ପୃଥ୍ଵୀ ସ’ଙ୍କ ଅଡୁଆ, ଜାମିନ ପାଇବା ପରେ ଅସଦାଚରଣର ଅଭିଯୋଗ ଆଣିଲେ ସପ୍ନା

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କ୍ରିକେଟ ଟିମର ଷ୍ଟାର ଓପନର୍ ପୃଥ୍ବୀ ସ’ଙ୍କ ଅଡୁଆ। ସୋସିଆଲ ମିଡିଆ ଇନଫ୍ଲୁଏନସର ସପ୍ନା ଗିଲଙ୍କ ସହ ତାଙ୍କ ବିବାଦ ଏବେ ଏକ ନୂଆ ମୋଡ ନେଇଛି। ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ସ’ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସପ୍ନାଙ୍କୁ ଗିରଫ କରିଥିଲା। ଏବେ ତାଙ୍କୁ ଜାମିନ ମିଳିବା ପରେ ସେ ପୃଥ୍ଵୀ ସ’ଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି।
ପୃଥ୍ବୀ ସ’ଙ୍କ ବ୍ୟତୀତ ଆଶିଷ ସୁରେନ୍ଦ୍ର ଯାଦବ, ବ୍ରିଜେଶ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆ ଇନଫ୍ଲୁଏନସର ସପ୍ନା ଗିଲଙ୍କୁ ପୃଥ୍ଵୀ ସ’ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଓକିଲ ଅଲି କାଶିଫ ଦେଶମୁଖଙ୍କ ଅନୁଯାୟୀ ସପ୍ନା ଗିଲ ଆଇପିସିର ଧାରା ୩୪, ୧୨୦ବି, ୧୪୪, ୧୪୬, ୧୪୮, ୧୪୯, ୩୨୩, ୩୨୪, ୩୫୧, ୩୫୪, ୫୦୯ ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ସପ୍ନା ଓ ତାଙ୍କ ବନ୍ଧୁଙ୍କ ସହ ପୃଥ୍ବୀ ସ’ଙ୍କର ବିବାଦ ହୋଇଥିଲା। ମୁମ୍ବାଇର ଏକ ହୋଟେଲ ବାହାରେ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡ଼ା ହେବାରୁ ପୃଥ୍ବୀ ସ’ ସପ୍ନାଙ୍କ ଉପରେ ଆକ୍ରମଣର ଆରୋପ ଲଗାଇ ତାଙ୍କୁ ଜେଲ ପଠାଇଥିଲେ। ଫେବ୍ରୁଆରି ୨୦ପର୍ଯ୍ୟନ୍ତ ସପ୍ନାଙ୍କୁ ପୁଲିସ କଷ୍ଟଡିକୁ ପଠାଯିବା ପରେ ତାଙ୍କୁ ଜାମିନ ମିଳିଥିଲା। ଜାମିନ ପାଇବା ପରେ ସପ୍ନା ଏବେ ପାଲଟା ଅଭିଯୋଗ କରିଛନ୍ତି।