କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉଲ୍ନେଖନୀୟ ଫଳାଫଳ ପ୍ରଦର୍ଶନ ପାଇଁ ନାଲକୋର ଭୁୟସୀ ପ୍ରଶଂସା କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ନାଲକୋ ସମୁଦାୟକୁ ଉଲ୍ନେଖନୀୟ ଫଳାଫଳ ଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି, କର୍ମଚାରୀଙ୍କ ପାଇଁ ଉପହାର ଏବଂ ବୋନସ୍ ଘୋଷଣା କରିଛନ୍ତି |

କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ନାଲକୋର ଉଲ୍ନେଖନୀୟ ସଫଳତା ପାଇଁ ପ୍ରଶଂସା କରିଛନ୍ତି, ନାଲକୋ ଆତ୍ମନିର୍ଭର ଭାରତର ଉଜ୍ଜ୍ୱଳ ଉଦାହରଣ ବୋଲି କହିଛନ୍ତି।

29.12.2022, ଭୁବନେଶ୍ୱର: ବିଶ୍ୱବ୍ୟାପୀ ଆହ୍ୱାନପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ, ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ଭୁୟସୀ ପ୍ରଶଂସା କରିଛନ୍ତି। ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଆଜି ଭୁବନେଶ୍ୱରଠାରେ ନାଲକୋ ମୁଖ୍ୟ କାର୍ଯ୍ୟାଳୟ ଗସ୍ତ ସମୟରେ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମର ଉତ୍ପାଦନ ଓ ରପ୍ତାନିକାରୀ ଉଦ୍ୟୋଗ ତଥା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ), 2021-22 ଆର୍ଥିକ ବର୍ଷରେ ସର୍ବକାଳୀନ ରେକର୍ଡ ହାସଲ କରିଛି | । କମ୍ପାନୀ 2,952 କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା କମ୍ପାନୀ ସ୍ଥାପନା ହେବା ଦିନଠାରୁ ସର୍ବାଧିକ ଅଟେ |

ସମଗ୍ର ବିଶ୍ୱ କୋଭିଡ-19 ମହାମାରୀର ପ୍ରଭାବ ଭିତରେ ଗତି କରୁଥିଲା ବେଳେ, ନାଲକୋ ନିଜର ଉତ୍ପାଦନ ଏବଂ ଉତ୍ପାଦକତାକୁ ସଠିକ୍ ଦିଗରେ ପରିଚାଳନା କରିବାରେ ସକ୍ଷମ ହୋଇ ପାରିଥିବାରୁ, ମାନ୍ୟବର ମନ୍ତ୍ରୀ ଶ୍ରୀ ଯୋଶୀ, ଟିମ୍ ନାଲକୋ ଏବଂ ଏହାର ନେତୃବର୍ଗର ପ୍ରଶଂସା କରିଥିଲେ। ଶ୍ରୀ ଯୋଶୀ କହିଛନ୍ତି ଯେ ଆଲୁମିନିୟମ୍ ର ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ନାଲକୋ ସର୍ବଦା ଆଗରେ ରହିଆସିଛି | ନାଲକୋ ଏବଂ ଅନ୍ୟାନ୍ୟ ଖଣି ଏବଂ ଧାତବଶିଳ୍ପ ସଂଗଠନଗୁଡ଼ିକ ପ୍ରକୃତରେ ‘ଆତ୍ମନିର୍ଭର ଭାରତ’ ର ଉଜ୍ଜ୍ୱଳ ଉଦାହରଣ ବୋଲି ସେ କହିଛନ୍ତି।

ଯେତେବେଳେ ସଂଗଠନ ଏବଂ ଶିଳ୍ପଗୁଡିକ ସେମାନଙ୍କର ସଫଳତାର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ଜାରି ରଖନ୍ତି ଏବଂ ପ୍ରତ୍ୟେକ ଥର ନୂତନ ମାନଦଣ୍ଡ ସ୍ଥିର କରନ୍ତି, ସେତେବେଳେ ଏହା ଆତ୍ମବିଶ୍ୱାସର ଭାବନା ସୃଷ୍ଟି କରିଥାଏ ଯେ ଆମର ଅର୍ଥନୀତି ଏବଂ ନୂତନ ଭାରତର ଦୂରଦୃଷ୍ଟି ହାସଲ କରିବା ପାଇଁ ଆମର ପ୍ରୟାସ ସଠିକ୍ ଦିଗରେ ଗତି କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।

