ଖୋର୍ଦ୍ଧା ହାବେଳୀ ପଡିଆରେ ଅଭିଯୋଗ ଶୁଣିଲେ ‘୫-ଟି’ ସଚିବ
ଖୁବଶୀଘ୍ର ଖୁସି ଖବର ପାଇବେ ଖୋର୍ଦ୍ଧାବାସୀ : ୫-ଟି ସଚିବ
ଖୋର୍ଦ୍ଧା,୨୧ା୮: ୨ଦିନିଆ ଗ୍ରସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ । ଆଜି ପ୍ରଥମେ ବେଗୁନିଆ ବ୍ଲକରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପରେ ଖୋର୍ଦ୍ଧା ହାବେଳୀ ପଡିଆରେ ତାଙ୍କୁ ସ୍ୱାଗତ କରାଗଲା । ପଡିଆରେ ପହଂଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଲେ । ମହିଳାମାନେ ୫-ଟି ସଚିବ ଙ୍କୁ ରାକ୍ଷୀ ପିନ୍ଧାଇ ମଙ୍ଗଳ ମାନସିଲେ ।ତେବେ ସାଧାରଣଜନତାଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିବା ସହ ଦରଖାସ୍ତଗୁଡ଼ିକ ଗ୍ରହଣ କରିଥିଲେ ୫-ଟି ସଚିବ ।
ପରେ ମଂଚ ଉପରେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି । ବହୁତ ଦରଖାସ୍ତ ପାଇଛି । ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜାଗା ମିଶନରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି, ଜମି ସମସ୍ୟା ଉପରେ ପଦକ୍ଷେପ ନେବେ । ଆପଣ ବହୁ ଶୀଘ୍ର ଖୁସି ଖବର ପାଇବେ । ଜମି ପଟା ପାଇବେ । ପାଇକଙ୍କର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହ ଭିତରେ ଖୁସି ଖବର ଦେବେ ବୋଲି କହିଥିଲେ । ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ବିଭାଗ ସହ କଥା ହୋଇ ଖୋର୍ଦ୍ଧା ପାଇକଙ୍କ ଉନ୍ନତି ଏବଂ ଖୋର୍ଦ୍ଧା ଦୁର୍ଗ ଉନ୍ନତି ଲାଗି ଦିଆଯାଇଥିବା ଦରଖାସ୍ତ ର ଡିପିଆର ମାସକ ଭିତରେ ପ୍ରସ୍ତୁତ କରି ପଠାନ୍ତୁ ବୋଲି କହିଥିଲେ । ଖୋର୍ଦ୍ଧା ବ୍ଲକ ଅଂଚଳରେ ଥିବା ଏଖରାଜାତ ମାହାଲ ଜମି ସମ୍ପର୍କରେ କହିଥିଲେ, ସ୍ଥିତିବାନ ଜମିର ସ୍ଥିତି ପାଇଁ ଆଲୋଚନା ହୋଇଛି । ଜଗନ୍ନାଥ ଜମି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସ୍ତରରେ ପଦକ୍ଷେପ ନିଆଯାଉଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ, କମୁ୍ୟନିଟି ସେଂଟର ପାଇଁ ୭ଦିନ ଅର୍ଥାତ୍ ୨୯ତାରିଖ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ । ସରକାର ଦେଉଥିବା ଅର୍ଥକୁ ଠିକ ଭାବେ ଖର୍ଚ୍ଚ କରନ୍ତୁ, ଆହୁରି ୨ୟ ଓ ୩ୟ କିସ୍ତି ପାଇବେ । କାଲିଠାରୁ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ୫-ଟି ରେ ସାମିଲ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଯୋଜନାରେ ମିଶନ ଶକ୍ତି କୁ ସାମିଲ କରିଛନ୍ତି । ମହିଳା ମାନେ ରୋଜଗାର କଲେ ପରିବାର ଉନ୍ନତି ହେବ । ପରିବାର ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରାଇବା ପାଇଁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି । କୃଷକମାନଙ୍କୁ ମଧ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଯେଉଁଠାରେ ସରକାରୀ କୋଠା ବ୍ୟବହାରରେ ଲାଗୁନାହିଁ ତାକୁ ମିଶନ ଶକ୍ତିର ବ୍ୟବହାରରେ ଲଗାଯାଇ ପାରିବ । ମିଶନ ଶକ୍ତିର ମା’ମାନେ ସେଠାରେ ମିଶନ ଶକ୍ତି ଗୃହ କରିପାରିବେ, ଟ୍ରେନିଂ ନେଇପାରିବେ କିମ୍ବା ବ୍ୟବସାୟ କରିପାରିବେ ବୋଲି ୫-ଟି ସଚିବ କହିଥିଲେ । ରାଜ୍ୟରେ ୧୧ହଜାର ୩ଶହ କୋଟି ଟଙ୍କା ଲୋନ ନେଇଛନ୍ତି ମହିଳା ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟାମାନେ । ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୧୬ହଜାର ୪ଶହ ଗୃପର ସଦସ୍ୟା ୬୫୦କୋଟି ଟଙ୍କା ଲୋନ ନେଇଛନ୍ତି । ସିଆରପି, ଏମବିକେଙ୍କ ଦରମା ବଢାଇବା ଲାଗି ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି ।
ଖୋର୍ଦ୍ଧା, ଟାଙ୍ଗି ଓ ବେଗୁନିଆ ବ୍ଲକରେ ପାନୀୟ ଜଳ ପାଇଁ ୨୩୩କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆସନ୍ତା ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସରିବ ବୋଲି କହିଥିଲେ । ଉଗ୍ରତାରା ମନ୍ଦିର ରୂପାନ୍ତର ପାଇଁ ୧୯କୋଟି ବ୍ୟୟ ବରାଦ ହୋଇଛି ।ଏଥିସହିତ ଟାଙ୍ଗି ବ୍ଲକ ନିରାକାରପୁର ଠାରେ ଏକ ଫ୍ଲାଏଓଭର ବ୍ରିଜ ଲାଗି ୬୦କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ସେହିପରି ରଣପୁର, ସିକୋ, ଜଙ୍କିଆ ରାସ୍ତା ର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ୧୪କୋଟି ଟଙ୍କା ଅନୁମୋଦନ କରିଥିବା ୫-ଟି ସଚିବ କହିଥିଲେ । ତେବେ ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ନେଇ ଦରଖାସ୍ତ ଦେଇଥିବା ଅଭିଯୋଗକାରୀଙ୍କ ଅଂଚଳରେ ସନ୍ଧ୍ୟା ସୁଧା ଇଞ୍ଜିନିୟରମାନେ ପହଁଚି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ । ଏନେଇ ମଂଚ ଉପରୁ ଜିଲ୍ଲାପାଳ ଓ ପ୍ରଶାସନି ଅଧିକାରୀଙ୍କୁ ୫-ଟି ସଚିବ ନିଦେ୍ର୍ଦଶ ଦେଇଥିଲେ । ଯାହକୁ ନେଇ ମଂଚତଳୁ ୫-ଟି ସଚିବଙ୍କୁ କୃତଜ୍ଞତା ଦିଆଯାଇଥିଲା । (ଫଟୋ)