୪ ଲୋକସଭା ପାଇଁ ୩୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ

କୋରାପୁଟ(ପ୍ରବାହ ନ୍ୟୁଜ୍) : ଶେଷ ହୋଇଛି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ଟି ଲୋକସଭା ଆସନରେ ମୋଟ ୩୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୨ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରାର୍ଥୀପତ୍ର ଯାଂଚ ପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି । ମୋଟ ୩୯ଜଣ ପ୍ରାର୍ଥୀ ୭୫ଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ଆଜି ଯାଂଚବେଳେ କୋରାପୁଟ ସଂରକ୍ଷିତ ସଂସଦୀୟ ଆସନରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି । ଅନ୍ୟ ୧୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସେହିପରି ନବରଙ୍ଗପୁର ସଂରକ୍ଷିତ ସଂସଦୀୟ ଆସନରେ ସବୁଠୁ କମ୍ ମାତ୍ର ୪ଜଣ ପ୍ରାର୍ଥୀ ଅଛନ୍ତି । ସେଠାରେ ୪ଜଣ ପ୍ରାର୍ଥୀ ହିଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ସବୁ କାଏମ ରହିଛି । ସେହିପରି ବ୍ରହ୍ମପୁର ସଂସଦୀୟ ଆସନ ଓ କଳାହାଣ୍ଡି ସଂସଦୀୟ ଆସନରେ ୧୧ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି ।