କିମ୍‌ସରେ କିଡନୀ-କର୍କଟ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର


ଭୁବନେଶ୍ୱର,୧୭ । ୧୧: ଅତ୍ୟାଧୁନିକ ଲାପାରୋସ୍କୋପିକ୍ ମାଧ୍ୟମରେ ଜନୈକ ୭୦ ବର୍ଷୀୟ କିଡନୀ-ର୍କକଟ ରୋଗୀଙ୍କଠାରେ ଅସ୍ତ୍ରୋପଚାର କରି  ସଫଳତା ପାଇଛନ୍ତି କିମ୍‌ସ ଡାକ୍ତର । ରୋଗୀ ଜଣକ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବାମ କିଡନୀରେ ୪ ବର୍ଗ ସେମି ଆକାରର ଟ୍ୟୁମର ଥିବା ଜଣାପଡ଼ିଥିଲା । ରୋଗୀଙ୍କର ଏକାଧିକ କୋମର୍ବିଡିଟି ଏବଂ ଜଟିଳ କିଡନୀ ରୋଗ ଥିବାରୁ ତାଙ୍କୁ ଲାପାରୋସ୍କୋପିକ୍ ଆଂଶିକ ନେଫ୍ରେକ୍ଟୋମିର ବିକଳ୍ପ ଦିଆଯାଇଥିଲା ।

କିଡନୀର ଯେଉଁ ଅଂଶରେ କର୍କଟ ହୋଇଥିଲା କେବଳ ସେହି ଅଂଶକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି । ଲାପ୍ରୋସ୍କୋପିକ୍ ପଦ୍ଧତି ବା କି ହୋଲ୍ ସର୍ଜରୀ ଦ୍ୱାରା ଆଂଶିକ ଅସ୍ତ୍ରୋପଚାର କରାଯାଇଥିଲା । ଓଡ଼ିଶାରେ ଏହି ଅସ୍ତ୍ରୋପଚାର ବିରଳ ଏବଂ ଦୁଇ ଦିନ ମଧ୍ୟରେ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

ଅସ୍ତ୍ରୋପଚାର କରିଥିବା (କିମ୍‌ସ) ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସୁମନ୍ତ ମିଶ୍ର କହିଛନ୍ତି ଯେ, ଯେଉଁ ରୋଗୀମାନଙ୍କୁ ଲାପାରୋସ୍କୋପିକ ପଦ୍ଧତି (କିଡନୀର ଆଂଶିକ ଅପସାରଣ) ଦ୍ୱାରା ଆଂଶିକ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଯାଏ, ସେମାନଙ୍କୁ ମାସ ମାସ ଅପେକ୍ଷା କରି ଅନ୍ୟ ରାଜ୍ୟକୁ ଯିବାକୁ ପଡ଼େ । ଓଡ଼ିଶାର ବହୁତ କମ୍ ଡାକ୍ତରଖାନା ଏହି ଅସ୍ତ୍ରୋପଚାର କରନ୍ତି ।

ଏହି  ଅସ୍ତ୍ରୋପଚାର ଅତ୍ୟନ୍ତ କଷ୍ଟକର ଏବଂ ସଫଳତାର ସହ କରିବା ପାଇଁ ସର୍ଜନଙ୍କ ଉନ୍ନତ ଦକ୍ଷତା ଆବଶ୍ୟକ । କିନ୍ତୁ ଡାକ୍ତର ମିଶ୍ର ଏବଂ ତାଙ୍କ ଟିମ୍ ଏହି ଜଟିଳ ପ୍ରକ୍ରିୟାକୁ ସଫଳତାର ସହ ସମ୍ପାଦନ କରିଛନ୍ତି । ସେ କହିଛନ୍ତି ଯେ ରୋଗୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିିଛନ୍ତି ଏବଂ ଅବଶିଷ୍ଟ କିଡନୀ ଭଲ ଭାବେ କାମ କରୁଛି । କିଡନୀ – କର୍କଟ ତୁରନ୍ତ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ଆବଶ୍ୟକ କରିଥାଏ ।  ସାଧାରଣତଃ ଏ କ୍ଷେତ୍ରରେ ରାଡିକାଲ ନେଫ୍ରେକ୍ଟୋମି ବା ପୂରା କିଡନୀକୁ ହଟାଇବା ପଡିଥାଏ । ଫଳରେ ରୋଗୀଙ୍କୁ କେବଳ ଗୋଟିଏ କିଡନୀ ସହିତ ବାକି ଜୀବନ ବିତାଇବାକୁ ହୋଇଥାଏ । କିନ୍ତୁ  ଆଂଶିକ ନେଫ୍ରେକ୍ଟୋମି ବା କର୍କଟ ରୋଗକୁ ହଟାଇବାର ଅନ୍ୟ ଏକ ବିକଳ୍ପ ରହିଛି । ଏହି ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର କେନ୍ଦ୍ରର ଆବଶ୍ୟକତା ରହିଛି । ଏଭଳି କେନ୍ଦ୍ର ଏବେ କିମ୍‌ସରେ ସଫଳତାର ସହ କାର୍ଯ୍ୟ କରୁଛି । ଏହି ସଫଳ ଅସ୍ତ୍ରେପଚାର ପାଇଁ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଯତ୍ନ ଓ ସମବେଦନା ସହିତ ଉନ୍ନତ ଚିକିତ୍ସା ଯୋଗାଇବା ସବୁବେଳେ କିମ୍‌ସର ଲକ୍ଷ୍ୟ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

You may have missed