ସର୍ବଭାରତୀୟ ଶିକ୍ଷକ ସଂଗଠନରେ ଓଡ଼ିଶାର ପ୍ରତିନିଧିତ୍ୱ

ଭୁବେନଶ୍ୱର, ପ୍ରବାହ ନ୍ୟୁଜ୍‌ : ଅଲ ଇଣ୍ଡିଆ ଫେଡେରେସନ୍ ଅଫ୍ ଟିଚର୍ସ ଅଗ୍ରାନାଇଜେସନସ୍‌ର ସର୍ବଭାରତୀୟ ପଦାଧିକାରୀମାନଙ୍କ ସମ୍ମିଳନୀ ତଥା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ସେପ୍ଟେମ୍ବର ୧୬ ଓ ୧୭ ତାରିଖ ଦୁଇଦିନ ଧରି ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଏହି ସମ୍ମିଳନୀ ସ୍ଥାନୀୟ ଅମ୍ବର ହୋଟେଲ୍‌ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ପ୍ରଥମଦିନ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ସମ୍ମାନିତ କରାଯାଇ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସର୍ବଭାରତୀୟ ସଂଗଠନରେ ଓଡ଼ିଶାରୁ ଅନୁବନ୍ଧିତ ଶିକ୍ଷକ ସଂଗଠନ ଅଲ୍‌ଓଡ଼ିଶା ଏଲିମେଣ୍ଟାରୀ ଟି.ଜି. ଟିଚର୍ସ ଆସୋସିଏସନ୍‌ର ରାଜ୍ୟ ସଭାପତି ଜାକିର୍ ହୁସେନ୍‌, ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ସର୍ବେଶ୍ୱର ମଲ୍ଲିକ ଏବଂ ମହିଳା ପ୍ରତିନିଧି ଭାବରେ କ୍ରିଷ୍ଣା ସ୍ୱାଇଁ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ଅନ୍ତିମ ଦିବସରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତଥା କର୍ମକର୍ତ୍ତାମାନଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ଆଗାମୀ ତିନି ବର୍ଷ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁଜୁରାଟର ଶ୍ରୀ ରମେଶ ଭାଇ ପଟେଲ୍ ନିର୍ବାଚନ ପରିଚାଳନା କାର୍ଯ୍ୟ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଏଥିରେ ହିମାଚଳ ପ୍ରଦେଶର ଡକ୍ଟର ଅଶ୍ୱିନୀ କୁମାର ସର୍ବଭାରତୀୟ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥିବା ବେଳେ ରାଜସ୍ଥାନ, ଜୟପୁରର ସି.ଏଲ୍‌. ରୋଜ୍‌, ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ଓଡ଼ିଶାର ଦକ୍ଷ ଶିକ୍ଷକ ନେତୃତ୍ୱ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମରତ ବଳିଷ୍ଠ ଶିକ୍ଷକ ସଂଗଠକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଜନପ୍ରିୟ ଶିକ୍ଷକ ପ୍ରତିନିଧି ଶ୍ରୀ ସରୋଜ କୁମାର ପଣ୍ଡାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଓ ଗଣମାଧ୍ୟମ ସଂଯୋଜକ ଭାବରେ ନିର୍ବାଚିତ କରାଯାଇଥିବା ବେଳେ ସମ୍ପାଦକ ଭାବରେ ଜାକିର ହୁସେନ୍ ଏବଂ ଯୁଗ୍ମ ସମ୍ପାଦକ ଭାବରେ ସର୍ବେଶ୍ୱର ମଲ୍ଲିକ ନିର୍ବାଚିତ ହୋଇଛନ୍ତି । ଏହି ବାର୍ତ୍ତା ପହଞ୍ôଚବା ପରେ ଓଡ଼ିଶାର ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଅଛି ।

ଦୀର୍ଘଦିନ ଧରି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଏହି ନେତୃତ୍ୱମାନେ ଶିକ୍ଷକ ମହଲରେ ଆଦୃତିଲାଭ କରିଛନ୍ତି । ଜାତୀୟସ୍ତରରେ ଏହି ଶିକ୍ଷକମାନଙ୍କର ପ୍ରତିନିଧିତ୍ୱ ଓଡ଼ିଶାର ଶିକ୍ଷକ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବାରେ ସହାୟକ ହେବା ସଂଗେସଂଗେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରିବା ସହ ପୁରୁଣା ପେନ୍‌ସନ୍ କିଭଳି ସମଗ୍ର ଭାରତରେ ଲାଗୁ ହେବ ସେ ଦିଗରେ ସଂଗଠନ କାର୍ଯ୍ୟ କରିବ । ସାର୍ବଜନୀନ ଭାବରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦରମାରେ ଥିବା ଅଂସଗତି ତଥା ଅବସର ବୟସ ସୀମା ଇତ୍ୟାଦି ପ୍ରସଙ୍ଗକୁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାର ଶିକ୍ଷକ ନେତୃତ୍ୱମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଏ ଦିଗରେ ତୁରନ୍ତ କାର୍ଯ୍ୟ ହାତକୁ ନିଆଯାଇ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯିବ ବୋଲି ରାଷ୍ଟ୍ରୀୟ ସମ୍ପାଦକ ସରୋଜ କୁମାର ପଣ୍ଡାଙ୍କଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *