବସ୍ଥା ଓ ସଂସ୍ଥା ପ୍ରତି ସଚେତନ ହୋଇ ଶାସନ କରିବାର ଦେଖିବାକୁ ମିଳିଥାଏ। ସେହି ଶାସକଙ୍କ ପ୍ରତି ଜନତା ଜନାର୍ଦ୍ଦନ ବାରମ୍ବାର ତାଙ୍କର ଆସ୍ଥା ଓ ବିଶ୍ୱାସ ଜାହିର କରିଥାନ୍ତି।
ନଚେତ୍ ଅବୁଝା ଶାସକଙ୍କୁ ଶାସକ ହେବାର ଯୋଗ୍ୟତା ହରାଇ ସାରିଥିବା କହି ତାଙ୍କୁ କ୍ଷମତାରୁ ହଟାଇ ଦେଇଥାନ୍ତି। ସଦ୍ୟ ସମାପ୍ତ ଗଣତନ୍ତ୍ର ର ମହାପର୍ବ ସମୟରେ ଏହିଭଳିଆ ଅନେକ ଅବୁଝା ଶାସକ ଶାସନ ହରାଇଥିବା ଦେଖିବାକୁ ମିଳେ।
ସିତାଂଶୁ ଶେଖର ମିଶ୍ର
ସୋନପୁର, ଶାନ୍ତି ନଗର
ଦୁରଭାଷ.୮୧୪୪୮ ୭୦୭୨୯