ଶାସକଙ୍କୁ ଉଚିତ୍ ବାଟକୁ ଆଣିବାକୁ ଜ୍ଞାନୀ ସୁଧିଜନଙ୍କ ଭୂମିକା ଜରୁରୀ ଅଟେ

ଆମ ଗଣତନ୍ତ୍ର ଶାସନର ମୁଖ୍ୟ ପ୍ରକ୍ରିୟା ହେଉଛି ନିର୍ବାଚନ। ନିର୍ବାଚନ ରେ ଅନେକ ଦଳ ଭାଗ ନିଅନ୍ତି। ଶାସନ ସକାଶେ ସେହି ଦଳକୁ ସୁଯୋଗ ମିଳିଥାଏ ଯାହାର ସଂଖ୍ୟା ଅଧିକ ରହେ। ତେଣୁ ସଂଖ୍ୟାର ଖେଳ ବେଶ୍ ଗୁରୁତ୍ୱ ବହନ କରେ। 

ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ବେଳେ ଜନସାଧାରଣ ଙ୍କ ମନ ଜିଣିବା ନିମନ୍ତେ ଅନେକ ଲୋଭନୀୟ କଥା କହିଥାନ୍ତି। କ୍ଷମତା କୁ ଆସିବା ପରେ ତାହା ପାଳନ କରିବାକୁ ପଡ଼ିଥାଏ। ଜନସାଧାରଣ ଆଶା କରିଥାନ୍ତି ଏହା ଦ୍ୱାରା ଲାଭବାନ ହେବେ।କିନ୍ତୁ ପ୍ରକାରନ୍ତରେ ସେମିତି କିଛି ହୋଇନଥାଏ। ଏପରିକି କିଛିଜିନିଷ ସମାଜର ଗରିବ, ବଞ୍ଚିତ, ଶୋଷିତ ଶ୍ରେଣୀ ସକାଶେ ମାଗଣା ଦେଇଥାନ୍ତି ବୋଲି ପ୍ରଚାର କରନ୍ତି।

ଅନ୍ୟାନ୍ୟ ଶ୍ରେଣୀ ସକାଶେ ମଧ୍ୟ ଅନେକ ଯୋଜନା ବିଷୟରେ ଆଲୋଚନା କରନ୍ତି। ହେଲେ ଅଳ୍ପ ଦେଇ ବହୁତ ନେଇ ଯାଆନ୍ତି।

ସେଥିପାଇଁ ଏହିଭଳିଆ କିଛି ଉପାୟ କରନ୍ତି ଯାହାକି ଜନସାଧାରଣ ଙ୍କ ଅଗୋଚରରେ ତାକୁ ହାସଲ କରିଥାନ୍ତି। ସମସ୍ତ ଜିନିଷ ଉପରେ ସେବା ଯୋଗାଇ ଦେବା ନାମରେ ସେବାକର ନିଅନ୍ତି। ଏପରିକି ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କର ଧାର୍ଯ୍ୟ କରନ୍ତି ସେ ମାଗଣା ପାଉଥିବା ଲୋକ ଏହା ଦ୍ବାରା ବେସି ହନ୍ତସନ୍ତ ହୁଏ ସିନା କିନ୍ତୁ ବୁଝିପାରେ ନାହିଁ। ଶାସକ ଦେଉଛି ଦେଉଛି କହି ଲୁଟି ଚାଲିଥାଏ।

ଏହିଭଳିଆ କାର୍ଯ୍ୟ ସବୁ ଶାସକ କରୁଥିବା ବେଳେ ଯେଉଁମାନେ ସମାଜର ସଶକ୍ତ ପ୍ରହରୀ ବା ଜ୍ଞାନୀଗୁଣି ଶ୍ରେଣୀର ପୂଜ୍ୟଗଣ ମଧ୍ୟ ପୁରସ୍କାର ପଛରେ ଦୌଡ଼ି ଉପକୃତ ହେବା ଆଶାରେ ଅନେକ କ୍ଷେତ୍ରରେ ଅପଦସ୍ତ ହେଉଥିବା ବିସ୍ମୟ କର ଖବର ଆହୁରି ରୋଚକ ଅଟେ।

ସମାଜ ପାଇଁ ଯାହାର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ସେମାନେ ତାହାକୁ ଠିକ୍ ଭାବରେ ପାଳନ କରୁନଥିବା ବେଳେ। ଆଉ ଗୋଟିଏ ପଟରେ ସମାଜ ଯାହାକୁ  ଘୃଣା କରିଥାଏ ସେହିଭଳିଆ ସମାଜର ଦଳପତିଙ୍କ ଆଭିମୁଖ୍ୟ ଚକିତ କରେ। 

ଏକ ସମୟର କଥା ଏକ କୁଖ୍ୟାତ ଡକାୟତ ଦଳ ର ସର୍ଦ୍ଦାର ଚିନ୍ତାକଲା କିଛି ପୁରସ୍କାର ପ୍ରଦାନ କରିବା କଥା। ସେଥିପାଇଁ ସେ ସମାଜର କିଛି  କବି,ଲେଖକ ଓ ଗାଳ୍ପିକଙ୍କୁ  ମନୋନୀତ କଲା।ସେମାନଙ୍କୁ ପ୍ରସ୍ତାବ ଦେଲା ଗୋଟାଏ ପ୍ରତିଷ୍ଠିତ ବେସରକାରୀ ଶିଳ୍ପାନୁଷ୍ଠାନ ମାଧ୍ୟମରେ ସମର୍ଦ୍ଧନା ଓ ପୁରସ୍କାର କାର୍ଯ୍ୟକ୍ରମ ସକାଶେ। ସମସ୍ତେ ଏହାକୁ ସ୍ୱୀକାର କଲେ। ନିର୍ଦ୍ଧାରିତ ଧାର୍ଯ୍ୟ ତାରିଖ, ସମୟ ଓ ସ୍ଥାନରେ ସମସ୍ତେ ଉପସ୍ଥିତ ହେଲେ।

ଧୁମଧାମରେ ସ୍ୱାଗତ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିଲା  ସମ୍ବର୍ଦ୍ଧନା ଉତ୍ସବ। ଖୁସି ହେବା ଭଳିଆ ପୁରସ୍କାର ପ୍ରଦାନ କରାଯାଇଥିଲା। ଯାହାକି ପାଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କେବେ ମଧ୍ୟ ସେହିଭଳିଆ ସମ୍ମାନ ଓ ପୁରସ୍କାର ରେ ପୁରସ୍କୃତ ହୋଇନଥିଲେ। ତାହା ସହ ଖାଇବା ପିଇବା ରେ ମଧ୍ୟ ବେଶ ନିଆରା ରହିଥିଲା। କୋଣସି ରାଜକୀୟ ଉତ୍ସବରେ ଯୋଗଦାନ ଭଳିଆ ମନେ କରିଥିଲେ। ସଭା ସରିଲା । ସମସ୍ତ କାର୍ଯ୍ୟକ୍ରମ ସରିଲା। ଶେଷରେ ପୁଣି ସମସ୍ତ ଅତିଥି ମାନଙ୍କୁ ବିଦାୟ ବେଳେ ଏକ ଏକ ଉପହାର ସ୍ୱରୂପ ଗୋଟାଏ ଗୋଟାଏ ବ୍ରିଫକେଶ୍ ରେ ଭର୍ତ୍ତି ସାମଗ୍ରୀ ଦିଆଗଲା। ସମସ୍ତେ ଅନୁଷ୍ଠାନ ର ଭୁରି ଭୁରି ପ୍ରଶଂସାକଲେ। ବିଦାୟ ବେଳ ଆସିଲା। ସମସ୍ତେ ଯେ ଯାହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲିଲେ।

ଏମିତି କିଛି ବାଟ ଅତିକ୍ରମ କରିବା ପରେ ପରେ।

ଘଟିଲା କିଛି ଅସ୍ୱାଭାବିକ ଘଟଣା। ସମସ୍ତ ଙ୍କୁ ଅଟକାଇ ତାଙ୍କ ପାଖରେ ଥିବା ସମସ୍ତ ଜିନିଷ କୁ ଲୁଟି ନେଇଥିଲେ।ସେମାନଙ୍କ ମଧ୍ୟରେ ଥିବା କିଛି ଲୋକଙ୍କୁ ଏମାନେ ଜାଣିପାରିଲେ। ସେମାନଙ୍କୁ କହିଲେ ଆପଣ ମାନେ ଯଦି ନେଇଯିବାର ଥିଲା ତାହାହେଲେ ଦେଉଥିଲେ କାହିଁକି?

ତାପରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଏହିଭଳିଆ ଅପଦସ୍ତ କାହିଁକି କରିଲେ। ଆପଣ ମାନଙ୍କ ଉଦ୍ଦେଶ୍ୟ କଣ? ତାଙ୍କର ଉତ୍ତର ଯାହା ରହିଲା ତାହା ଚକିତ କରିଲା ଭଳିଆ।

ଆପଣମାନେ ସମସ୍ତେ ଵିଜ୍ଞ ଜ୍ଞାନୀଗୁଣି ମାନେ କିନ୍ତୁ ବର୍ତ୍ତମାନ ସମାଜରେ ଦେଖା ଦେଇଥିବା ଘଟଣାବଳୀକୁ ନେଇ ବେଶ ସଚେତନ ଅଟନ୍ତି।ହେଲେ ଆପଣ ମାନେ ନିରବଦ୍ରଷ୍ଟା  ସାଜୁଛନ୍ତି।

ଶାସକଙ୍କ ଆଭିମୁଖ୍ୟ କୁ ନେଇ ।ସରକାର ବିଭିନ୍ନ ମାଧ୍ୟମରେ ଦେଉଛି ଦେଉଛି କହି ଆଉ ଗୋଟାଏ ପଟେ ତାକୁ ଟିକସ ଆକାରରେ ମୂଳ ସୁଧ ସହ ନେଇ ଜନସାଧାରଣ ଙ୍କୁ ପ୍ରତାରଣା କରୁଛନ୍ତି।

ହେଲେ ଆମେ ଯାହା କରିଲୁ ତାହା ଥିଲା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ଅଟେ।

ଚୋରି କରିବା ଆମର କର୍ମ। ଆମେ ଆମର କର୍ମ ସକାଶେ ଆମେ ବେଶ ସଚେତନ ଅଟୁ। ଆମେ କାହାରି ଭିତରେ ଭେଦ ଭାବ ବିଚାର କରିନଥାଉ। ଆଜି ଯେମିତି ଶାସକ ଜାତି ଜାତି ମଧ୍ୟରେ।ଧର୍ମ ଧର୍ମ ମଧ୍ୟରେ। ଗରିବ ଧନୀ ମଧ୍ୟରେ ବାଛ ବିଚାର କରି ସମାଜକୁ ପଙ୍ଗୁ କରିବାକୁ ପ୍ରୟାସ କରୁଛନ୍ତି। ସେତକ ତ ଆମେ କରୁନାହୁଁ।

ପାଠ ପଢ଼ିଲୁ। ସରକାର ଙ୍କ ଦ୍ଵାରା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଜରିଆରେ। ଆମେ ଯୋଗ୍ୟ ହେଲୁ ନାହିଁ ଉପଯୁକ୍ତ କାର୍ଯ୍ୟ ସମ୍ପାଦନ ସକାଶେ। ଆମର ଦକ୍ଷତା ନେଇ ପ୍ରଶ୍ନ ଉଠାହେଲା। ସରକାରୀ ଶିକ୍ଷାନୁଷ୍ଠାନ ସରକାରୀ ଶିକ୍ଷକଙ୍କ ଦ୍ୱାରା ପାଠ ପଢି ସରକାର ଙ୍କ ଦ୍ଵାରା ସ୍ୱୀକୃତି ସ୍ୱରୂପ ସାର୍ଟିଫିକେଟ ପାଇଲୁ।

ଆମେ ଯଦି ଯୋଗ୍ୟ ହେଲୁ ନାହିଁ ତାହାହେଲେ  ଉକ୍ତ ସରକାର କିଭଳି ଯୋଗ୍ୟ ଅଟନ୍ତି ତାହା ନିଶ୍ଚୟ ଏକ ବିତର୍କ ର ବିଷୟ ।ହେଲେ ସେ ନେଇ ଆଲୋଚନା ନାହିଁ।ତଥାପି ମଧ୍ୟ ଏତକ ହେଲା ପରେ ମଧ୍ୟ ଆମେ ଆମର ଦାୟିତ୍ବ କର୍ତ୍ତବ୍ୟ କର୍ମ ନେଇ ବେଶ ସଚେତନ ଅଟୁ। କିନ୍ତୁ ଯେଉଁମାନେ ଆମେ ଦାୟିତ୍ବବାନ ବୋଲି ବାହାସ୍ପୋଟ ମାରୁଛନ୍ତି ସେମାନେ ସେଥିପାଇଁ ଆସନରେ ଆସୀନ ହୋଇଛନ୍ତି ହେଲେ ପ୍ରକାରନ୍ତରେ କିଭଳି ଜନସାଧାରଣ ଙ୍କୁ ଭକୁଆ ବନାଉଛନ୍ତି ସେଥିପାଇଁ  ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଆମର ଏହା ଏକ ଅଭିନବ ପ୍ରୟାସ ଥିଲା।

ସଚେତନ ନାଗରିକ ବୃନ୍ଦ ହୋଇ ଯଦି ସମସ୍ତେ ନିରବ ଦ୍ରଷ୍ଟା ସାଜନ୍ତି କିଂବା ବିଭିନ୍ନ ମାଧ୍ୟମରେ ପ୍ରୋଲୋଭିତ ହେବେ। ସେତେବେଳେ ଅରାଜକତା ବଢି ଯାଇଥାଏ। 

ଶାସକଙ୍କ ସ୍ବେଚ୍ଛାଚାରିତା ଆହୁରି ଆହୁରି ବଢିଯାଇଥାଏ।

ସେଥିରେ ସୁଧାର ଆଣିବାର ଆମର ମଧ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା କଥା ହୃଦବୋଧ କରି ଏହିଭଳିଆ ଅଭିନବ ଉପାୟ ଚିନ୍ତା କରିଥିଲୁ। 

କାରଣ ଯାହାଉପରେ ଅକୁଣ୍ଠ ଆଶାଭରସା ସେ ହେଉଛନ୍ତି ଶାସକ ।ସେ କେମିତି ଶାସନ ଗାଦିକୁ ହାସଲ ପରେ ଦାୟିତ୍ୱ ଓ କର୍ତ୍ତବ୍ୟ କୁ ନେଇ ଜନସାଧାରଣ ଙ୍କୁ ଭଣ୍ଡାଉଛନ୍ତି ତାହା ଚିନ୍ତା ଜନକ ଅଟେ। ସେଥିପାଇଁ ଜ୍ଞାନୀଗୁଣି, ଲେଖକ,ଗାଳ୍ପିକ, କବି ତଥା ସମାଜ ର ଅନ୍ୟାନ୍ୟ ସଂସ୍କାର ସୁଧିଗଣ ସଚେତନ ହୋଇପାରିଲେ ସମାଜକୁ ପ୍ରତାରଣା ଓ ଚ୍ଛଳନା କରୁଥିବା ଶାସକ ନିଶ୍ଚୟ ଏଥିରୁ ନିବୃତ୍ତ ହେବେ ଏଥିରେ ଦ୍ୱିମତ ନାହିଁ। ତେଣୁ ଵିଜ୍ଞ ସୁଧିଜନଙ୍କ ଭୂମିକା ସମାଜ ସଂସ୍କାର ତଥା ଶାସକଙ୍କୁ ଉଚିତ୍ ମାର୍ଗକୁ ଆଣିବାକୁ ନିଃସ୍ୱାର୍ଥପରତା ଉଦ୍ୟମ ଜରୁରୀ ଅଟେ।

                             ସିତାଂଶୁ ଶେଖର ମିଶ୍ର

                            ସୋନପୁର,ଶାନ୍ତି ନଗର

                        ଦୂରଭାଷ.୮୧୪୪୮୭୦୭୨୯

Leave a Reply

Your email address will not be published. Required fields are marked *