ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ମଜଭୁତ ଭାରତର ଆଧାର – ଓଟିଡିସି ଅଧ୍ୟକ୍ଷ ଡଃ. ଲେନିନ୍ ମହାନ୍ତି

ଭୁବନେଶ୍ୱର,ତା୨୮.୦୭.୨୦୨୩ରିଖ: ଭୁବନେଶ୍ଵର ଉପକଣ୍ଠ ନିସ୍ତାରିଣୀପୁର ମୌଜା ଅନ୍ତର୍ଗତ ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମରେ ” ନିସ୍ତାରିଣୀପୁର ୱେଲ୍‌ଫେୟାର ସୋସାଇଟି ” ଦ୍ୱାରା ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ଆଧାରରେ ଏକ ଗେଟ୍ ଟୁ ଗେଦର ଶ୍ରୀ ଶ୍ରୀ ପଶ୍ଚିମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି  l ଏଥିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସଭା ପ୍ରାରମ୍ଭରେ ସୋସାଇଟିର ସଭାପତି ପ୍ରଫୁଲ୍ଲ ବେହେରା ସ୍ଵାଗତ ଭାଷଣ ଦେଇଥିଲେ l ସଦସ୍ୟ ବିକ୍ରମ ମହାରଣା ସୋସାଇଟିର ଆଭିମୁଖ୍ୟ ସଂପର୍କରେ କହିଥିଲେ ଯେ, ସମଗ୍ର ନିସ୍ତାରିଣୀପୁର ମୌଜାର ସର୍ବବିଧ ଉନ୍ନତି ନିମନ୍ତେ ଉକ୍ତ ଅନୁଷ୍ଠାନ ସମର୍ପିତ ଓ ଏଥି ନିମନ୍ତେ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗକୁ ସେ  ସ୍ଵାଗତ କରିଥିଲେ  l 

ଉତ୍ସବକୁ ନିମନ୍ତ୍ରିତ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ନିରୁପମା ସାହୁ ଏପରି ଆୟୋଜନ ଦ୍ଵାରା ତଥା ପାରସ୍ପରିକ ସହଯୋଗରେ ଅଞ୍ଚଳର ଉନ୍ନତି ନିମନ୍ତେ ଜନମତ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସ୍ମାର୍ଟ ସିଟି ଭୁବନେଶ୍ଵରର ଅନତି ଦୂରରେ ଅବସ୍ଥିତ ଉକ୍ତ ଅଞ୍ଚଳରେ ‘୫-ଟି’ ଉପକ୍ରମ  ଆଧାରରେ କାର୍ଯ୍ୟ କରି ଅନୁମୋଦିତ ଯୋଜନାଗୁଡ଼ିକର ତ୍ଵରିତ୍ କାର୍ଯ୍ୟନ୍ୱୟନ ସମ୍ଭବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l

ଏଠାକାର ଲୋକଙ୍କ ଜୀବନରେଖା ରୂପେ ଅଭିହିତ ନଦୀବନ୍ଧ ରାସ୍ତା କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବାକୁ ନିବେଦନ ସହ ଶ୍ରୀ ଶଶାଙ୍କ ଶେଖର ରାଉତ ମୁଖ୍ୟ ଅତିଥିଙ୍କୁ ସମ୍ବୋଧିତ ସ୍ମାରକ ପତ୍ର ପାଠ କରିଥିଲେ l  ଗ୍ରାମ୍ୟ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଓ ପାରସ୍ପରିକ ସହଯୋଗ ତଥା ଭାଇଚାରାରେ ଅଭିଭୂତ ମୁଖ୍ୟ ଅତିଥି ଡକ୍ଟର ମହାନ୍ତି ତାଙ୍କର ସଂକ୍ଷିପ୍ତ ତଥା ଅର୍ଥପୂର୍ଣ୍ଣ ବକ୍ତବ୍ୟରେ ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରାର ଭୂରି ଭୂରି ପ୍ରଶଂସା କରି ଏହାର ପଟାନ୍ତର ନାହିଁ ଏବଂ ଏହା ମଜଭୁତ ଭାରତର ଆଧାର ବୋଲି ମତବ୍ୟକ୍ତ କରିଥିଲେ l

ଅଞ୍ଚଳର ଉନ୍ନତି ନିମନ୍ତେ ସରକାରୀ ଯୋଜନା କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକ ଦୂର କରିବାକୁ ଉଚ୍ଚ ସ୍ତରରେ ଆଲୋଚନା ନିମନ୍ତେ ସେ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି କୃତି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିଥିଲେ l  ମୁଖ୍ୟ ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *