ଭାରତୀୟ ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସ୍ତରୀୟ ସମତା ସ୍ଵରାଜ୍ୟ ସଂକଳ୍ପ ସମ୍ମିଳନୀ

ଭୁବନେଶ୍ଵର, ପ୍ରବାହ ନ୍ୟୁଜ୍‌ : ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ୟୁସୁଫ୍ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମତା ସ୍ଵରାଜ୍ୟ ସଂକଳ୍ପ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଗଛରେ ଜଳଦାନ ପୂର୍ବକ ସମ୍ମିଳନୀର ଉଦଘାଟନ କରିଥିବା ବେଳେ ଉଦଘାଟନୀ ଉତ୍ସବରେ ସଭାପତିତ୍ଵ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ କରିଥିଲେ । ଏହି ଅବସରରେ ଅତିଥିମାନେ କହିଲେ ଯେ, ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଅବଦାନ ହେଉଛି ଯେ ଆମ ସମ୍ବିଧାନ ଦେଶର ଚାଷୀ, ଆଦିବାସୀ, ମହିଳା, ଯୁବକ ଛାତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଡ. ବାବାସାହେବ ଆମ୍ବେଦକର, ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ଡ଼. ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ସମ୍ବିଧାନ ପ୍ରଣୟନ ସଭା ମାଧ୍ୟମରେ  ସମସ୍ତଙ୍କୁ ସମତା ଓ ସ୍ଵରାଜ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା । ଆମ ସମ୍ବିଧାନର ମୁଖବନ୍ଧରୁ ହିଁ ଏହାର ବ୍ୟାପକତା ପ୍ରତିଫଳିତ ହୋଇଥାଏ। ତେବେ ସମସ୍ତଙ୍କୁ ମିଳୁଥିବା ସମାନ ଅଧିକାରକୁ ବିରୋଧ କରି ଶାସକ ଗୋଷ୍ଠୀ ପକ୍ଷରୁ ଭାରତୀୟ ସମ୍ବିଧାନକୁ ବଦଳେଇ ଦେବା ପାଇଁ ଏକ ଷଡଯନ୍ତ୍ର ଆରମ୍ଭ ହୋଇଛି । ଏହା ବିରୋଧରେ ଗାଁ ଗାଁରେ ଆନ୍ଦୋଳନ ଚଳେଇ ରଖି ଏହାକୁ ବଞ୍ଚାଇବାକୁ ପଡିବ । ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ଶିକ୍ଷାବିତ୍ ପ୍ରଫେସର ବିରେନ୍ଦ୍ର ନାୟକ, ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ଵଜିତ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ଵର ସାହୁ ଏହାକୁ ସଞ୍ଚାଳନ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଆମ ସମ୍ବିଧାନ – ଏକ ସମୀକ୍ଷା ଅଧିବେଶନକୁ କିଶାନ ପଟ୍ଟନାୟକ ସଞ୍ଚାଳନ କରିଥିବା ବେଳେ ହେତୁବାଦୀ ପ୍ରଫେସର ଧନେଶ୍ଵର ସାହୁ, ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲ୍ଲିକ, ପ୍ରାକ୍ତନ ବିଧାୟକ ନାରାୟଣ ରେଡ୍ଡୀ, ବାଲେଶ୍ଵର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମହମ୍ମଦ ଇସଲାମ ପ୍ରମୁଖ ଆଲୋଚନା କରି ଭାରତୀୟ ସମ୍ବିଧାନ ଓ ଏହାର ବିଶେଷତା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ ।

            ସାନ୍ଧ୍ୟ ଅଧିବେଶନରେ ଭାରତୀୟ ସଂସଦୀୟ ବ୍ୟବସ୍ଥାର ୭୫ ବର୍ଷ – ଏକ ସମୀକ୍ଷା ଶୀର୍ଷକ ଆଲୋଚନାକୁ ଛାଇର ସମ୍ପାଦକ ସତୀଶ ମିଶ୍ର ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ବିଜୁ ଜନତା ଦଳର ମୁଖପାତ୍ର ଲେନିନ ମହାନ୍ତି, ସ୍ତମ୍ଭକାର ସରଳ ଦାସ ପ୍ରମୁଖ ଆଲୋଚନା କରି ସମ୍ବିଧାନ ସଂଶୋଧନ, ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସଂସଦୀୟ ଗଣତନ୍ତ୍ର ତଥା ଆଜିର ସମ୍ବିଧାନ ପରିବର୍ତ୍ତନ ଷଡଯନ୍ତ୍ର ସମ୍ବନ୍ଧରେ କହିଥିଲେ ।

            ଏହି ସମ୍ମିଳନୀକୁ ୟୁସୁଫ୍ ମେହେର ଅଲ୍ଲୀ ସେଣ୍ଟରର ରାଜ୍ୟ ସଂଯୋଜକ କଲ୍ୟାଣ ଆନନ୍ଦ ଓ ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜନ ଆନ୍ଦୋଳନର କର୍ମୀ ତଥା ସାଂସ୍କୃତିକ, ରାଜନୈତିକ କର୍ମୀମାନେ ଯୋଗ ଦେଇଥିଲେ । ସମ୍ମିଳନୀ ଆସନ୍ତା କାଲି ଉଦଯାପିତ ହେବାକୁ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ସଂଘର୍ଷ ଚଳାଇଥିବା କେତେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମତା ସ୍ୱରାଜ ସମ୍ମାନ ୨୦୨୪ ସମ୍ମାନିତ କରାଯିବ।

Leave a Reply

Your email address will not be published. Required fields are marked *