ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ତିନି ଦିନିଆ ଭିଜିଲାନ୍ସ କର୍ମଶାଳା ଆୟୋଜିତ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଆଭ୍ୟନ୍ତରୀଣ ଭିଜିଲାନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଚାରୋଟିଯାକ ଡ଼ିସକମ ଗୁଡ଼ିକ ପକ୍ଷରୁ ଭିଜିଲାନ୍ସ ଅଧିକାରୀଙ୍କ ପାଇଁ ବରମୁଣ୍ଡା ସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ତିନି ଦିନିଆ ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ କୁମାର ଜେଠୱା, ଆଇପିଏସ ଏହି କର୍ମଶାଳାକୁ ଉଦଘାଟନ କରି କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଏକ ସୁଦୃଢ଼ ଆଭ୍ୟନ୍ତରୀଣ ଭିଜିଲାନ୍ସ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍ଓଡିଏଲ୍) ର ସିଇଓ ଶ୍ରୀ ଗଜାନନ କାଲେ, ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ର ସିଇଓ ଶ୍ରୀ ଅରଭିନ୍ଦ ସିଂ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ର ସିଇଓ ଶ୍ରୀ ଅମିତ ଗର୍ଗ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ର ସିଇଓ ଶ୍ରୀ ପ୍ରବୀଣ କୁମାର ବର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଟାଟା ପାୱାରର ବରିଷ୍ଠ ପରାମର୍ଶଦାତା (ସୁରକ୍ଷା ଓ ଭିଜିଲାନ୍ସ) ଶ୍ରୀ ସର୍ବଣାସାମୀ ଜଗନ୍ନାଥନ ଏବଂ ଓଡ଼ିଶା ଡିସକମ୍ର ଚିଫ୍ ବିଏଚ୍ଆର ଶ୍ରୀ ଶ୍ୟାମ ସୁନ୍ଦର ଚୌଧୁରୀ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ନୈତିକତା ଏବଂ ସ୍ୱଚ୍ଛ ସେବା ପ୍ରଦାନକୁ ନିଶ୍ଚିତ କରିବା ପାଇଁ ଏହି କର୍ମଶାଳାରେ ବିଭିନ୍ନ ବିଭାଗ ମଧ୍ୟରେ ବ୍ୟବସାୟିକ ପ୍ରକ୍ରିୟା ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ ଭିଜିଲାନ୍ସ ହସ୍ତକ୍ଷେପ ଆବଶ୍ୟକ କରୁଥିବା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକର ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟ ଭିଜିଲାନ୍ସ ଏକାଡେମୀର ଅଧିକାରୀମାନେ ଏହି ଶିକ୍ଷାଦାନ ଶିବିର ପରିଚାଳନା କରିଥିଲେ, ଯେଉଁଥିରେ ବିଶେଷ କରି ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ଅବସରରେ ନିଜର ମତାମତ ରଖି ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍ଓଡିଏଲ୍) ର ସିଇଓ ଶ୍ରୀ ଗଜାନନ କାଲେ କହିଥିଲେ ଯେ, “କମ୍ପାନୀର କାର୍ଯ୍ୟଧାରାରେ ସ୍ୱଚ୍ଛତା ଏବଂ ସାଧାରଣ ଜନତାଙ୍କ ଭରସା ବଜାୟ ରଖିବା ପାଇଁ ଏକ ସୁଦୃଢ଼ ତଥା ବିଶ୍ୱସନୀୟ ଭିଜିଲାନ୍ସ ଢାଞ୍ଚା ଅତ୍ୟନ୍ତ ଆବଶ୍ୟକ। ଭିଜିଲାନ୍ସ ଅଧିକାରୀମାନଙ୍କର ନିରନ୍ତର ଦକ୍ଷତା ବିକାଶ ଆମର ନୈତିକ ଏବଂ ଗ୍ରାହକ-କୈନ୍ଦ୍ରିକ ସେବା ପ୍ରଦାନ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଥାଏ।”
କାର୍ଯ୍ୟକ୍ରମଟି ଡକ୍ଟର ସୁଧାଂଶୁ ଷଢ଼ଙ୍ଗୀ, ଆଇପିଏସ୍, ମହାନିର୍ଦ୍ଦେଶକ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, କମାଣ୍ଡାଣ୍ଟ ଜେନେରାଲ, ହୋମଗାର୍ଡ ଏବଂ ନିର୍ଦ୍ଦେଶକ, ସିଭିଲ ଡିଫେନ୍ସ ଙ୍କ ବିଦାୟୀ ଭାଷଣ ସହିତ ଶେଷ ହୋଇଥିଲା। ଦୁର୍ନୀତି ନିବାରଣ କ୍ଷେତ୍ରରେ ନିରପେକ୍ଷତା ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏଥିସହ କର୍ମଚାରୀ, ପରିଚାଳନା କର୍ତ୍ତୃପକ୍ଷ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେ ଭିଜିଲାନ୍ସ ଅଧିକାରୀମାନଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ। ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ ପକ୍ଷରୁ ଆୟୋଜିତ ଏହି କର୍ମଶାଳା, ଏକ ସୁଦୃଢ଼ ଆଭ୍ୟନ୍ତରୀଣ ଭିଜିଲାନ୍ସ ବ୍ୟବସ୍ଥା ଗଠନ କରିବା ସହ କମ୍ପାନୀର କାର୍ଯ୍ୟଧାରାରେ ସ୍ୱଚ୍ଛତା ଏବଂ ଉପଭୋକ୍ତାଙ୍କ ଆସ୍ଥା ବୃଦ୍ଧି ଦିଗରେ ଆଉ ଏକ ସଫଳ ପଦକ୍ଷେପ।
