ସୁଦୂର ହିମାଳୟ ପର୍ବତ ଶିଖରରେ ଫୁଟୁଥିବା ବ୍ରହ୍ମକମଳ ଫୁଲ ଖୋର୍ଦ୍ଧାର ଅଭିନ୍ନ ମହାପାତ୍ରଙ୍କ ବାଡ଼ିରେ

ଖୋର୍ଦ୍ଧା : ୧୫/୦୭(ପ୍ରବାହ ନିଉଜ୍) ପ୍ରଭୁ ବିଷ୍ଣୁଙ୍କ ନାଭିରୁ ଜାତ ବ୍ରହ୍ମ କମଳ ଫୁଲରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ବିରାଜମାନ କରିଥିବା ପୁରାଣ ବର୍ଣ୍ଣିତ । ଦେବପୁଷ୍ପ ପାରିଜାତ ସମତୁଲ୍ୟ ଏହି ଫୁଲ । ସୁଦୂର ହିମାଳୟ ପାର୍ବତ୍ୟମାଳାର ୧୭ହଜାର ଫୁଟ ଉଚ୍ଚତାରେ ଫୁଟୁଥିବା ଏହି ଅତ୍ୟନ୍ତ ସୁନ୍ଦର ଏବଂ ପବିତ୍ର ବ୍ରହ୍ମ କମଳ ଫୁଲ ଫୁଟିବା ସମୟରେ ସ୍ୱୟଂ ବ୍ରହ୍ମଦେବଙ୍କ ଏକ ତ୍ରିଶୂଳର ଆକୃତି ନେଇଥାଏ । ଯାହା ଘର ଅଗଣାରେ ଫୁଟେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରଭୁ ବହ୍ମାଙ୍କ ଆଶୀର୍ବାଦରେ ସେ ପରିବାରରେ ସୁଖ ସଂବୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି ।

ଏମିତି ଏକ ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ମଙ୍ଗଳା ନଗରର ଅଭିନ୍ନ ମହାପାତ୍ର । ନିଜ ସମ୍ପର୍କୀୟଙ୍କ ଦ୍ୱାରା ପ୍ରଦତ୍ତ ଏହି ଦୁର୍ଲଭ୍ୟ ଫୁଲଗଛ ସେ ତିନି ବର୍ଷ ପୂର୍ବେ ନିଜ ଘର ଛାତରେ ଲଗାଇଥିଲେ । ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ସହ ସନ୍ଧ୍ୟା ସମୟରେ ଦ୍ବୀପ ପ୍ରଜ୍ବଳନ କରି ବ୍ରହ୍ମକମଳ ଫୁଲ ଗଛରୁ ଫୁଲ ଫୁଟିଲେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବେ ବୋଲି ମାନସିକ ମଧ୍ୟ କରିଥିଲେ। ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଏହି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଥିବା ବେଳେ ଶ୍ରୀଗୁଣ୍ଡିଚା ସମୟରେ ଏହି ଫୁଲ ଫୁଟିବା ପୁଣି ଓଡ଼ିଶା ଜଳବାୟୁରେ ବିରଳ ଘଟଣା । ଏବେ ଲଗାତାର ଦୁଇଦିନ ଧରି ଶ୍ରୀ ମହାପାତ୍ରଙ୍କ ବାଡ଼ିରେ ଏହି ଫୁଲ ଦେଖିବାକୁ ଆଖପାଖ ଲୋକମାନେ ଛୁଟିଆସି ଅତି ଉତ୍କଣ୍ଠା ର ସହିତ ଗଛ ନିକଟରେ ଭକ୍ତି ରେ ମୁଣ୍ଡିଆ ମାରୁଛନ୍ତି। ଗତକାଲି ରାତିରେ ଦୁଇଟି ଫୁଲ ଫୁଟିଥିବା ବେଳେ ଆଜି ସନ୍ଧ୍ୟାରେ ପୁଣି ଆଉ ଗୋଟିଏ ଫୁଲ ଫୁଟୁଥିବା ଦେଖିବାକୁ ମିଳିଛି । ଶ୍ରୀ ମହାପାତ୍ର ଗଛରେ ପ୍ରଥମ ଫୁଲ ଫୁଟିଲେ ଶ୍ରୀଜଗନ୍ନାଥ ଙ୍କ ନିକଟକୁ ପଠାଇବେ ବୋଲି ମନସ୍ଥ କରିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେଉ ନଥିବାରୁ ଆଜି ସକାଳେ ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇ ପାଟଣା ସ୍ଥିତ ପୂର୍ଣ ବିଗ୍ରହ ଜଗନ୍ନାଥ ମନ୍ଦିରକୁ ନେଇ ଠାକୁରଙ୍କୁ ଅର୍ପଣ କରିଥିବା ବେଳେ ଆଗକୁ ଫୁଲ ଫୁଟିଲେ ନିକଟବର୍ତ୍ତୀ ସମସ୍ତ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଠାକୁରଙ୍କୁ ଫୁଲ ଅର୍ପଣ କରିବେ ବୋଲି କହିଛନ୍ତି।

ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ବ୍ରହ୍ମ କମଳ ଫୁଲ ଦର୍ଶନ କଲେ ଅନେକ ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ଵାସ ରହିଛି । ଏହି ଫୁଲକୁ ସାଧାରଣତଃ ବର୍ଷର ଜୁଲାଇ ମାସଠାରୁ ଆରମ୍ଭ କରି ଅକ୍ଟୋବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ବିରଳ ବ୍ରହ୍ମ କମଳ ଫୁଲର ଔଷଧୀୟ ନାମ ସସୋରିୟା ଓବୋବେଲାଟା ଅଟେ ଏବଂ ଏହି ଦିବ୍ୟପୁଷ୍ପକୁ ହିମାଚଳପ୍ରଦେଶରେ ଦୁଗ୍ଧପୁଷ୍ପ, ଉତ୍ତରାଖଣ୍ଡରେ ରାଜ୍ୟପୁଷ୍ପ କୁହାଯାଇଥିବା ବେଳେ କାଶ୍ମୀର ରେ ଗଲ ଗଲ ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବର୍ଗନ ଡଟୋଗେସ ନାମରେ ପରିଚିତ । ଏହା ଏକ ଔଷଧୀୟ ଫୁଲ ଅଟେ ଏବଂ ଶ୍ଵାସ ଓ କ୍ୟାନସର ପରି ଅନେକ ଦୁଃରାସାଧ୍ୟ ରୋଗରେ ଏହାକୁ ଉପଯୋଗ କରାଯାଏ ।

Leave a Reply

Your email address will not be published. Required fields are marked *