କରୋନା ପାଇଁ ଫିକା ପଡିଲା ରଜପର୍ବ : ଖୋର୍ଦ୍ଧା ବରୁଣେଇ ପୀଠ ନିର୍ଜନ ଓ ନିରବ

ଖୋଦ୍ଧା : ୧୪/୬(ପ୍ରବାହ ନିଉଜ୍): କରୋନା ମହାମାରୀର ଭୟ ଫିକା ପକାଇଦେଇଛି ସବୁ ଯାନୀ ଯାତରା କୁ । ଏଥିରୁ ବାଦ ଯାଇନାହିଁ ରଜପର୍ବ । ଆଜିର ମହାମାରୀ କୋରନା ପାଇଁ ଏହି ସଂସ୍କୃତି ପରମ୍ପରାରେ ମଧ୍ୟ ଲକ୍ଷ୍ମଣ ରେଖା ଟାଣିଛି ଜିଲ୍ଲା ପ୍ରଶାସନ । ଓଡ଼ିଶାର ପ୍ରସିଦ୍ଧ ତଥା ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଏବଂ ଖୋର୍ଦ୍ଧା ସହରର ଅନତି ଦୂରରେ ଅବସ୍ଥିତ ମା’ ବରୁଣେଇ କରୁଣେଇ ପୀଠ ଆଜି ରଜପର୍ବରେ ପୁରା ଖାଁ ଖାଁ ।

ବରୁଣେଇ ପାହାଡର ପାଦଦେଶରୁ ନେଇ ମନ୍ଦିର ପର୍ଯ୍ୟନ୍ତ ସବୁଆଡେ ନିର୍ଜନ ଓ ନିରବ । ଇତିହାସର କୀର୍ତ୍ତିକୁ ଜନ ମାନସରେ ଜୀବିତ ରଖିଥିବା ମା ବରୁଣେଈ କରୁଣେଇ ପୀଠରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ରଜପର୍ବ ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପ୍ରତିବର୍ଷ ରଜ ସମୟରେ ଏଠାରେ ରଜ ମହୋତ୍ସବ ପାଳନ ହେବା ସହ ଯାନିଯାତ୍ରା ମେଳା ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ମା ବରୁଣେଇଙ୍କ ପୀଠରେ ରଜ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ ।

ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଏହି ସମୟରେ ଏଠାକୁ ଆସି ମା ଙ୍କୁ ଦର୍ଶନ କରିବା ସହ ରଜ ଯାତ୍ରା କୁ ମନଭରି ଉପଭୋଗ କରନ୍ତି । ରଜ ଆସିଲେ ଖୋର୍ଦ୍ଧାର ବରୁଣେଈ ପୀଠ ଚଳଚଞ୍ଚଳ ହୋଇ ଉଠେ । ବରୁଣେଇ ପୀଠର ବଡ ପର୍ବ ରଜ ପର୍ବ। ଏଠାରେ ତିନିଦିନ ବ୍ୟାପୀ ରଜପର୍ବ ମହା ଆଡମ୍ବରରେ ପାଳିତ ହୋଇଥାଏ। ଦିଶାନ୍ତ ଅନୁଷ୍ଠାନ ପକ୍ଷରୁ ବହୁ ଆଡମ୍ବରରେ ପାହାଡର ପାଦଦେଶ ରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ହୋଇଥାଏ । ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହୋଇଥାଏ ।


ଏହି ସମୟରେ ଶହ ଶହ ଭଳିକି ଭଳି ଦୋକାନ ବଜାର ଠାରୁ ଆରମ୍ଭ କରି ମିନାବଜାର ,ରାମଦୋଳି ପଡିଥାଏ। ଯାହା ଫଳରେ କିଣା ବିକା ମଧ୍ୟ ବ୍ୟାପକ ହୁଏ । ପୀଠରେ ଏହି ତିନିଦିନ ଧରି ହଜାର ହଜାର ଦର୍ଶକଙ୍କ ଭିଡ ଲାଗି ରହିଥାଏ; କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳିନାହିଁ । ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପ୍ରକୋପ ହେତୁ ଏଠାରେ ସବୁକିଛି ବଦଳି ଯାଇଛି ।

ଏହିବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟି ରେ ରଖି ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ପୀଠରେ ଲାଗିଛି ୧୪୪ଧାରା କଟକଣା । ନା କେଉଁଠି ଦୋଳି ଦେଖିବାକୁ ମିଳିଛି , ନା ଅଛି ମନ୍ଦିରରେ ଭକ୍ତଙ୍କ ଭିଡ, ନା କେଉଁଠି ଦେଖିବାକୁ ମିଳିଛି ବେପାରୀଙ୍କ ପସରା ଆଦି । ମାତ୍ର ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା ବେଳେ ମା ବରୁଣେଇ କରୁଣେଇଙ୍କ ନୀତିକାନ୍ତି କିଛି ପ୍ରଭାବିତ ହୋଇନାହିଁ ବୋଲି ମନ୍ଦିରର ପୂଜକ କହିଛନ୍ତି । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଖୋର୍ଦ୍ଧାବାସୀ ପ୍ରଶାସନର ନିର୍ଦ୍ଦେଶ କୁ ସମର୍ଥନ ଜଣାଇ ନିଜ ନିଜ ଘରେ ରହି ରଜ ପର୍ବ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *