କୋଭିଡ କଟକଣା ଭିତରେ ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ
ଖୋର୍ଦ୍ଧା:୧୫/୮(ପ୍ରବାହ ନିଉଜ୍) ଭାରତ ବର୍ଷ ର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇ ଥିବା ବୀର ଯୋଦ୍ଧା ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସାରା ଦେଶରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ୭୫ତମ ସ୍ବାଧୀନତା ଦିବସ । ଏହି ଅବସରରେ ଖୋର୍ଦ୍ଧା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ବକ୍ସି ଜଗବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ କୋଭିଡ ନିୟମକୁ ଦୃଷ୍ଟି ରେ ରଖି ନିରାଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସନ୍ନତ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।
ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଖୋର୍ଦ୍ଧା ପରି ପବିତ୍ର ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗର୍ବିତ ମନେ କରିବା ଉଚିତ୍। ବ୍ରିଟିଶ ସରକାର କବଳରୁ ଭାରତକୁ ସ୍ଵାଧୀନତା ଦେବାରେ ବାପୁଙ୍କର ଭୂମିକା ଅତୁଳନୀୟ । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଜିଲ୍ଲାପାଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଭାରତକୁ ସ୍ୱାଧୀନତା ଆଣିବାର ପ୍ରଥମ ବିଗୁଲ ଖୋର୍ଦ୍ଧାର ପାଇକ ପୁଅ ବଜାଇ ଥିବା ବେଳେ ପାଇକ ବିଦ୍ରୋହର ଆରମ୍ଭ ଏହି ମାଟିରୁ ଜନ୍ମ ନେଇଥିଲା ।
ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣୀ, ମାଧବ ଚନ୍ଦ୍ର ରାଉତରାୟଙ୍କ ପରି ଅନେକ ଯୋଗଜନ୍ମା ଭୂମିପୁତ୍ରଙ୍କ ପାଇଁ ଖୋର୍ଦ୍ଧା ଆଜି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।ପରିଶେଷରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସ କର୍ମଚାରୀ ମାନଙ୍କୁ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ପତାକା ଉତ୍ତୋଳନ ଉତ୍ସବରେ ଖୋର୍ଦ୍ଧା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ ଶ୍ରୀଯୁକ୍ତ ସନତ କୁମାର ମହାନ୍ତି, ଏ.ଡି.ଏମ. ମନୋଜ ପାଢୀ,ଅନୁଜ ଦାସ ପଟ୍ଟନାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଡି.ଆର.ଡି.ଏ. ପିଡି ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ବିଶ୍ୱରଞ୍ଜନ ପତି, ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସାଲୱାର, ତହସିଲଦାର ପଦ୍ମଚରଣ ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଓ ଖୋର୍ଦ୍ଧାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।