ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ୧୦,୭୦୦ରୁ ଅଧିକ ରୁଫ୍ଟପ୍ ସୋଲାର ସ୍ଥାପନ ସହ ରାଜ୍ୟରେ ରେକର୍ଡ ରଚିଲା ଖୋର୍ଦ୍ଧା ଜିଲ୍ଲା
ଭୁବନେଶ୍ୱର, ଓଡ଼ିଶା: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ଏକ ବଡ଼ ସଫଳତା ହାସଲ କରି, ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଖୋର୍ଦ୍ଧା ଜିଲ୍ଲା ୧୦,୦୦୦ ରୁ ଅଧିକ ରୁଫ୍ଟପ୍ ସୋଲାର ସ୍ଥାପନ କରିବାର ଗୌରବ ଅର୍ଜନ କରିଛି । ୧୦,୭୫୪ଟି ରୁଫ୍ଟପ୍ ସୋଲାର ସ୍ଥାପନ ଏବଂ ପ୍ରାୟ ୩୫ ମେଗାୱାଟ୍ ପିକ୍ (ଏମଡବ୍ଲୁପି) ର ସ୍ଥାପିତ କ୍ଷମତା ସହିତ, ଖୋର୍ଦ୍ଧା ଓଡ଼ିଶାରେ ରୁଫ୍ଟପ୍ ସୋଲାର ଆପଣାଇବାରେ ଆଗୁଆ ରହିଛି ଏବଂ ସମଗ୍ର ରାଜ୍ୟରେ ଅକ୍ଷୟ ଶକ୍ତିର ପ୍ରସାର ପାଇଁ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ସଫଳତା ସ୍ୱଚ୍ଛ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ବଢୁଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି । ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ଉଭୟ ୧ କିଲୋୱାଟ୍ ପର୍ଯ୍ୟନ୍ତ (ୟୁଏଲଏ) ଏବଂ ୧ କିଲୋୱାଟ୍ରୁ ଅଧିକ (ନନ୍-ୟୁଏଲଏ) ଉପଭୋକ୍ତା ଶ୍ରେଣୀ ପାଇଁ ରାଜ୍ୟ ବର୍ତ୍ତମାନ ଦେଶରେ ସବୁଠାରୁ ଆକର୍ଷଣୀୟ ରୁଫ୍ଟପ୍ ସୋଲାର ସବ୍ସିଡି ବ୍ୟବସ୍ଥା ଯୋଗାଇ ଦେଉଛି । ଯୋଗ୍ୟ ଉପଭୋକ୍ତାମାନେ ରୁଫ୍ଟପ୍ ସୋଲାର ସ୍ଥାପନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସବ୍ସିଡି ବାବଦରେ ୧,୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ, ଯାହା ପ୍ରାରମ୍ଭିକ ଖର୍ଚ୍ଚକୁ ବହୁ ପରିମାଣରେ କମାଇ ଦେଉଛି ଏବଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ପରିବାରଗୁଡ଼ିକ ପାଇଁ ସ୍ୱଚ୍ଛ ଶକ୍ତି ଆପଣାଇବାକୁ ଅଧିକ ସହଜ ଓ ଶସ୍ତା କରୁଛି ।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ ଦ୍ୱାରା ଆରମ୍ଭ କରାଯାଇଥିବା \”ମୋ ଛାତ, ମୋ ସଞ୍ଚୟ’ ଅଭିଯାନ ଏହି ସଫଳତାର ଏକ ପ୍ରମୁଖ କାରଣ ସାଜିଛି । ଏହି ଅଭିଯାନ ପରିବାର, ଅନୁଷ୍ଠାନ ଏବଂ ଜନ ସମୁଦାୟ ମଧ୍ୟରେ ରୁଫ୍ଟପ୍ ସୋଲାରର ଅର୍ଥନୈତିକ ଏବଂ ପରିବେଶଗତ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ, ଏହି ଅଭିଯାନ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା ସହିତ ଏକ ସବୁଜ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ଯୋଗଦାନ ଦେବା ପାଇଁ ସୌର ଶକ୍ତି ଆପଣାଇବାକୁ ଉତ୍ସାହିତ କରୁଛି । ସୁଦୃଢ଼ ସହରୀ ଓ ଗ୍ରାମୀଣ ଭାଗିଦାରୀ, ସକ୍ରିୟ ସ୍ଥାନୀୟ ପ୍ରଶାସନ ଏବଂ ପ୍ରଭାବଶାଳୀ ଉପଭୋକ୍ତା ସମ୍ପର୍କ କାର୍ଯ୍ୟକ୍ରମ ଯୋଗୁଁ ଖୋର୍ଦ୍ଧା ଏହି ଅଭିଯାନରେ ସବୁଠାରୁ ଆଗରେ ରହିଛି । ଏହି ସଚେତନତା ପ୍ରୟାସର ଅଂଶସ୍ୱରୂପ, ନାଗରିକମାନଙ୍କୁ ରୁଫ୍ଟପ୍ ସୋଲାର ବୈଷୟିକ ଜ୍ଞାନକୌଶଳ, ସବ୍ସିଡିର ଲାଭ, ସ୍ଥାପନ ପ୍ରକ୍ରିୟା ଏବଂ ଦୀର୍ଘକାଳୀନ ସଞ୍ଚୟର ସୁଯୋଗ ବିଷୟରେ ଶିକ୍ଷା ଦେବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ସୂର୍ଯ୍ୟ ଘର ଗ୍ରାମ ସଭା ଗୁଡ଼ିକର ଆୟୋଜନ କରାଯାଉଛି । ଉପଭୋକ୍ତାମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଡିସକମ୍ଗୁଡ଼ିକ ସରପଞ୍ଚ, ବ୍ଲକ ସ୍ତରୀୟ ଅଧିକାରୀ, ସ୍ଥାନୀୟ ନେତା ଏବଂ ସାଧାରଣ ଲୋକମାନଙ୍କ ସହ ସକ୍ରିୟ ଭାବରେ କାମ କରୁଛନ୍ତି । ଏହି ସମୂହ ପ୍ରୟାସ ଯୋଗୁଁ ଖୋର୍ଦ୍ଧା ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ୧୦,୦୦୦ ରୁଫ୍ଟପ୍ ସୋଲାର ସ୍ଥାପନର ଏହି ଐତିହାସିକ ସଫଳତା ହାସଲ କରିପାରିଛି ।