ଏହି ଅବସରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ କର୍ମଚାରୀଙ୍କ ପାଇଁ ନିଜର କୃତଜ୍ଞତାପ୍ରଦାନ ପୂର୍ବକ ବିଗତ 42 ବର୍ଷର ରେକର୍ଡ ଭଙ୍ଗ କରି ସଫଳତା ପ୍ରଦାନ କରିଥିବାରୁ, ଟ୍ୟାକ୍ସପୂର୍ବ-ଲାଭାଂଶର 1% ଉପହାର ସ୍ୱରୂପ ଘୋଷଣା କରିଛନ୍ତି। ସମସ୍ତ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ପାଇଁ ମଧ୍ୟ ଶ୍ରୀ ଯୋଶୀ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଏକ ମାସର ମୂଳ ବେତନ ଉପହାର ଆକାରରେ ଦିଆଯିବା ପାଇଁ ଘୋଷଣା କରିଥିଲେ | ଭବିଷ୍ୟତରେ ଅଧିକରୁ ଅଧିକ ସଫଳତା ହାସଲ କରିବା ପାଇଁ ସେ ନାଲକୋ କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍ସାହ, ଉତ୍ସର୍ଗୀକୃତ ମନୋଭାବ ଜାରି ରଖିବାକୁ କହିଥିଲେ |

ଏହି ଅବସରରେ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ମଧ୍ୟ ଉପସ୍ଥିତ ଥିଲେ ଏବଂ ନାଲକୋ ସାମୁଦାୟଙ୍କୁ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ଶ୍ରୀଧର ପାତ୍ର, ସିଏମଡି, ନାଲକୋ, କମ୍ପାନୀ ତରଫରୁ ଖଣି ମନ୍ତ୍ରଣାଳୟର ନିରବିଛିନ୍ନ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ତଥା ଅନ୍ୟ ଅଂଶଧାରକମାନଙ୍କ  ସହଯୋଗ ଫଳରେ ଏହି ସଫଳତା ହାସନ ହୋଇପାରିଛି ବୋଲି କହିଛନ୍ତି। ବିଗତ ଚାରି ଦଶନ୍ଧିର ନାଲକୋ ସର୍ବଦା ଉତ୍କର୍ଷତା ପ୍ରତିପାଦନ କରିବା ସହ ସର୍ବଦା ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ତୁଳନାରେ ଉତ୍ତମ ପ୍ରଦର୍ଶନ କରିଆସୁଅଛି । ନାଲକୋର ଆଗାମୀ 43 ତମ ସ୍ଥାପନା ଦିବସ ପାଳନର ଠିକ ପୂର୍ବରୁ ମାନନୀୟ ଖଣି ମନ୍ତ୍ରୀଙ୍କ ଦ୍ୱାରା ଆମ କର୍ମଚାରୀଙ୍କ ପରିଶ୍ରମ ତଥା ଉଦ୍ୟମକୁ ପ୍ରଶଂସା କରିବା, ଆମମାନଙ୍କ ମନୋବଳ ବୃଦ୍ଧି କରାଇ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରେରିତ କରିଛି ।  

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ବିନା କୁମାରୀ ଡି, ଯୁଗ୍ମ ସଚିବ, କେନ୍ଦ୍ର ଖଣି ମନ୍ତ୍ରଣାଳୟ, ନାଲକୋର ସମସ୍ତ ନିର୍ଦ୍ଦେଶକ, ମୁଖ୍ୟ ସତର୍କତା ଅଧିକାରୀ, ବିଭିନ୍ନ ୟୁନିଅନ ଏବଂ ଆସୋସିଏସନର ପ୍ରତିନିଧୀଗଣ, ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନୁଗୁଳ ଏବଂ ଦାମନଯୋଡିଛାରେ ଅବସ୍ଥିତ ଅପରେଟିଂ ୟୁନିଟର ସମସ୍ତ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀମାନେ ମଧ୍ୟ ଏହି ହାଇବ୍ରିଡ୍ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *