‘ସ୍ମୃତି ରେ ତୁମେ’

ସରୋଜିନୀ ମହାପାତ୍ର ଦାଶ
ପରଲୋକଗତ ଶ୍ରୀମତି ରମାମଣି ମିଶ୍ରଙ୍କ ସ୍ମରଣେ
ଭାବ-ଗତ-ବ୍ରହ୍ମ-ତତ୍ତ୍ବ =ଭାଗବତ ଏସବୁ ବୁଝାଇବାକୁ ଆଉ ତୁମେ ଏ ସଂସାରରେ ନାହଁ।
ତୁମେ ଯେ ଜଣେ ବ୍ରହ୍ମବିଦୂଷୀ ଥିଲ ଏଥିରେ ମୋର ଦ୍ବିମତ କେବେ ନଥିଲା କି ଏବେ ବି ନାହିଁ। ରାୟଚକ୍ରଧରପୁର,ସନ୍ଥ ଗାଁ ଠାରୁ ଲିଙ୍ଗିପୁର , ଉତ୍ତରା ଯାଏଁ ଅସରନ୍ତି କାହାଣୀ,କିଛି ସର୍ବସମକ୍ଷରେ ପ୍ରକାଶିତ କିଛି ଅପ୍ରକାଶିତ।
ମୋ ସହ ଛ ନମ୍ବର ଡାକ୍ତରଖାନା ଯିବା ସମୟରେ ନିଜ ମନର ନିଭୃତ କୋଣ ଅନୁକୋଣରେ ଲୁଚି ରହିଥିବା ଅକୁହା କଥା ସବୁ ବଖାଣି ଚାଲିଥିଲ,ତମର ଆରାଧ୍ୟ ଙ୍କ ଠାରୁ ନୀରବରେ ମାଗି ଚାଲିଥିଲ ଇହଧାମ ରୁ ପ୍ରସ୍ଥାନ କରିବାର ଅନୁମତି।
ହଠାତ୍ ରାତି ଏଗାରରେ ଖବର ପାଇଲି ତମେ ହୃଦଘାତରେ ଇହଲୀଳା ସମ୍ବରଣ କରିଛ। ଅବାକ୍ ହେଇଗଲୁ ଆମେ ସମସ୍ତେ।କଥା ଦେଇଥିଲି କାନ୍ଦିବିନି କି ତୁମ ନାତି ଆଉ ଝିଅ କୁ କାନ୍ଦିବାକୁ ଦେବିନି, ସ୍ଵର୍ଗଦ୍ଵାର ଯାଏଁ ଏ କଥା ମୁଁ ପାଳନ କରିଛି।ତୁମ ଶେଷ ଦର୍ଶନ ପାଇଁ ଯିବା ସମୟରେ ଦୟାନଦୀ ପୋଲ ଉପରୁ ହିଁ ଛାଇ ଆଲୁଅର ଖେଳରେ ମତେ ଆମ୍ବୁଲାନ୍ସ ଭିତରୁ ତୁମ ହାତ ଓ ମୁହଁ ଦିଶିଥିଲା।
ବାଲିଶଯ୍ୟାରେ ଶୋଇ ଅହ୍ୟରାଣୀ ବେଶରେ ସଜେଇ ହୋଇ ଶ୍ମଶାନ ଅଭିମୁଖେ ଯିବା ଆଗରୁ କହିଚାଲିଥିଲ ଅନେକ କଥା ଯାହା କେବଳ ମୋର ଶ୍ରୁତିଗୋଚର ହେଉଥିଲା ,ଲୋକ ପରଲୋକ ତତ୍ତ୍ୱ ଗବେଷଣା ରେ ଯଦିଓ ମୁଁ ଜାଣିଥିଲି ଶବ ର କଥା କୁହା ଶକ୍ତି ପ୍ରବଳ ତଥାପି ତୁମଠାରୁ ଯେ ଶେଷ ସମୟରେ ଏମିତି ଉପଦେଶ ମିଳିବ ଯାହା ମୋର କଳ୍ପନାର ପରିସୀମା ର ବାହାରେ ଥିଲା।
ସେ ସମୟର କିଛି କଥା ବୈଜ୍ଞାନିକ ସିଦ୍ଧାନ୍ତ ସହ ଖାପ ଖାଇବାରୁ ଆଶ୍ବସ୍ତ ହେଲି ଯେ ଏହା ମୋର ପାରା ସାଇକୋଲୋଜି ନଥିଲା।
ତମେ ଶବ ଅବସ୍ଥା ରେ ସତେ ଯେମିତି କହୁଥିଲ:-
ଜୀବନ ଅଟେ ତିନିଭାଗ
ବାଲ୍ୟ, ଯୌବନ,ଜରା ଭୋଗ।।
ତେମନ୍ତେ ମୃତ୍ୟୁ ତିନିଭାଗେ
ବିଭକ୍ତ କାଳର ପ୍ରଭାବେ।।
ପ୍ରଥମ ଭାଗ ବୈତରଣୀ
ତପତ ତରଳ ଉଜାଣି।।
ଦ୍ବିତୀୟ ନାମଟି ରଉରବ
ଯାହାକୁ କହି ଗର୍ଭଠାବ।।
ତୃତୀୟେ ଗର୍ଭରୁ ନିଃସରଣ
ଜୀବନ ଗର୍ଭ ପ୍ରତ୍ୟାଖ୍ୟାନ।।
ଯାହା ଆଦି ଶଙ୍କରାଚାର୍ଯ୍ୟ ଙ୍କ ମହାବାକ୍ୟ ‘ପୁନରପି ଜନମଂ ପୁନରପି ମରଣଂ,ପୁନରପି ଜନନୀ ଜଠରେ ଶୟନଂ’ ସହ ସମାନ।
ଏସବୁ କଥା ମୋ ମୋବାଇଲ ରେ ଲେଖିବା ଛଡ଼ା ଅନ୍ୟ ଉପାୟ ନଥିଲା।ମତେ ଏତେ ଭଲ ପାଅ ଆଉ ତୁମର ଭାଗବତ ସାଧନା ଏପରି ଯେ ଶବ ହେଇ ବି ପ୍ରିୟ ନାତୁଣୀ ବୋହୁ ହିସାବରେ ମୋ ମସ୍ତିଷ୍କ ରେ ଆଙ୍କି ଚାଲିଥିଲ ଜୀବନ ଓ ମୃତ୍ୟୁର ବିଭିନ୍ନ ସ୍ତର ଓ ବିଭାଗ।
ପୁଣି ସ୍ମତିରେ ଆସିଲା:-
ଚଣ୍ଡିକା ରାଜେ ଅମ୍ବା ରୂପେ
“ମ୍ବ” ଯୁକ୍ତ ସକଳ ସ୍ବରୂପେ
ଆମ୍ବ, କଦମ୍ବ,ଅବା ଜାମ୍ବ
ଲେମ୍ବୁ ଓ ବେମ୍ବୁ ତଥା ଲିମ୍ବ।।
ପ୍ରଥମ ରୁ ଲାଗିଲା ନାତୁଣୀ ବୋହୁ ଅମ୍ବିକା କଥା କହୁଛ କିନ୍ତୁ ବହୁ ଅନୁଶୀଳନ ପରେ ଜଣା ପଡିଲା ଛଅ ଟି ଗଛ ଯଦି ଜୀବଦ୍ଦଶାରେ ରୋପଣ କରାଯାଏ ତେବେ ତପ୍ତବୈତରଣୀ ଜ୍ବାଳା ବହୁ ପରିମାଣରେ କମିଯାଏ।ହେଲେ ଏ ବେମ୍ବୁ କଣ ଏ ଯାବତ୍ ବୁଝାପଡିଲା ନାହିଁ।
ସ୍ମୃତି ପଟରେ ତମ ସହ କଟିଥିବା ପାଞ୍ଚ ଟି ବର୍ଷ ର ଘଟଣା ସବୁ ଆସୁଥାଏ।ଦି ଟୋପା ଲୁହ ବି ଆସିଗଲା କେମିତି ଭୁଲିବି ସବୁ କଥା ଭାରୀ କଷ୍ଟକର ବୋଧ ହେଉଥାଏ ଏପଟେ କୋକେଇ ରେ ଶୁଆଇ ଶବ ବୁହା ଗାଡ଼ିରେ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିଲ ଠିକ ସେ ସମୟରେ ସ୍ମୃତି ରେ ଆସିଲା:-
ଋତି ସୁଖସାରେ ଗତମଭିସାରେ
ମଦନମନୋହର ବେଶଂ
ନ କରୁ ନିତମ୍ବିନୀ……..
ଗମନ ବିଳମ୍ବନ
ଅନୁସଋତଂ ହୃଦୟେଶଂ
ତମ ପଛେ ପଛେ ସ୍ବର୍ଗ ଦ୍ବାର ଯାଏଁ ଅବିକଳ ଏଇ ଭାବନା ଥିଲା,ଭାଗବତ କୁ ଅସ୍ଥିମଜ୍ଜାଗତ କରି ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ର ନୀରବ ଅଧିକାରିଣୀ ହୋଇଥିଲ,ତମ ହୃଦୟେଶ ତମକୁ ନିତ୍ୟ ପରମଧାମ କୁ ବାହୁଡାଇ ନେଲେ।ସେଇଠୁ ସମସ୍ତଙ୍କ ଉପରେ ଅମୃତ ଦୃଷ୍ଟି ରେ ଆର୍ଶୀବାଦ ବର୍ଷୁଥାଉ। ଲୌକିକ ଭାବେ ତମେ ଦୂରେଇ ଗଲେ ବି ଥିବ କାଳ କାଳ ସ୍ମୃତି ହୋଇ ବାଁ ପଟ ଛାତି ତଳେ।