ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ୩ ଗିରଫ

ଖୋର୍ଦ୍ଧା : ୧୮/୦୪/୨୦୨୧ : ଗତ ୧୫ ତାରିଖ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ପାଇକରାୟ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି।

ପୂର୍ବ ସୂଚନା ଅନୁଯାୟୀ, ରାମେଶ୍ୱର ଛକ ନିକଟସ୍ଥ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ୬ ରୁ ୮ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେବା ସହିତ ସ୍କୁଟି ଡିକିରୁ ଜମା ନିମନ୍ତେ ଥିବା ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ।

ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପକ୍ଷରୁ ଜଙ୍କିଆ ଥାନାରେ ରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଖୋର୍ଦ୍ଧା ଏସ୍.ପି ଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଏସ.ଡ଼ି.ପି.ଓ. ସୁଶୀଲ ମିଶ୍ର, ଜଙ୍କିଆ ଆଇ.ଆଇ.ସି ସତ୍ୟବ୍ରତ ଲେଙ୍କା, ନିରାକାରପୁର ଆଇ.ଆଇ.ସି ଭବାନୀ ଶଙ୍କର ଖୁଣ୍ଟିଆ ଏବଂ ଖୋର୍ଦ୍ଧା ପୋଲିସର ସ୍ପେଶାଲ ସ୍କ୍ୱାର୍ଡ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ମାନେ ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆପଡା ର ଅନୀଲ ସୁନ୍ଦରାୟ ଓରଫ ଡାକା, ପଦ୍ମପୁରର ସିଦ୍ଧାନ୍ତ ସ୍ୱାଇଁ ଓରଫ ଚିଣ୍ଟୁ ଓ ଜଙ୍କିଆ ଥାନା ଅନ୍ତର୍ଗତ ବାଲିଗାଡ଼ିଆ ଗ୍ରାମର ପିତାମ୍ବର ବଳିୟାରସିଂହ ଓରଫ ଧଣ୍ଡୁଆ ବୋଲି ଜଣାପଡିଛି, ଏହା ସହିତ ସେମାନଙ୍କ ନିକଟରୁ ୧ ଲକ୍ଷ ୧ ହଜାର ୭ ଶହ ୮୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟିଏ ଖଣ୍ଡା, ୪ଟି  ମୋବାଇଲ ଏବଂ ୩ଟି ମଟରସାଇକେଲ ଜବତ ହୋଇଛି।

ଏ ନେଇ ଆଜି ମଧ୍ୟାହ୍ନରେ ଜଙ୍କିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଦୋରା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *