ଉତ୍କଳ ଆଲୁମିନାରେ ସପ୍ତାହବ୍ୟାପୀ ପରିବେଶ ଦିବସ ପାଳନ

ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଠାରେ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି। ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ଲାଷ୍ଟିକ ପ୍ରଦୂଷଣ ଜନିତ ଗୁରୁତର ପ୍ରସଙ୍ଗର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ବିଟ୍ପ୍ଲାଷ୍ଟିକ ପଲ୍ୟୁସନ୍ ବିଷୟରେ କର୍ମଚାରୀବୃନ୍ଦ, ପରିବାରବର୍ଗ ଏବଂ ସହଭାଗୀ ପ୍ରତିଷ୍ଠାନ ତଥା ଜନସାଧାରଣଙ୍କୁ ସମ୍ପୃକ୍ତ କରି ବିବିଧ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯାଇଥିଲା ।

ଏହି ଦିବସ ପାଳନର ଅଂଶସ୍ୱରୂପ ୟୁଏଆଇଏଲ୍ର ପରିବେଶ ଟିମ୍ କାରଖାନା ପରିସର, ସହରାଞ୍ଚଳ ଏବଂ ପାରିପାର୍ଶ୍ୱିକ ଜନବସତି ଅଞ୍ଚଳଗୁଡିକରେ ବୃକ୍ଷଚାରା ରୋପଣ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପରିବେଶ ବିଷୟ ଉପରେ କର୍ମଚାରୀବୃନ୍ଦ, ସେମାନଙ୍କ ପରିବାରସଦସ୍ୟ, ସହଭାଗୀ ସଂଗଠନ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କୁଇଜ୍ ସମେତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ‘ନୁକଡ ନାଟକ’ ମଧ୍ୟ ମଞ୍ଚସ୍ଥ ହୋଇଥିଲା । ଅନୁରୂପ ଭାବରେ ବାଫଲିମାଳି ବକ୍ସାଇଟ ଖଣିଠାରେ ବିଶ୍ୱ ପରିବେଶ ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ତଥା ଅଂଶଗ୍ରହଣରେ ପାଳିତ ହୋଇଛି । ପରିବେଶ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ଚାରା ରୋପଣ କାର୍ଯ୍ୟକ୍ରମ ସହିତ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସ୍ୱଦେଶୀ ବୃକ୍ଷଚାରା ରୋପଣ କରିବା ସହିତ ସେଗୁଡିକ ବଞ୍ଚି ରହିବାଯୋଗ୍ୟ ହେବା ପର୍ଯ୍ୟନ୍ତ ସେଗୁଡିକର ଯତ୍ନ ନେବାକୁ ଶପଥ ନେଇ ଥିଲେ।

ଏହି କ୍ରମରେ ଚଳିତ ଜୁନ୍ ୯ ତାରିଖରେ କାଶୀପୁର ବ୍ଲକ୍ର ବାରିଗୁଡା ଗ୍ରାମରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉନ୍ନତ’ ଅଧୀନରେ ଏକ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବେଶ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ସହିତ ଏହା ଆରମ୍ଭ ହୋଇଥିବାବେଳେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷିଦ୍ଧ କରିବା ଏବଂ ପରିବେଶ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ଅଗ୍ରଣୀ ଚାଷୀଙ୍କୁ ଜୈବିକ କୃଷି ଜରିଆରେ ପରିବେଶ ସୁରକ୍ଷା ଦିଗରେ ସେମାନଙ୍କର ଅନନ୍ୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା ।