କମୁଛି ସଞ୍ଚୟ,ବଢୁଛି ବ୍ୟୟ,ବିଗିଡି ଯାଉଛି ମାନସିକତା!!!!!

ଭୁବନେଶ୍ଵରରେ ଜଣେ ଆଇନ ପ୍ରଫେସର ତାଙ୍କର ବାପାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। କାରଣ ଆର୍ଥିକ ସମସ୍ୟା। ଘରୋଇ କଲେଜରେ ନିଯୁକ୍ତ ଥିଲେ ମଧ୍ୟ ଜଣେ ପ୍ରଫେସରଙ୍କର ଦରମା ଏତେ କମ୍ ନ ଥିବ ଯେ ତାଙ୍କୁ ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିବ । ତାଙ୍କର ପିତା ଜଣେ ଅବସରପ୍ରାପ୍ତ ନାଲକୋ ଅଫିସର ହୋଇଥିବାରୁ ସେ ମଧ୍ୟ ପୁଅ ବୋହୁଙ୍କ ଉପରେ ବୋଝସେ ହୋଇ ନ ଥିବେ।ଗୋଟେ ସମୟରେ ଘରର ବଡ଼ ପୁଅ ପିଅନ କିମ୍ବା କିରାଣୀ ଚାକିରୀଟିଏ କଲେ ବି ତା ଉପରେ ଘରର ପୁରା ବୋଝ ଲଦି ଦିଆ ଯାଉଥିଲା। ମାଆ ବାପମାନେ କିମ୍ବା ନିର୍ଭରଶୀଳ ସଦସ୍ୟମାନେ ବଡ଼ ଭାଇ ଭାଉଜଙ୍କ ସାମର୍ଥ୍ୟ ବିଷୟରେ ଜାଣିବାକୁ ଚାହୁଁ ନଥିଲେ। ଆଜିକାଲି ସେହି ଅବସ୍ଥା ନାହିଁ। ଭାଇ ଭଉଣୀଙ୍କ କଥା ଛାଡ଼ କେହି ମାଆ ବାପାଙ୍କର ଦାୟିତ୍ଵ ନେବାକୁ ଚାହୁଁ ନାହାଁନ୍ତି। ଏପରିକି ମାଆ ବାପା ମାନେ ପିଲାଙ୍କ ଉପରେ ଆର୍ଥିକ ନିର୍ଭରଶୀଳ ନ ଥିଲେ ମଧ୍ୟ ପୁଅ ବୋହୁ ମାନେ ବୁଢା ବୁଢ଼ୀଙ୍କୁ ପାଖରେ ରଖିବାକୁ ଚାହୁଁ ନାହାଁନ୍ତି। ପୁଅ ଚାହିଁଲେ ମଧ୍ୟ ବୋହୁ ଚାହୁଁନି। ଯଦି ପୁଅ ବାଧ୍ୟ କରେ ତେବେ ତାକୁ ବିବାହ ବିଚ୍ଛେଦ, ଯୌତୁକ ନିର୍ଯାତନା, ଛାଡ଼ ପତ୍ର ଓ ଭରଣ ପୋଷଣ ଆଦିର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ହଠାତ୍ ଏହି ୨୦ବର୍ଷ ମଧ୍ୟରେ କଅଣ ଏପରି ପରିବର୍ତ୍ତନ ହେଲା ଯେ ସମାଜର ରୂପ ପୁରା ବଦଳିଗଲା?
ଏହାର ସରଳ ଉତ୍ତର ହେଉଛି ଉପଭୋକ୍ତାବାଦ । ପୁଞ୍ଜିବାଦର ସଫଳତା/ବିଫଳତାର ଫଳ ସ୍ଵରୁପ ସମାଜରେ ଏକ ଉଚ୍ଚ ବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି। ବିଶେଷକରି ଓଡ଼ିଶାରେ ଖଣି ମାଫିଆ, ଚିଟଫଣ୍ଡ ଓ ରିଅଲ ଇଷ୍ଟେଟ ବ୍ୟବସାୟରୁ କିଛି ବ୍ୟକ୍ତି ବହୁତ ଧନୀ ହୋଇଛନ୍ତି। ତା ଛଡ଼ା ଆଇଟି ସେକ୍ଟର କର୍ମଚାରୀ ଓ ଷଷ୍ଠ/ସପ୍ତମ ବେତନରୁ ଲାଭାନ୍ଵିତ କର୍ମଚାରୀ ମାନେ ମଧ୍ୟ ଏମାନଙ୍କ ମଧ୍ୟରେ ଅଛନ୍ତି। ଏମାନଙ୍କ ଦ୍ଵାରା ଏକ ନବ୍ୟ ଭୋଗବାଦୀ ସମାଜ ସୃଷ୍ଟି ହୋଇଛି । ଏମାନଙ୍କ ବ୍ୟୟ ବହୁଳ ଜୀବନ ଶୈଳୀକୁ ଦେଖି ଅନ୍ୟ ମାନେ ମଧ୍ୟ ସେହିପରି ଜୀବନ ଯାପନ କରିବାକୁ ଚାହୁଁ ଛନ୍ତି। ଯେଉଁଠି ସ୍ଵାମୀ ସ୍ତ୍ରୀ ଦୁଇଜଣ ଚାକିରୀ କରୁଛନ୍ତି ସେଠାରେ କୌଣସି ପ୍ରକାର ଚଳି ଯାଉଛି। କିନ୍ତୁ କେବଳ ପୁରୁଷ ଚାକିରୀ କରୁଥିଲେ ଅବସ୍ଥା ସରିଲା । ସ୍ତ୍ରୀ ବୁଝିବାକୁ ନାରାଜ । ତାଙ୍କୁ ବି ବୁଲିବା, ଦାମୀ ହୋଟେଲରେ ଖାଇବା ଦରକାର। ପିଲା ବି ପଢ଼ିବେ ଦାମୀ ସ୍କୁଲରେ। ଅନେକ କ୍ଷେତ୍ରରେ ଏହା ପାରିବାରିକ ଜଟିଳତା ସୃଷ୍ଟି କରୁଛି।
ଏକଦା ସ୍ଵାମୀ ବିବେକାନନ୍ଦ କହୁଥିଲେ, ” ମୁଁ ଭାରତରେ ରାଜସିକତାର ପ୍ଳାବନ ଦେଖିବାକୁ ଚାହେଁ।” ସ୍ଵାମୀ ବିବେକାନନ୍ଦଙ୍କର ମତର ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲା, “ଭାରତୀୟ ସମାଜ ତାମସିକ ଜଡ଼ତାରୁ ଉଠି ଏକ କର୍ମନିଷ୍ଠ ସମାଜରେ ପରିଣତ ହେଉ ।” ତା ବିପରୀତରେ ଫଳ ହୋଇଛି ଯେ ଆମେ ରାଜସିକ ସୁଖ ଚାହୁଁ, କିନ୍ତୁ ସେହି ଅନୁସାରେ କର୍ମ ତତ୍ପର କିମ୍ବା ବାସ୍ତବବାଦୀ ହେବାକୁ ଚାହୁଁନେ । ଫଳରେ ଆମ ପାଖରେ ଯେତିକି ସତ୍ତ୍ଵ ଗୁଣ ଥିଲା ତାହାର ବିଲୋପ ହୋଇ ଚୋରୀ, ଡକାୟତି, ଠକାମୀ ବଢ଼ୁଛି।
