ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ମହିଳା ସଶକ୍ତୀକରଣ ପାଇଁ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

• ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗରେ ମହିଳା ଏସଏଚ୍‌ଜିଙ୍କ ପାଇଁ ସବାଇ ଘାଷ ହସ୍ତକଳା କର୍ମଶାଳା ଆୟୋଜିତ

ବାଲେଶ୍ୱର: ଜୀବନଜୀବିକା ଅଭିଯାନ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ସବାଇ ଘାଷ ହସ୍ତକଳା ଉତ୍ପାଦ ଉପରେ ଏକ ଦୁଇ ମାସ ବ୍ୟାପୀ ପ୍ରଶିକ୍ଷଣ କର୍ମଶାଳାର ଶୁଭାରମ୍ଭ କରାଯାଇଛି । ବାଲିଆପାଳର ପ୍ରତାପପୁର ଗ୍ରାମ ପଂଚାୟତର ପାଂଚଟି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ।


ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ବାଲିଆପାଳର ତହସିଲଦାର ଶ୍ରୀ ଦୀପକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରତାପପୁର ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ କସ୍ତୁରୀ ବାଳା ପାତ୍ର, ପ୍ରତାପପୁର ପଂଚାୟତ ସମିତିର ସଦସ୍ୟା ଶ୍ରୀମତୀ କାବେରୀ ରାଉତ ଏବଂ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ (ପ୍ରେସିଡେଂଟ୍‌) ତଥା ବ୍ଲକ୍ ସ୍ତରୀୟ ମହାସଂଘ, ବାଲିଆପାଳର ସଂପାଦିକା ଶ୍ରୀମତୀ ସୁଷମା ଦତ, ଏସ୍‌ପିପିଏଲ୍‌ର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ, ପ୍ରଶାସନିକ ଶ୍ରୀ ପ୍ରମୋଦ କୁମାର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବାଲେଶ୍ୱର ଲିଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ ।


ଏହି ଅଭିଯାନ ପାଇଁ ଏସ୍‌ପିପିଏଲ୍‌କୁ ପ୍ରଶଂସା କରି ବାଲିଆପାଳର ତହସିଲଦାର ଶ୍ରୀ ଦୀପକ କୁମାର ଦାସ କହିଛନ୍ତି ଯେ, “ଏହି ଅଭିଯାନ ମହିଳାମାନଙ୍କୁ ଆର୍ଥିକ ରୂପେ ସ୍ୱାଧୀନ ଏବଂ ସଶକ୍ତ କରିବ । କେନ୍ଦ୍ରୀୟ ଓ ରାଜ୍ୟ ଜୀବିକା ମିସନ କାର୍ଯ୍ୟକ୍ରମ ଯଥା ଓର୍‌ମାସ୍‌, ଓଏଲ୍‌ଏମ୍‌କୁ ମଧ୍ୟ ଏହା ସହଯୋଗ ପ୍ରଦାନ କରିବ ।


ଏହି ଅବସରରେ ପ୍ରତାପପୁର ପଂଚାୟତର ପଂଚାୟତ ସମିତି ସଦସ୍ୟା ଓ ସରପଂଚ ଶ୍ରୀମତୀ କସ୍ତୁରୀ ବାଳା ପାତ୍ର କହିଛନ୍ତି ଯେ, “ନୂତନ କୌଶଳ ଶିଖିବା ଲାଗି ଗ୍ରାମୀଣ ମହିଳାମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣ ଦରକାର । ଏହି କର୍ମଶାଳା ସେମାନଙ୍କୁ ନୂଆ ଜୀବିକା ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ । ଏହି ପ୍ରଶିକ୍ଷଣକୁ ଶ୍ରେଷ୍ଠ ଭାବେ ବ୍ୟବହାର କରିବା ଲାଗି ଚଉମୁଖ୍‌ର ଜିପିଏଲ୍‌ଏଫ୍‌ର ସଭାନେତ୍ରୀ (ପ୍ରେସିଡେଂଟ୍‌) ଶ୍ରୀମତୀ ସୁଷମା ଦତ ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ସଦସ୍ୟାମାନଙ୍କୁ ଅତିରିକ୍ତ ଆୟ ଲାଗି ଉତମ ସୁଯୋଗ ପ୍ରଦାନ କରିବା ନିମନ୍ତେ ବିଭିନ୍ନ ପ୍ରକାର ସବାଇ ଘାଷ ହସ୍ତକଳା ଉପରେ ପ୍ରଶିକ୍ଷଣ ସହ ଏସ୍‌ଏସ୍‌ଜି ସଦସ୍ୟାମାନଙ୍କ ଦକ୍ଷତା ଗଠନରେ ଏହି କର୍ମଶାଳା ସହାୟକ ହେବ । ପ୍ରଶିକ୍ଷୀତ ସଦସ୍ୟାମାନେ ଏହି କୌଶଳ ଉପରେ ଅନ୍ୟ ସଦସ୍ୟାମାନଙ୍କୁ ଆଗକୁ ତାଲିମ ଦେଇପାରିବେ । ଓଡ଼ିଶା ସରକାରଙ୍କ ହସ୍ତକଳା ବିଭାଗର ଦୁଇ ସାର୍ଟିଫାଏଡ୍ ଏମ୍ପାନେଲ୍‌ଡ ପ୍ରଶିକ୍ଷକଙ୍କ ତରଫରୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏସ୍‌ପିପିଏଲ୍‌ର ଜୀବିକା ଅଭିଯାନ ଅଧୀନରେ ଯୋଜନା କରାଯାଇଥିବା ବହୁ କାର୍ଯ୍ୟକ୍ରମ ମଧ୍ୟରୁ ଏହା ହେଉଛି ଅନ୍ୟତମ ଯେଉଁଗୁଡ଼ିକୁ ଆଗାମୀ ଦିନରେ ଆୟୋଜନ କରାଯିବ ।

Leave a Reply

Your email address will not be published. Required fields are marked *