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ ରୁଫ୍ଟପ୍ ସୋଲାର ଆପଣାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ଉପଭୋକ୍ତାଙ୍କ ପାଇଁ ଅନୁକୂଳ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏଥିମଧ୍ୟରେ ନେଟ୍ ମିଟରର ଉପଲବ୍ଧତା, ସମୟାନୁବର୍ତ୍ତୀ ଯାଞ୍ଚ ଓ କାର୍ଯ୍ୟକ୍ଷମ କରିବା, ସରଳୀକୃତ ଭେଣ୍ଡର ପଞ୍ଜୀକରଣ ଓ ପରିଚାଳନା ଏବଂ ସରକାରୀ ବିଲ୍ଡିଂ ଗୁଡ଼ିକର ସୋଲାରାଇଜେସନ୍ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରିବା ଅନ୍ତର୍ଭୁକ୍ତ ।
ଟିପିସିଓଡିଏଲ୍ ର ସିଇଓ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ଖୋର୍ଦ୍ଧା ୧୦,୦୦୦ ରୁ ଅଧିକ ରୁଫ୍ଟପ୍ ସୋଲାର ସ୍ଥାପନ କରିବା ରାଜ୍ୟର ସ୍ୱଚ୍ଛ ଶକ୍ତି ଯାତ୍ରା ପାଇଁ ଏକ ଗର୍ବର ବିଷୟ । ଏହି ସଫଳତା ରୁଫ୍ଟପ୍ ସୋଲାର ସମାଧାନ ଉପରେ ଉପଭୋକ୍ତାଙ୍କ ବଢୁଥିବା ବିଶ୍ୱାସ ଏବଂ ‘ମୋ ଛାତ, ମୋ ସଞ୍ଚୟ’ ଏବଂ ‘ସୂର୍ଯ୍ୟ ଘର ଗ୍ରାମ ସଭା’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସାମୂହିକ ପ୍ରୟାସର ସଫଳତାକୁ ପ୍ରତିଫଳିତ କରେ । ଦୀର୍ଘସ୍ଥାୟୀ ଶକ୍ତିକୁ ଆପଣାଇବାରେ ପରିବାର, ସ୍ଥାନୀୟ ନେତା ଏବଂ ସ୍ଥାନୀୟ ପ୍ରଶାସନର ଉତ୍ସାହଜନକ ଅଂଶଗ୍ରହଣ ଦ୍ୱାରା ଆମେ ଉତ୍ସାହିତ ହୋଇଛୁ । ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା, ରୁଫ୍ଟପ୍ ସୋଲାର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାର ଏକ ସବୁଜ, ଆତ୍ମନିର୍ଭରଶୀଳ ଏବଂ ଶକ୍ତି-ସୁରକ୍ଷିତ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଯୋଗଦାନ ଦେବା ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।”
୨୦୨୬ ମେ ମାସରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଦ୍ୱାରା ପରିଚାଳିତ \”ମନ୍ଥ ଅଫ୍ ସୋଲାର’ ଅଭିଯାନ ଅଧୀନରେ ଓଡ଼ିଶାର ରୁଫ୍ଟପ୍ ସୋଲାର ପ୍ରଗତି ମଧ୍ୟ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି । ଏହି ଅଭିଯାନ ସମୟରେ ଓଡ଼ିଶା ମାସକ ମଧ୍ୟରେ ୩୦,୨୧୪ଟି ଆବେଦନ ଗ୍ରହଣ କରି, ୧୨,୯୬୪ଟି ରୁଫ୍ଟପ୍ ସୋଲାର ସିଷ୍ଟମ୍ କାର୍ଯ୍ୟକ୍ଷମ କରି ଏବଂ ୧୪,୧୮୧ଟି ଯାଞ୍ଚ କରି ସମସ୍ତ ତିନୋଟି ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକାଙ୍କରେ ମଧ୍ୟମ ଶ୍ରେଣୀର ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଖୋର୍ଦ୍ଧାର ଏହି ସଫଳତା ଏବଂ ରାଜ୍ୟର ସାମଗ୍ରିକ ରୁଫ୍ଟପ୍ ସୋଲାର ସଫଳତା ସ୍ୱଚ୍ଛ ଶକ୍ତିର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବାରେ ଏବଂ ଉପଭୋକ୍ତାମାନଙ୍କୁ ଏକ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନରେ ସକ୍ରିୟ ଅଂଶୀଦାର ହେବା ପାଇଁ ସଶକ୍ତ କରିବାରେ ଓଡ଼ିଶାର ନେତୃତ୍ୱକୁ ପ୍ରମାଣିତ କରୁଛି ।