କିଛି ଦିନ ତଳେ ମୋର ଜଣେ ରୋଗୀ କହିଲେ, “ପୁଅ କାର କିଣିବାକୁ ପାଞ୍ଚ ଲକ୍ଷ ଟଙ୍କା ମାଗୁଛି।” ପୁଅ ଘର ପାଖରେ ବେସରକାରୀ କାମ କରେ ଓ ମାସକୁ ୩୦/୩୫ ହଜାର ଦରମା ପାଏ । ବର୍ଷରେ ୨/୩ଥର ଶ୍ଵଶୁର ଘରକୁ ଯିବାପାଇଁ କାର ଦରକାର । କେବଳ ଆଭିଜାତ୍ୟ ଦୃଷ୍ଟିରୁ ଘର ଆଗରେ ଗାଡ଼ିଟିଏ ରହିବା ଦରକାର। ମୁଁ କହିଲି, “ଆପଣଙ୍କ ଅନ୍ତେ ପେନସନ ବନ୍ଦ ହୋଇଗଲେ ସେ ପିଲା ଘର ଚଳାଇବା ମୁସ୍କିଲ ହୋଇଯିବ । ୧୫ବର୍ଷ ପରେ ଏ କାରର ମୂଲ୍ୟ କିଛି ନ ଥିବ । ଯଦି ଆପଣ ଦେବାକୁ ଚାହୁଁଛନ୍ତି ତେବେ ନାତି ନାଆଁରେ ୧୫ ବର୍ଷିଆ ସ୍ଥାୟୀ ଜମା କରି ଦିଅନ୍ତୁ।”
ଭାରତର ସାଧାରଣ ଜନତା ଛାଡ଼ନ୍ତୁ ଶିକ୍ଷିତ ବର୍ଗ ମଧ୍ୟ ଦେଶର ଅର୍ଥନୀତି ଉପରେ ଆଲୋଚନା କରନ୍ତି ନାହିଁ। ବିଶ୍ଵରେ ଭାରତ ପଞ୍ଚମ ଆର୍ଥିକ ଶକ୍ତି ହୋଇଗଲା ଏବଂ ଆଗକୁ ଦେଶ ଘିଅ ମହୁରେ ଭାସିବ ବୋଲି ଏକ ସୁନେଲି ସ୍ଵପ୍ନରେ ଆମେ ବିଭୋର। କିନ୍ତୁ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଦେଖିଲେ ଭାରତର ସ୍ଥାନ କେଉଁଠି? ୨୦୨୨ର ତଥ୍ୟ ଅନୁସାରେ ମୁଣ୍ଡ ପିଛା ଆୟ(କ୍ରୟ ଶକ୍ତି ଅନୁସାରେ)ରେ ଭାରତର ସ୍ଥାନ ୧୨୦ ବଙ୍ଗଳାଦେଶ ଠାରୁ ଗୋଟିଏ। ଶ୍ରୀଲଙ୍କାର ସ୍ଥାନ ୯୭ ଓ ଭିଏତନାମର ୧୦୧ । ତାଲିକାରେ ଏକ ନଂ.ରେ ଥିବା ଲକ୍ସମବର୍ଗର ମୁଣ୍ଡପିଛା ବାର୍ଷିକ ଆୟ ୧,୪୨,୨୧୪ ଆମେରିକୀୟ ଡଲାର ଥିବା ବେଳେ ଭାରତ କ୍ଷେତ୍ରରେ ତାହା ୮,୩୭୯ ଡଲାର ।
କ୍ରମାଗତ ଭାବରେ ଗତ ୫ ବର୍ଷ ବା ତାଠାରୁ ଅଧିକ ବର୍ଷ ହେବ ଲୋକମାନଙ୍କର ସଞ୍ଚୟ କମୁଛି । ଆୟ ଅଧିକ ଓ ବ୍ୟୟ କମ୍ ହେଲେ ସଞ୍ଚୟ ବଢ଼ିବା କଥା । ସଞ୍ଚୟ କମିବା ଅର୍ଥ ଖର୍ଚ୍ଚ ବଢ଼ୁଛି କିନ୍ତୁ ସେହି ଅନୁସାରେ ଆୟ ବଢ଼ୁନି । ତଥାପି ଭାରତୀୟମାନେ ଖୁସି । ରିଲ୍ସ, ଫାଷ୍ଟ ଫୁଡ୍, ଭିଡିଓ, ବୁଲାବୁଲି, ଅନଲାଇନ୍ ସପିଂ, ରେ ମନ ଖୁସି ଏବଂ ସ୍ଵପ୍ନରେ ବିଭୋର। ଏଣୁ ନିର୍ବାଚନରେ ଅର୍ଥନୀତି ଏକ ତର୍କର ବିଷୟ ନ ହୋଇ ଗୁଡ଼ାଏ ଝାବଡ଼ ବିଷୟରେ ଆଲୋଚନା ହେଉଛି। ଏଥିରୁ ଆମ ଦେଶ ଓ ସମାଜର ଭବିଷ୍ୟତ କଳ୍ପନୀୟ ।।।