ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ରେବନ୍ତ ରେଡ୍ଡୀ; ଯୋଗଦେବେ ସୋନିଆ, ରାହୁଲ୍‌ ଓ ପ୍ରିୟଙ୍କା

ହାଇଦ୍ରାବାଦ: ଆଜି ଅପରାହ୍ଣ ୧.୦୪ ମିନିଟ୍‌ରେ ‘ଏଲ୍‌. ବି. ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଥିବା ସମାରୋହରେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅନୁମୁଲା ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ।

୫୬ ବର୍ଷିୟ ରେବନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ କେଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସାଂସଦ ରାହୁଲ୍‌ ଗାନ୍ଧୀ ଯୋଗ ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିବା ପରେ ଦଳର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ‌ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ ଯେ, ରେବନ୍ତ ରେଡ୍ଡୀ କଂଗ୍ରେସ ବିଧାୟକ ଦଳର ନୂଆ ନେ‌ତା ହେବେ। ବୁଧବାର ଦିନ ମଧ୍ୟ ରେବନ୍ତ ରେଡ୍ଡୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଦିଲ୍ଲୀରେ ଭେଟିଥିଲେ। ତା’ପରେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ନିମନ୍ତେ ବୁଧବାର ଦିନ ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ଏ. ଶାନ୍ତି କୁମାରୀ, ‘ଡିଜିପି’ ରବି ଗୁପ୍ତା ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ବୈଠକ କରିବା ସହିତ ଶପଥ ଗ୍ରହଣସ୍ଥଳ ବି ପରିଦର୍ଶନ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୧ ଲକ୍ଷ ଜନତା ଯୋଗ ଦେବେ ବୋଲି ଆଶା କରାଯାଉଛି।

ନବନିର୍ବାଚିତ କଂଗ୍ରେସ ବିଧାୟକ ତଥା ଗତ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଥିବା ମଲ୍ଲୁ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ରେବନ୍ତ ରେଡ୍ଡୀଙ୍କ ନିମନ୍ତ୍ରଣକ୍ରମେ ‘ସିପିଆଇ’ର ସାଧାରଣ ସଚିବ ଡି. ରାଜା ମଧ୍ୟ ଆଜିର ସମାରୋହରେ ଯୋଗଦେବେ ବୋଲି ‘ସିପିଆଇ’ ବିଧାୟକ କୁନାମନେନି ସମ୍ବାଶିବ ରାଓ କହିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ‘ସପିଆଇ’ ଓ କଂଗ୍ରେସ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା।

Leave a Reply

Your email address will not be published. Required fields are marked *