ଶ୍ରାବଣ ଓ ଶିବାଭିଷେକ

ଶ୍ରାବଣରେ ଶିବାଭିଷେକର ଅନେକ ମହତ୍ତ୍ୱ ରହିଛି। ଏହି ମାସର ସୋମବାରଗୁଡ଼ିକରେ କାଉଡ଼ିଆ ଭକ୍ତମାନେ ଭାରରେ ନଦୀଜଳ ନେଇ ନିଷ୍ଠାର ସହିତ ଶିବମନ୍ଦିରରେ ଶିବଙ୍କୁ ଜଳାଭିଷେକ କରିଥାଆନ୍ତି। କିନ୍ତୁ କେବଳ ଶ୍ରାବଣମାସର ସୋମବାରରେ ନୁହେଁ, ବାରମାସର ଯେକୌଣସି ବାରରେ ମଧ୍ୟ ଶିବାଭିଷେକ କରାଯାଇଥାଏ। ଏଥିପାଇଁ କେବଳ ଜଳ ନୁହେଁ; ଅନ୍ୟାନ୍ୟ ଦ୍ରବ୍ୟରେ ଅଭିଷେକର ବିଧାନ ମଧ୍ୟ ଶାସ୍ତ୍ରଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଅଛି।

ସେହି ବିଧାନ ଅନୁସାରେ- ଦୁଗ୍ଧ, କୂପ ବା ପୁଷ୍କରିଣୀର ଜଳ, ବର୍ଷାଜଳ, ଆଖୁରସ, ବେଲପତ୍ର ଜଳ, ନଦୀ ବା ଝରଣା ଜଳ, ମହୁ ଓ ଘନୀଭୂତ ଘୃତ ଦ୍ୱାରା ଶିବଙ୍କର ଅଭିଷେକ କରାଯାଇଥାଏ। ଏହିପରି ଭାବରେ ଶିବଙ୍କର ଅଭିଷେକ ଅଷ୍ଟବିଧ। ଏହା ବ୍ୟତୀତ, ଦହି ଓ ସୋରିଷ ତେଲରେ ମଧ୍ୟ ଶିବଙ୍କର ଅଭିଷେକ କରାଯାଇଥାଏ। ଏହିପରି ଭିନ୍ନ ଭିନ୍ନ ଦ୍ରବ୍ୟରେ ଶିବଙ୍କର ଅଭିଷେକ ଅନେକ ଅଭୀଷ୍ଟ ଫଳ ପ୍ରଦାନ କରିଥାଏ। ଏପରିକି ଶାସ୍ତ୍ରୋକ୍ତି ରହିଛି, ଯେ ଅନାବୃଷ୍ଟି କାଳରେ ଶିବଙ୍କର ଜଳାଭିଷେକ କଲେ, ବୃଷ୍ଟି ହୁଏ। ତୀର୍ଥଜଳରେ ଶିବଙ୍କର ଅଭିଷେକ କଲେ ମୁମୁକ୍ଷୁ ବ୍ୟକ୍ତିକୁ ମୁକ୍ତି ମିଳେ। ଏଣୁ ଶ୍ରାବଣ ସୋମବାରରେ ବିଭିନ୍ନ ତୀର୍ଥ ଘାଟରୁ ଭାରରେ ନଦୀ ଜଳ ନେଇ ଭକ୍ତମାନେ ଶିବଙ୍କର ଅଭିଷେକ କରିଥାଆନ୍ତି।

Leave a Reply

Your email address will not be published. Required fields are marked *