ଜାଗା ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ସହଭାଗିତା

୫ଟି ମହାନଗର ନିଗମର ପ୍ରାୟ ୨, ୫୦,୦୦୦ ପରିବାରଙ୍କ ନିକଟରେ ପହଞ୍ଚିବା ପ୍ରକଳ୍ପର ଲକ୍ଷ୍ୟ
ଭୁବନେଶ୍ୱର, ନଭେମ୍ବର ୧୦, ୨୦୨୨: ଓଡ଼ିଶାର ୫ଟି ମହାନଗର ନିଗମରେ ଜାଗା ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହିତ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି ।
ଏହି ଚୁକ୍ତିନାମା ଅନୁସାରେ ଫାଉଣ୍ଡେସନ୍, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହିତ ସହାଭାଗିତାରେ ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ କରିବ । ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଥିବା ବିକଶିତ ଅଞ୍ଚଳ ଭଳି ସମାନ ନାଗରିକ ଭିତ୍ତିଭୂମି ଓ ସେବା ସହିତ ବସ୍ତିଗୁଡ଼ିକୁ ରହିବା ଯୋଗ୍ୟ ବାସସ୍ଥଳୀରେ ରୂପାନ୍ତରିତ କରାଯିବ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ କିଟ୍ ଅଡ଼ିଟୋରିୟମ୍ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥି ଭଥାନନ୍ ଓ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ରୟ ଏହି ଚୁକ୍ତିନାମାକୁ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ଶ୍ରୀ ଚାଣକ୍ୟ ଚୌଧୁରୀ, ଓ ଅନ୍ୟ ସରକାରୀ ଅଧିକାରୀ ଓ ଫାଉଣ୍ଡେସନ୍ର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଆମେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଓଡ଼ିଶାରେ ବଡ଼ ଧରଣର ପରିବର୍ତ୍ତନ ମଡେଲକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକରେ ନିଜର ଉପସ୍ଥିତିକୁ ଅଧିକ ତ୍ୱରାନ୍ୱିତ କରିବାକୁ ଚାହୁଁଛୁ । ନିଜର କାର୍ଯ୍ୟପ୍ରଣାଳୀ, ନୂତନ ପରିଚାଳନା ପଦ୍ଧତି, ଅଧ୍ୟୟନ ଓ ପରିଚାଳନାଗତ ବ୍ୟବସ୍ଥାରେ ନିୟମିତ ପରିବର୍ତ୍ତନ ଆଣି ଆମେ ଆଗାମୀ ଦିନରେ ଓଡ଼ିଶାର ପ୍ରଗତିରେ ଏକ ପ୍ରମୁଖ ସହଭାଗୀ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛୁ ।” ଓଡ଼ିଶା ସରକାରଙ୍କ ଜାଗା ମିଶନ କିମ୍ବା ଓଡ଼ିଶା ଲିଭେବୁଲ ହେବିଟାଟ ମିଶନ ଏକ ସ୍ୱତନ୍ତ୍ର ଭୂମି ଅଧିକାର ପ୍ରଦାନ ପ୍ରକଳ୍ପ । ଏହି ପ୍ରକଳ୍ପ ଅନ୍ତର୍ଗତ ଯୋଗ୍ୟ ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବା ସହିତ ସଡ଼କ, ଡ୍ରେନ୍, ଷ୍ଟ୍ରିଟ୍ଲାଇଟ୍, ପରିମଳ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ବ୍ୟକ୍ତିଗତ ଭୂତ୍ତିଭୂମିକୁ ଉନ୍ନତମାନର କରାଯାଇଥାଏ । ଏହି ଦୁଇ ବର୍ଷିଆ ସହଭାଗିତାର ଅଂଶବିଶେଷ ଭାବେ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାର ୧,୧୧୦ ବସ୍ତି ଅଞ୍ଚଳର ପ୍ରାୟ ୨,୫୦,୦୦୦ ପରିବାରକୁ ଭୂମି ଅଧିକାର ଦେବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ।
ଏହାସହିତ, ଫାଉଣ୍ଡେସନ୍ ପକ୍ଷରୁ ଡ୍ରୋନ୍ ସର୍ବେକ୍ଷଣ, ବସ୍ତି ମ୍ୟାପିଂ, ସାମଗ୍ରିକ ବାସସ୍ଥଳୀ ଯୋଜନା ଏବଂ ଆବାସିକ ଏବଂ ସାଧାରଣ ବ୍ୟବହୃତ ସ୍ଥଳୀର ଡିଜାଇନ୍ ପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ବାସସ୍ଥଳୀ ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଉପଯୁକ୍ତ ସରକାରୀ ଅନୁଷ୍ଠାନ ଓ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାରେ ଫାଉଣ୍ଡେସନ୍ ସହାୟତା ପ୍ରଦାନ କରିବ । ଭୂମି ଅଧିକାର ଅଧିନିୟମ କାର୍ଯ୍ୟନ୍ୱୟନ ଓ ବସ୍ତିକୁ ରହିବା ଯୋଗ୍ୟ ବାସସ୍ଥଳୀରେ ରୂପାନ୍ତରିତ କରିବା ଦିଗରେ ପ୍ରାଥମିକ ଅଂଶୀଦର ଯଥା ପୌର ସଂସ୍ଥା, ଏନ୍ଜିଓ ଏବଂ ବସ୍ତି ବାସିନ୍ଦାଙ୍କ ଆସୋସିଏସନ୍ର ଦକ୍ଷତା ବିକାଶ କାର୍ଯ୍ୟ ମଧ୍ୟ ଫାଉଣ୍ଡେସନ୍ ଦ୍ୱାରା କରାଯିବ ।
ଓଡ଼ିଶା ସରକାର ପ୍ରଥମେ ଜାଗା ମିଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସ୍ଥାନ ମ୍ୟାପିଂ କାର୍ଯ୍ୟ ନିମନ୍ତେ ଆର୍ଥିକ ସହଯୋଗୀ ରୂପେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହିତ ଯୋଗାଯୋଗ କରିବା ସହିତ ଏ ଦିଗରେ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିଥିଲେ । ଓଡ଼ିଶାର ୭ଟି ଜିଲ୍ଲାରେ ଫାଉଣ୍ଡେସନ୍ର ଉପସ୍ଥିତି ଏକ ବଡ଼ ଧରଣର ପ୍ରଭାବୀ ସାମାଜିକ ପରିବର୍ତ୍ତନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବାବେଳେ ଏହି ପ୍ରକଳ୍ପ ବେଶ୍ ଗୁରୁତ୍ୱ ବହନ କରୁଛି । ଏହାମଧ୍ୟରେ ବିଦ୍ୟାଳୟ ଛାଡ଼ିଦେଇଥିବା ୧୪,୦୦୦ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା, ସମସ୍ତ ଆନୁସଙ୍ଗିକ ସୁବିଧା ବିଶିଷ୍ଟ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ, ୫୦,୦୦୦ ଚାଷୀ ପରିବାରଙ୍କ ହାରାହାରି ଆୟ ୨୫ ପ୍ରତିଶତ ବୃଦ୍ଧି ପାଇଁ ସହାୟତା ଏବଂ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ ନିର୍ମାଣ ଏବଂ କୋଭିଡ଼ ମହାମାରୀ ସମୟରେ ୭ ସରକାରୀ ଡାକ୍ତରଖାନା ପାଇଁ ଅମ୍ଲଜାନ କାରଖାନା ସ୍ଥାପନ ଇତ୍ୟାଦି ଅନ୍ତର୍ଭୁକ୍ତ ।