ଆମ୍ବତୋଟାରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର :: ପେଶାଦାର ଅପରାଧୀର ହାତ ଥିବା ସନ୍ଦେହ

ଖୋର୍ଦ୍ଧା: ୧୭/୧୧(ପ୍ରବାହ ନିଉଜ) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୁଡ଼ୁମ୍ ଗ୍ରାମ ନିକଟ ବେଙ୍ଗିଟାଙ୍ଗୀର ଏକ ଆମ୍ବତୋଟା ମଧ୍ୟରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍।

ସୂଚନା ମୁତାବକ ଗତ ବୁଧବାର ଅପରାହ୍ନରେ କିଛି ସ୍ଥାନୀୟ ଲୋକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ଅଧୀନ ବେଙ୍ଗିଟାଙ୍ଗୀ ଲେଙ୍କାତୋଟା ନାମକ ଏକ ବୁଦୁବୁଦିଆ ଜଙ୍ଗଲ ମଧ୍ୟରେ  ଅନେକ ସ୍ଥାନରେ ମଦ ବୋତଲ, ବ୍ରାଉନସୁଗାର ସେବନ କରିବାରେ ଉପଯୋଗୀ ଫଏଲ୍ ପେପର୍ ଏବଂ କୌଣସି ଏକ ବାଇକ୍ ର ଭଙ୍ଗା ଯନ୍ତ୍ରାଂଶ ସାମଗ୍ରୀ ଇତସ୍ତତଃ ହୋଇ ପଡିଥିବା ସହିତ ଏକ ସ୍ଥାନରେ ମାଟି ଘୋଡ଼ା ଯାଇଥବା ଦେଖିବାକୁ ପାଇଥିଲେ । କିଛି ଅପ୍ରୀତିକର ପରିସ୍ଥିତି ଘଟିଥିବା ସନ୍ଦେହରେ ମାଟି ଆଡେଇବାକୁ ଯାଇ ମାଟି ଘୋଡ଼ା ଯାଇଥବା ସ୍ଥାନରେ ମଣିଷ ପାପୁଲି ବାହାରିଥିବା ଦେଖିବାକୁ ପାଇ ପୋଲିସ୍ କୁ ସୂଚନା ଦେଇଥିଲେ।

ଘଟଣା ସମ୍ପର୍କରେ ପୋଲିସ୍ ଜାଣିବା ପରେ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ନିଜ ହେପାଜତକୁ ନେଇ ମାଟି ଘୋଡ଼ା ଯାଇଥବା ସ୍ଥାନକୁ ଦୌଡି ଟାଣି ସିଲ କରିବା ସହିତ ସାରାରାତି ପହରା ଦେଇଥିଲେ।

ତେବେ ଗୁରୁବାର ପୂର୍ବାହ୍ନରେ ଘଟଣା ସ୍ଥଳରେ ଖୋର୍ଦ୍ଧା ତହସିଲଦାରଙ୍କ ସହିତ ଜିଲ୍ଲା ପୋଲିସ୍ ର ସମସ୍ତ ବରିଷ୍ଟ ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଗାତ ଭିତରେ ଜଣେ ଯୁବକଙ୍କ ମୃତଦେହକୁ ପାଇଥିଲେ। କେଉଁପରି ଭାବେ ଯୁବକଙ୍କୁ ହତ୍ୟା କରାଯାଇଛି ଓ ସେଠାରେ କିପରି ଭାବରେ ଏତେବଡ଼ ଗାତ କରି ଯୁବକଙ୍କୁ ପୋତାଗଲା ସେ ସମ୍ପର୍କରେ ପୋଲିସ୍ ଟିମ୍ ତଦନ୍ତ ଜାରି ରଖିଥିବା ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଳିତ ଯୁବକଙ୍କ ମୃତଦେହକୁ ପ୍ରାୟ ଚାରିଫୁଟ ଗାତ ମଧ୍ୟରୁ ଉଦ୍ଧାର କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ମୃତଦେହକୁ ନଷ୍ଟ କରିବା ପାଇଁ ବ୍ୟାପକ ପରିମାଣର ଦାନାଦାର ସାର, ଲୁଣ, କିରୋସିନ ଓ କ୍ୟାଲସିୟମ ପାଉଡର ବ୍ୟବହାର କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ପାରିପାର୍ଶ୍ବିକ ଅବସ୍ଥିତିରୁ କୌଣସି ପେଷାଦାର ହତ୍ୟାକାରୀଙ୍କ ଦ୍ବାରା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ୍ ସନ୍ଦେହ କରିଛି। ହତ୍ୟାକାରୀକୁ ଠାବ କରିବା ପାଇଁ ପୋଲିସ୍ ପକ୍ଷରୁ ସୁଦକ୍ଷ ଅଫିସରଙ୍କୁ ଚାରୋଟି ଟିମ୍ ଗଠନ କରାଯାଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *