ଅନନ୍ୟ ପ୍ରତିଭା କୃଷ୍ଣପ୍ରିୟା, ପଟ୍ଟଚିତ୍ର ଶିଳ୍ପୀ ଓ ଯୁବ ଉଦ୍ୟୋଗୀଙ୍କ ପାଇଁ ସଫଳ ଉଦାହରଣ

ପୁରୀର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ୧୯୭୯ ମସିହା ମାଘ ମାସ ଶୁକ୍ଳପକ୍ଷ ନବମୀ ତିଥିର ବରୀୟାନ ଯୋଗରେ ମାତା ଲକ୍ଷ୍ମୀପ୍ରିୟା ଦାଶ ଓ ପିତା ତ୍ରିଲୋଚନ ଦାଶଙ୍କ ଚତୁର୍ଥ ସନ୍ତାନ ରୁପେ ଜନ୍ମଗ୍ରହଣ କରିଥିଲେ କୃଷ୍ଣପ୍ରିୟା ।ସଂଯୋଗ ବା ମହାପ୍ରଭୁଙ୍କ ଇଛାରେ ହେଉ, ତତ୍କାଳୀନ ବଡ଼ପଣ୍ଡା ଅତ୍ୟନ୍ତ ଶ୍ରଦ୍ଧାର ସହ ତାଙ୍କୁ ଏହି ନାଁ ଦେଇଥିଲେ ।ଆଜି କୃଷ୍ଣପ୍ରିୟା ଏକାଧାରାରେ ଜଣେ ସୁଗୃହିଣୀ,ସମାଜସେବୀ ତଥା ସଫଳ ଯୁବଦ୍ୟୋଗୀ । ଓଡ଼ିଶା ଲୋକସେବା ଭବନରେ କାର୍ଯ୍ୟରତ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ପତ୍ନୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ପରିବାର ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ନିଜର ଅବଶିଷ୍ଟ ସମୟରେ ପାରମ୍ପରିକ ପଟ୍ଟଚିତ୍ର କଳାକୁ ନିଜସ୍ୱ ନିଆରା ଢଙ୍ଗରେ ବିଭିନ୍ନ ଶାଢ଼ୀରେ ରୂପ ଦିଅନ୍ତି ।


କୃଷ୍ଣପ୍ରିୟାଙ୍କ ଦ୍ୱାରା ଶାଢୀରେ ଅଙ୍କିତ ପାରମ୍ପରିକ ପଟ୍ଟଚିତ୍ର କଳା (୧ ) ଏବଂ ଏକ ପଟ୍ଟଚିତ୍ର (୨ )
ଏଥିରେ ନିଜସ୍ୱ ଲାଭ,କ୍ଷତି ତଥା ଯଶ ପ୍ରତିଷ୍ଠାକୁ କେବେ ଗୁରୁତ୍ୱ ଦେଇ ନଥିଲେ ସୁଦ୍ଧା ଏଥିପାଇଁ ସେ ଅନେକ ସଫଳତା ଓ ପ୍ରଶଂସା ସାଉଁଟିଛନ୍ତି । କେବଳ ରାଜ୍ୟ ଭିତରେ ନୁହେଁ, ବରଂ ରାଜ୍ୟ ବାହାରେ ଏବଂ ବିଦେଶରେ ସେ ଏହି କଳାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏହି ଉଦ୍ୟମ କେତେକ ପଟ୍ଟଚିତ୍ର କାରିଗରଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇଛି ଏବଂ ସମସ୍ତେ ସମ୍ମାନର ସହ ବଂଚୁଛନ୍ତି । ଆଜି କୃଷ୍ଣପ୍ରିୟା ଜଣେ କେବଳ ଜଣେ ସୁଗୃହିଣୀ କି ପଟ୍ଟଚିତ୍ର ଶିଳ୍ପର ଜଣେ ସଫଳ ଉଦ୍ୟୋଗୀ ନୁହଁନ୍ତି, ବରଂ ସମାଜସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ସଂପୂର୍ଣ୍ଣ ଏକ ଅନୁଷ୍ଠାନ ଭାବେ ଲୋକପ୍ରିୟତା ଅର୍ଜନ କରିଛନ୍ତି ।
କୃଷ୍ଣପ୍ରିୟାଙ୍କ ସୃଜନଶୀଳତା ଓ ସ୍ୱତନ୍ତ୍ରତା ପିଲାଟି ଦିନରୁ ସ୍ପଷ୍ଟ ବାରି ହୋଇପଡୁଥିଲା । ଓଡ଼ିଶାର ସଂସ୍କୃତି ଓ ଲୋକକଳା ସହ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଗଭୀର ଅନୁରକ୍ତି । ପୁରୀ ପୋଲିସ ହାଇସ୍କୁଲରେ କୃଷ୍ଣପ୍ରିୟା ଅଧ୍ୟୟନ କରିବା ସମୟରେ ସେ ଶିକ୍ଷୟତ୍ରୀ ରେଣୁକା ଦେବୀଙ୍କ ସଂସ୍ପର୍ଶରେ ଆସନ୍ତି ଓ ତାଙ୍କ ସହଯୋଗରେ ଲୁପ୍ତପ୍ରାୟ ଶିଳ୍ପକଳା ଓ ପଟ୍ଟଚିତ୍ର ତଥା ଅନ୍ୟାନ୍ୟ କାରୁକାର୍ଯ୍ୟ ବିଷୟରେ ଶିକ୍ଷା ଗ୍ରହଣ କରନ୍ତି । କୃଷ୍ଣପ୍ରିୟାଙ୍କ କଳା ପ୍ରତି ଅନୁରକ୍ତି ଦେଖି ରେଣୁକା ଦେବୀଙ୍କୁ ସେ ତାଙ୍କୁ ନିଜସ୍ୱ ଶୈଳୀରେ ଶିକ୍ଷା ଦିଅନ୍ତି । ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଧାଡିଏ କବିତା କୃଷ୍ଣପ୍ରିୟାଙ୍କୁ ପ୍ରତିଦିନ ଆବୃତ୍ତି କରି ଶୁଣାନ୍ତି, ଯାହା ଅଦ୍ୟାବଧି ଶ୍ରୀମତୀ ଆଚାର୍ଯ୍ୟଙ୍କ ଗୁରୁମନ୍ତ୍ର ହୋଇ ରହିଛି।
କବିତାର ସେହି ଧାଡ଼ିଟି ଥିଲା:-
“ହୋଇ ଏକତ୍ରିତ ସ୍ୱର୍ଗ ଦେବଗଣ କରିବେ ଯଦି ମୋ ଜୀବନ ହରଣ ନ ତେଜିବି ସତ୍ୟପଥ ସଦାଶୟ ଦେବି ନାହିଁ କେବେ ମିଥ୍ୟାକୁ ପ୍ରଶୟ”।
ଗତାନୁଗତିକ ଧାରାରେ ଜୀବନ ଗତିକରି ଚାଲିଲା, ହେଲେ କୃଷ୍ଣପ୍ରିୟାଙ୍କ ମନରେ ଓଡ଼ିଆ କଳା ଓ ସଂସ୍କୃତି ପ୍ରତି ସୃଷ୍ଟି ହୋଇଥିବା ଋଚି ଓ ଆଶା ଆକାଂକ୍ଷାର ମଞ୍ଜି ସତେ ଯେମିତି ଅଙ୍କୁରିତ ହେବା ସୁଯୋଗକୁ ଅପେକ୍ଷା କରିଥିଲା ।ଏହି ସମୟରେ କୃଷ୍ଣପ୍ରିୟାଙ୍କର ବିବାହ ହୁଏ ଅଧୂନା ଓଡ଼ିଶା ଲୋକସେବା ଭବନରେ କାର୍ଯ୍ୟରତ ଶ୍ରୀ କୈଳାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସହ । କୃଷ୍ଣପ୍ରିୟାଙ୍କ ଭିତରେ ଲୁଚିରହିଥିବା ପ୍ରତିଭାକୁ ଆବିଷ୍କାର କରିବାକୁ କୈଳାସ ବାବୁଙ୍କୁ ବେଶି ସମୟ ଲାଗେ ନାହିଁ ।ସହଯୋଗର ହାତ ବଢେଇବାକୁ ସରକାରୀ ଚାକିରୀରୁ ସମୟ ନମିଳିଲେ ସେ ମଧ୍ୟ କୃଷ୍ଣପ୍ରିୟାଙ୍କୁ ସୁଯୋଗ ଦେବାକୁ କେବେ କୁଣ୍ଠାବୋଧ କରିନାହାନ୍ତି ।
ଏହି ପଟ୍ଟଚିତ୍ର ଉଦ୍ୟୋଗ ଜରିଆରେ କୃଷ୍ଣପ୍ରିୟା ଅସହାୟ ନିଷ୍ପେସିତ ମାନଙ୍କ ପାଇଁ ନିଜସ୍ୱ ଉଦ୍ୟମରେ ସହଯୋଗର ମାଧ୍ୟମ ସାଜିଛନ୍ତି । ଗଣମାଧ୍ୟମ ତଥା ପ୍ରଚାର ପ୍ରସାର ଠାରୁ ସବୁବେଳେ ନିଜକୁ ଦୂରେଇ ରଖିବା ସହ ସରଳ ଓ ନିରାଡମ୍ବର ଭାବେ ଜୀବନକୁ ଅତିବାହିତ କରିଚାଲିଛନ୍ତି । ବହୁ ଘାତ ପ୍ରତିଘାତ ଦେଇ ଗତି କରି ନିଜକୁ ଜଣେ ସଫଳ ଯୁବ ପଟ୍ଟଚିତ୍ର ଉଦ୍ୟୋଗୀ ଭାବେ ଗଢିତୋଳିବାରେ ସକ୍ଷମ ହୋଇଛନ୍ତି । ଆଲୋଚନା ଓ ସମାଲୋଚନାକୁ ଭୃକ୍ଷେପ ନକରି ଝଡର ଈଗଲ ପରି ମାଡି ଚାଲିଛନ୍ତି ଆଗକୁ ଆଗକୁ । ନିକଟରେ ସାପ୍ତାହିକ ସମ୍ବାଦପତ୍ର ‘ପ୍ରବାହ’ ତରଫରୁ ସେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହେବା ଫଳରେ ତାଙ୍କର ବହୁମୁଖୀ ପ୍ରତିଭା ଲୋକଲୋଚନକୁ ଆସିଛି । ବଣମଲ୍ଲୀ ବଣରେ ବାସ ଚହଟାଇବା ପରି ସମସ୍ତଙ୍କ ଅଜାଣତରେ ପଟ୍ଟଚିତ୍ର ଉଦ୍ୟୋଗୀ ହିସାବରେ କୃଷ୍ଣପ୍ରିୟା ବେଶ ସଫଳତା, ପ୍ରଶଂସା ଓ ଶ୍ରେୟ ସାଉଁଟିବାରେ ସକ୍ଷମ ହୋଇପାରିଛନ୍ତି ।

ଆଗକୁ ବିଦେଶରେ ପଟ୍ଟଚିତ୍ର କଳାର ଲୋକପ୍ରିୟତାକୁ ବୃଦ୍ଧି କରିବା ପାଇଁ ସେ ଏବେ ବିଶେଷ ପ୍ରୟାସ ଜାରି ରଖିଛନ୍ତି । ମା’ କୃଷ୍ଣପ୍ରିୟାଙ୍କୁ ତାଙ୍କ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଝିଅ ଶ୍ରୁତିଜ୍ୟୋତି ଆଚାର୍ଯ୍ୟ ବେଶ୍ ସହଯୋଗ କରୁଥିବା ସହ ପାଠପଢାରୁ ଅବସର ସମୟ ମା’ଙ୍କ ସହ ସମାଜସେବା କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଅଧୂନା ଭୁବନେଶ୍ୱରର ୟୁନିଟ୍-୬ରେ ସପରିବାର ଅବସ୍ଥାନ କରୁଥିବା କୃଷ୍ଣପ୍ରିୟା, ବାସ୍ତବରେ ଅନନ୍ୟ ପ୍ରତିଭାର ଅଧିକାରିଣୀ ଏବଂ ସମସ୍ତ ପଟ୍ଟଚିତ୍ର ଶିଳ୍ପୀ ତଥା ଯୁବଦ୍ୟୋଗୀଙ୍କ ପାଇଁ ଏକ ସଫଳ ଉଦାହରଣ ।