ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ଐତିହାସିକ “ନବୀନ’ : ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍ : ସ୍ୱତନ୍ତ୍ର ଓଡ଼ିଶା ଗଠନରେ “ନବୀନ’ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷକରି ଓଡ଼ିଆ ଲେଖକ-ଲେଖିକାମାନଙ୍କୁ ପ୍ରତିଷ୍ଠିତ କରିବାରେ “ନବୀନ’ ସଦାସର୍ବଦା ଉତ୍ସାହିତ କରିଆସିଛି । “ନବୀନ’ ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ବୋଲି ଓଡ଼ିଶାର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମତପ୍ରକାଶ କରିଛନ୍ତିି । ସୋମବାର ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକସ୍ଥିତ ରାଜସ୍ୱ ଡାକ ବଙ୍ଗଳାରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ “ନବୀନ’ର ସଂପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ୨୭ତମ ବିଷୁବ ମିଳନ ସମାରୋହ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଦେବା ସହ “ନବୀନ’ ଓଡ଼ିଶାର ଏକ ଚଳନ୍ତି ଦସ୍ତାବିଜ ବୋଲି କହିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ “ନବୀନ’ ଭଳି ଏକ ଐତିହାସିକ ସମ୍ବାଦପତ୍ରକୁ ବଞ୍ଚେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିବା ସହ ଏହି ସମ୍ବାଦପତ୍ର ଶତବାର୍ଷିକୀ ପାଳନ କରୁ ବୋଲି ଶୁଭକାମନା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଡ. ବାୟାମନୁ ଚର୍ଚ୍ଚି ଯୋଗଦେଇ ଭାଷା ଆନ୍ଦୋଳନ, ସ୍ୱାଧୀନତା ଆନ୍ଦୋଳନ ଏବଂ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ସ୍ଥାନ ସର୍ବାଗ୍ରେ ବୋଲି ପ୍ରକାଶ କରିବା ସହ “ନବୀନ’ ଅନୁଷ୍ଠାନ କବି-ଲେଖକମାନଙ୍କ ଏନ୍ତୁଡ଼ିଶାଳ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ତଥା ଲେଖକ ଗଦାଧର ପାତ୍ର ଗଞ୍ଜାମର ସାଂସ୍କୃତିକ ବିବିଧତା ଅନନ୍ୟ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କବି ଲିଙ୍ଗରାଜ ଜେନା, ସୁଲେଖିକା ସରୋଜିନୀ ମିଶ୍ର, ଗବେଷକ ସଞ୍ଜୟ କୁମାର ଷଡଙ୍ଗୀ, ଅନୁବାଦିକା କେ. ଜୟଶ୍ରୀ ଦୋରା ଓ ଯୁବ ନାଟ୍ୟକାର ଚିନ୍ମୟ ରଂଜନ ମିଶ୍ରଙ୍କୁ “ନବୀନ ବିଷୁବ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଥିଲା । ଏହା ସହିତ କବି ତଥା ଅନୁବାଦକ ନିଳାଦ୍ରୀ ବିହାରୀ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀ ଶ୍ରୀ ବିଷ୍ଣୁ ସହସ୍ରନାମର ଓଡ଼ିଆ ପଦ୍ୟାନୁବାଦ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସ୍ୱାଗତ ସମିତି ଅଧ୍ୟକ୍ଷ ଲମ୍ବୋଦର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ କାମରାଜୁ ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରତିଷ୍ଠାନର ସଂପାଦକ ସୁଶାନ୍ତ କର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସାମ୍ବାଦିକ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ସମ୍ମାନିତ ଅତିଥି ଭାବେ ଡ. ଡମ୍ବରୁଧର ସାହୁ, ପ୍ରବଚକ ଜଗନ୍ନାଥ ପଣ୍ଡା ଓ ପାଗଳ ବାବା ଆଶ୍ରମର ପ୍ରତିଷ୍ଠାତା ଚକ୍ରଧର ସାହୁ ଯୋଗ ଦେଇଥିଲେ । କବୟିତ୍ରୀ ସସ୍ମିତା କୁମାରୀ ପାଣିଗ୍ରାହୀ ଓ ସାଗରିକା ଆଚାର୍ଯ୍ୟଙ୍କ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ଶତାଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ

Leave a Reply

Your email address will not be published. Required fields are marked *

You may have missed