ବାରାଣସୀ ସ୍ଥିତ ଐତିହାସିକ ସର୍ବୋଦୟ ସାଧନା କେନ୍ଦ୍ରପୁନଃନିର୍ମାଣ ପାଇଁ ସର୍ଵସେବା ସଂଘ ପକ୍ଷରୁ’ନ୍ୟାୟର ଦୀପ ଜଳାଅ’ ସତ୍ୟାଗ୍ରହ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଲଗାତାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି। ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରାଣସୀ ଠାରେ ସନ୍ଥ ବିନୋବା ଭାବେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବସେବା ସଂଘର ସାଧନା କେନ୍ଦ୍ରକୁ ରେଳ ବିଭାଗ ଗତ ବର୍ଷ ଅଗଷ୍ଟ ୧୨ ତାରିଖ ଦିନ ଅନୈତିକ ଭାବେ ଦଖଲ କରି ତଥା ବୁଲଡୋଜର ଚଳାଇ ଧ୍ବଂସ କରିବା ସହ ନିଜ ଅକ୍ତିଆରକୁ ନେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ରେଲୱେ ଡିଭିଜନରୁ ୧୯୬୦, ୧୯୬୧ ଓ ୧୯୭୦ ମସିହାରେ ତିନୋଟି ପର୍ଯ୍ୟାୟରେ ଖରିଦ କରାହୋଇଥିବା ଜମିରେ ବାରାଣସୀର ରାଜଘାଟଠାରେ ୧୨.୮୯ ଏକର ପରିମିତ ଏହି କେନ୍ଦ୍ରରେ ସର୍ବୋଦୟ ପ୍ରକାଶନ, ଶାନ୍ତିସେନା କାର୍ଯ୍ୟାଳୟ, ବାଲବାଡି, ପ୍ରାକୃତିକ ଚିକିତ୍ସା କେନ୍ଦ୍ର, ମ୍ୟୁଜିୟମ,ଲାଇବ୍ରେରୀ, ଖଦୀ ଭଣ୍ଡାର ଓ କର୍ମୀ ନିବାସ ରହିଥିଲା। ଜୟପ୍ରକାଶ ଓ ନବକୃଷ୍ଣ ଚୌଧୁରୀ ମିଳିତ ଭାବରେ ସେହି ପରିସରରେ ଗାନ୍ଧୀ ବିଦ୍ୟା ସଂସ୍ଥାନ ନାମରେ ଏକ ବିଶ୍ଵସ୍ତରୀୟ ସମାଜ ବିଜ୍ଞାନ କେନ୍ଦ୍ର ଗଢିଥିଲେ, ଯେଉଁଠାରେ ପୃଥିବୀ ବିଖ୍ୟାତ ସମାଜ ବିଜ୍ଞାନୀ ଆଇଭାନ ଇଲିଚ ଓ ସୁମାକରଙ୍କ ଭଳି ସମାଜବିଜ୍ଞାନୀ ଦୀର୍ଘ ବର୍ଷ ଗବେଷଣା କରିଥିଲେ । ପ୍ରସିଦ୍ଧ ପୁସ୍ତକ “ସ୍ମଲ ଇଜ ବିଉଟିଫୁଲ” ସୁମାକର ଏହିଠାରେ ରଚନା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ, ଏହି ଐତିହାସିକ କେନ୍ଦ୍ରର ଭିତ୍ତିପ୍ରସ୍ତର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ସ୍ଥାପନ କରିଥିବା ବେଳେ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବରେ ଏହାକୁ ଉଦଘାଟନ କରିଥିଲେ । ଗଙ୍ଗା ନଦୀର ଉପନଦୀ ବାରୁଣା କୂଳରେ ଅବସ୍ଥିତ ଏହି ସମ୍ପତ୍ତିକୁ ଆଦାନୀ ନାମକ କର୍ପୋରେଟ ସଂସ୍ଥାକୁ ଟେକିଦେବା ନିମନ୍ତେ ରେଳ ବିଭାଗ ଏହି କାର୍ଯ୍ୟ କରିଛି । ରେଳ ବିଭାଗ, ଉତ୍ତର ପ୍ରଦେଶ ସରକାର, ବାରାଣସୀ ଜିଲ୍ଲା ପ୍ରଶାସନ ବିରୋଧରେ ସର୍ବସେବା ସଂଘ ନ୍ୟାୟାଳୟର ଆଶ୍ରୟ ନେଇଥିବା ବେଳେ ତରବରିଆ ଭାବେ ଏହି ପରିସରରେ ଥିବା ସର୍ବସେବା ସଂଘର କାର୍ଯ୍ୟାଳୟ, ପ୍ରକାଶନ ସଂସ୍ଥା, କର୍ମୀ ନିବାସ, ଅତିଥି ଗୃହ ଆଦି ଉପରେ ଗତ ବର୍ଷ ଅଗଷ୍ଟ ୧୨ ତାରିଖ ଦିନ ବୁଲଡୋଜର ଚଳାଇ ଏହାକୁ ଧ୍ବଂସ କରାଯାଇଛି। 

ଗତ ୧୧ ସେପ୍ଟେମ୍ବର ବିନୋବାଙ୍କ ୧୩୦ତମ ଜୟନ୍ତୀରୁ ବାରାଣସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ ସରକାରଙ୍କ ଅବୈଧ ଦଖଲରୁ ମୁକ୍ତ କରିବା ତଥା ଧ୍ବଂସ ହୋଇଥିବା ଏହି ରାଷ୍ଟ୍ରୀୟ ଐତିହ୍ୟର ପୁନଃନିର୍ମାଣ କରିବା ପାଇଁ ସର୍ଵସେବା ସଂଘ ପକ୍ଷରୁ ୧୦୦ ଦିନ ବ୍ୟାପୀ ‘ନ୍ୟାୟର ଦୀପ ଜଳାଅ’ ସତ୍ୟାଗ୍ରହ ବାରାଣସୀ ଠାରେ ଆରମ୍ଭ ହୋଇଥିବା ବେଳେ ଏହି ସତ୍ୟାଗ୍ରହରେ ଭାରତବର୍ଷର ପ୍ରତ୍ୟେକ ଜିଲ୍ଲାର ଲୋକସେବକ ଓ ସର୍ବୋଦୟ ମିତ୍ର ମାନେ ସେଠାରେ ଉପବାସ ସତ୍ୟାଗ୍ରହ କରୁଛନ୍ତି। ଏଥିପାଇଁ ସତ୍ୟାଗ୍ରହରେ ସାମିଲ ହେବାକୁ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଓ ସାଧାରଣ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତିଙ୍କ ନେତୃତ୍ଵରେ ବିଶିଷ୍ଟ ସର୍ବୋଦୟ ସେବକ ଗୌରାଙ୍ଗ ରାଉତ, ଅନ୍ତର୍ଯ୍ୟାମୀ ବରାଳ, ରାବେୟା ବେଗମ, ବିପିନ ବାରିକ, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ, ଚୂଡାମଣି ସାହୁ, ଲଳିତ ମୋହନ ବେହେରା ପ୍ରମୁଖ ଏଥିରେ ସାମିଲ ଅଛନ୍ତି। ସବୁଠୁ ବଡ କଥା ଆମ ଓଡିଶାର ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ଏହି ସତ୍ୟାଗ୍ରହକୁ ଶୁଭାରମ୍ଭ କରିଛନ୍ତି। ଏକଛତ୍ରବାଦୀ ମୋଦୀ ସରକାର ସର୍ବୋଦୟ ପ୍ରକାଶନ ସଂସ୍ଥାର ଲକ୍ଷ ଲକ୍ଷ ପୁସ୍ତକକୁ ଖୋଲା ଆକାଶ ତଳେ ଗାନ୍ଧୀ ମୂର୍ତ୍ତି ପାଖରେ ଫିଙ୍ଗି ଦେଇଥିଲେ, ଯାହାକୁ ପୁନଃ ସଂଯୋଜିତ କରି ଏହି ନୂତନ ପ୍ରକାଶନ ବ୍ୟବସ୍ଥାକୁ ଶ୍ରୀମତୀ ମହାନ୍ତି ଉଦଘାଟନ କରିଛନ୍ତି। ସର୍ବସେବା ସଂଘର ରାଷ୍ଟ୍ରୀୟ ସଭାପତି ଚନ୍ଦନ ପାଲ, ସାଧାରଣ ସମ୍ପାଦକ ଗୌରାଙ୍ଗ ମହାପାତ୍ର, ଉତ୍ତରପ୍ରଦେଶ ସର୍ବୋଦୟ ମଣ୍ଡଳର ସଭାପତି ରାମଧୀରଜ ଓ ଆନ୍ଦୋଳନ ସମିତିର ସଂଯୋଜକ ଡ଼ଃ ବିଶ୍ଵଜିତ ପ୍ରମୁଖ ଏହି ସତ୍ୟାଗ୍ରହର ସଂଚାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *