ଶରତ ଚନ୍ଦ୍ର ମହାରାଣାଙ୍କ ୧୧୬ତମ ଜୟନ୍ତୀ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଶିକ୍ଷା ସାମାଜିକ ବ୍ୟବସ୍ଥାର ମୁଖ୍ୟ ଅଙ୍ଗ। ଶିକ୍ଷା ଆମ ଜୀବନକୁ ଶୃଙ୍ଖଳିତ କରିବା ସହ ସାମାଜିକ ସୀକୃତି ପ୍ରଦାନ କରିଥାଏ। ଶିକ୍ଷା ଆମର ଜନ୍ମଗତ ଅଧିକାର, ତେଣୁ ଏ ଅଧିକାରକୁ ଆମ ଠାରୁ କେହି ଛଡେଇ ନେଇପାରିବେନି , କିନ୍ତୁ ସାମ୍ପ୍ରତିକ ସମୟରେ ଶିକ୍ଷା ବ୍ୟବସ୍ଥା ଆମ ଜନ୍ମଗତ ଅଧିକାରକୁ ଛଡେଇ ନେଉଥିବା ବେଳେ ଆମକୁ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ଯାହା ରାଷ୍ଟ୍ର ବିରୋଧୀ। ଶିକ୍ଷା ବ୍ୟବସ୍ଥାକୁ ତିଆରି କରୁଥିବା ସରକାର ଆଜି ଶିକ୍ଷାକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଯାହା ଆଗାମୀ ପୀଢ଼ି ପ୍ରତି ବିପଦ ସୃଷ୍ଟି କରିବା ସହ ଶିକ୍ଷା ଠାରୁ ନାଗରିକ ଠାରୁ ରାଷ୍ଟ୍ରକୁ ଅଲଗା କରୁଛି। ତେଣୁ ଗାନ୍ଧୀଜୀଙ୍କ ପରିକଳ୍ପନାର ମୌଳିକ ଶିକ୍ଷା ହିଁ ଏକ ମାତ୍ର ବିକଳ୍ପ ବୋଲି ବିଶିଷ୍ଟ ଶିକ୍ଷାବିତ୍ ତଥା ସର୍ବୋଦୟ କର୍ମୀ ଶରତ ଚନ୍ଦ୍ର ମହାରାଣାଙ୍କ ୧୧୬ତମ ଜୟନ୍ତୀ ଅଵସରରେ ‘ଏକବିଂଶ ଶତାଦ୍ଦୀରେ ଭାରତର ଶିକ୍ଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍ ଦାସ ବେନହୁର ଓ ଡ଼. ବାସୁଦେବ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ।
ଲୋହିଆ ଏକାଡେମୀ ପକ୍ଷରୁ ଶିକ୍ଷା ସନ୍ଧାନର ସମ୍ପାଦକ ଅନିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପଦ୍ମଚରଣ ନାୟକ, ମନୋରଞ୍ଜନ ମହାନ୍ତି, ଡଃ ବିଶ୍ୱଜିତ, ବ୍ଲୋରିନ ମହାନ୍ତି, ପ୍ରହଲ୍ଲାଦ ସିଂହ, ସୁମିତ୍ରା ପଟେଲ, ସଂଗ୍ରାମ ମାଝୀ, ନଳିନୀ ନାୟକ, ପ୍ରମିଳା ବେହେରା, ଗୌରାଙ୍ଗ ମହାପାତ୍ର, ଆନନ୍ଦିକା ସାମନ୍ତରାୟ, ସଂଗ୍ରାମ ମାଝୀ, ନଳିନୀ ନାୟକ, ଅନୁଭଵ ବଳିଆରସିଂ, ମୀର ଅହମ୍ମଦ ଅଲ୍ଲୀ, ବିଶ୍ଵରଞ୍ଜନ ଦାସ, ତାପସ ଦେ, ଦିଲ୍ଲୀପ ବେହେରା, ଅମର ପାଲ, ସୁସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହିବା ସହ ସ୍ବର୍ଗତଃ ଶରତ ଚନ୍ଦ୍ର ମହାରାଣାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।